ଇଥାନଲ୍‌ ପ୍ଲାଣ୍ଟରେ ସମ୍ବଲପୁରର ୨୮ ହଜାର କ୍ବିଣ୍ଟାଲ୍‌ ଚାଉଳ: ଏଫ୍‌ସିଆଇ ଜରିଆରେ ଗଲା ବାହାର ରାଜ୍ୟ, ଏବେ ବି ୪ ଗୋଦାମରେ ଅଛି ୨.୬୯ ଲକ୍ଷ କ୍ବିଣ୍ଟାଲ୍‌ ଚାଉଳ

ଇଥାନଲ୍‌ କାରଖାନା ପାଇଁ ପ୍ରଥମଥର ପାଇଁ ସମ୍ବଲପୁରରୁ ଯାଇଛି ୧୬ ଷ୍ଟ୍ରାକ୍‌ ଅର୍ଥାତ୍‌ ୨୮ ହଜାର ୮୦୦ କ୍ବିଣ୍ଟାଲ୍‌ ଚାଉଳ। କେନ୍ଦ୍ର ସରକାରଙ୍କ ଖାଦ୍ୟନୀତି ଅନୁଯାୟୀ, ଯୋଗାଣ ନିଗମ ପକ୍ଷରୁ ୨୦୨୪-୨୫ ମସିହାର ସଂଗୃହୀତ ଧାନରୁ ୧ ଲକ୍ଷ ୬ ହଜାର ୭୩୪ କ୍ବିଣ୍ଟାଲ୍‌ କଷ୍ଟମ୍‌ ଚାଉଳ ଏଫ୍‌ସିଆଇକୁ ଦିଆଯାଇଛି।

rice plant

The Indian Express

ସମ୍ବଲପୁର: ଇଥାନଲ୍‌ କାରଖାନା ପାଇଁ ପ୍ରଥମଥର ପାଇଁ ସମ୍ବଲପୁରରୁ ଯାଇଛି ୧୬ ଷ୍ଟ୍ରାକ୍‌ ଅର୍ଥାତ୍‌ ୨୮ ହଜାର ୮୦୦ କ୍ବିଣ୍ଟାଲ୍‌ ଚାଉଳ। କେନ୍ଦ୍ର ସରକାରଙ୍କ ଖାଦ୍ୟନୀତି ଅନୁଯାୟୀ, ଯୋଗାଣ ନିଗମ ପକ୍ଷରୁ ୨୦୨୪-୨୫ ମସିହାର ସଂଗୃହୀତ ଧାନରୁ ୧ ଲକ୍ଷ ୬ ହଜାର ୭୩୪ କ୍ବିଣ୍ଟାଲ୍‌ କଷ୍ଟମ୍‌ ଚାଉଳ ଏଫ୍‌ସିଆଇକୁ ଦିଆଯାଇଛି। ଯାହା ଏଫ୍‌ସିଆଇ ସମ୍ବଲପୁର ପକ୍ଷରୁ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ପଠାଯାଇଥିବା ନେଇ ଏଫ୍‌ସିଆଇ ଡିଏମ୍‌ ଗଜେନ୍ଦ୍ର ରାୱତ ସୂଚନା ଦେଇଛନ୍ତି। ଏଫ୍‌ସିଆଇ ପଠାଇଥିବା ଏହି ଚାଉଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବିଭିନ୍ନ ଇଥାନଲ୍‌ କାରଖାନାକୁ ଯାଇଛି। ଏହା ସତ୍ତ୍ବେ ଜିଲ୍ଲାରେ ଆଜି ବି ୪ଟି ଗୋଦାମରେ ୨.୬୯ ଲକ୍ଷ କ୍ବିଣ୍ଟାଲ୍‌ ଚାଉଳ ପଡ଼ିରହିଛି।

ବୋନସ୍‌ କାର୍ଯ୍ୟକାରୀ ହେବା ପରେ ଧାନ ସଂଗ୍ରହ ବୃଦ୍ଧି ପାଇଛି। ଯୋଗାଣ ବିଭାଗର ସୂଚନା ଅନୁଯାୟୀ, ୨୦୨୩ ମସିହାର ଖରିଫ ତୁଳନାରେ ୨୦୨୪ ଖରିଫରେ ରାଜ୍ୟରେ ୨୬.୬୬% ଅଧିକ ଧାନ ସଂଗ୍ରହ ହୋଇଛି। ଏଥିରେ ଅଗ୍ରଣୀ ଜିଲ୍ଲା ମଧ୍ୟରେ ରହିଛି ବରଗଡ଼ ଏବଂ ସମ୍ବଲପୁର। ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ଯେତେ ଚାଉଳ ଜମା ହୋଇଛି, ଏହାକୁ ସଂରକ୍ଷିତ ରଖିବା ପାଇଁ ଗୋଦାମ ଘରେ ସ୍ଥାନାଭାବ ରହିଛି। ଯାହା ଯୋଗାଣ ନିଗମ ଏବଂ ଏଫ୍‌ସିଆଇ ପାଇଁ ଏକ ବଡ଼ ଆହ୍ବାନ ହୋଇଛି। ଠିକ୍ ଏହି ପରିସ୍ଥିତିରେ ଇଥାନଲ୍‌ କାରଖାନା ପାଇଁ ଯୋଗାଣ ବିଭାଗକୁ ଅତିରିକ୍ତ ଚାଉଳ ପାଇଁ ଏଫ୍‌ସିଆଇ ଚିଠି ଲେଖିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ଇଥାନଲ୍‌ର ଉପଯୋଗିତା ପ୍ରମାଣିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଇଥାନଲ୍‌ କାରଖାନା ଖୋଲିବାରେ ଲାଗିଛି। ଚାଉଳରୁ ଇଥାନଲ୍‌ ଉତ୍ପାଦନ ହେଉଥିବାରୁ ଚାଉଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ସ୍ତରରେ ଏଫ୍‌ସିଆଇ ଜରିଆରେ ଇଥାନଲ୍‌ ଫ୍ୟାକ୍ଟ୍ରିମାନଙ୍କୁ ଚାଉଳ ପହଞ୍ଚିବାରେ ଲାଗିଛି। ଆଗାମୀ ଦିନରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ।

ସମ୍ବଲପୁର ଏସିଏସ୍‌ଓ ମନୋଜ ବେହେରା କହିଛନ୍ତି, ଖାଦ୍ୟ ନୀତି ଅନୁଯାୟୀ ସ୍ବାଭାବିକ ଭାବେ କଷ୍ଟମ୍‌ ମିଲିଂ ଚାଉଳକୁ ଯୋଗାଣ ନିଗମ ଏଫ୍‌ସିଆଇକୁ ଦେଇଛି। ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଫ୍‌ଏସ୍‌ଡି ହୀରାକୁଦରୁ ୪୧ ହଜାର ୬୪୫ କ୍ବିଣ୍ଟାଲ୍‌, କଟାପାଲିରୁ ୨୬ ହଜାର ୦୩୩ କ୍ବିଣ୍ଟାଲ୍‌, ବାଲିଜୋରି ଏଫ୍‌ଏସ୍‌ଡିରୁ ୫୭୮୭.୧୨ କ୍ବିଣ୍ଟାଲ୍‌, ସିଡବ୍ଲୁସି କଲାମାଟିରୁ ୮୬୭୩.୭୮ କ୍ବିଣ୍ଟାଲ୍‌, ଏସ୍‌ଡବ୍ଲୁସି ଗୋଡ଼ଭଗାରୁ ୩୭୫୭.୮୬୮ କ୍ବିଣ୍ଟାଲ୍‌, ଅତାବିରାରୁ ୧୪ ହଜାର ୪୭୧.୩ କ୍ବିଣ୍ଟାଲ୍‌, ଏଫ୍‌ଏସ୍‌ଡି ଅତାବିରାରୁ ୬୩୬୫.୬୯୨ କ୍ବିଣ୍ଟାଲ୍‌ ଏଫ୍‌ସିଆଇକୁ ଯାଇଛି। ଏହା ସତ୍ତ୍ବେ ସମ୍ବଲପୁରର ଚାଉଳ ବୋଝ ହଟିନାହିଁ। ଧାନ ସଂଗ୍ରହର ୩ ମାସ ମଧ୍ୟରେ ଯେଉଁ କଷ୍ଟମ୍‌ ମିଲିଂର ଚାଉଳ ସରକାରଙ୍କ ନିକଟରେ ଜମା ହେବାର ଥିଲା ୧୧ ମାସ ପରେ ମଧ୍ୟ ଜମା ହୋଇପାରି ନାହିଁ। ଏଥିମଧ୍ୟରେ ଆ.କଟାପାଲିସ୍ଥିତ ପଣ୍ୟାଗାର ନିଗମରେ ୧ ଲକ୍ଷ ୫୭ ହଜାର ୯୨୬ କ୍ବିଣ୍ଟାଲ୍‌, ରେଢ଼ାଖୋଲରେ ୧୪ ହଜାର ୪୩୨ କ୍ବିଣ୍ଟାଲ୍‌, କୁଚିଣ୍ଡାରେ ୮୭୯୯ କ୍ବିଣ୍ଟାଲ୍‌ ଏବଂ ନୂଆଁଖୁରିଗାଁ ଆର୍‌ଆର୍‌ସିରେ ୮୮ ହଜାର ୮୦୯ କ୍ବିଣ୍ଟାଲ୍‌ ଚାଉଳ ଏବେ ମଧ୍ୟ ରହିଛି। ଜିଲ୍ଲାରେ ନଭେମ୍ବରରୁ ଖରିଫ-୨୫ର ଧାନ ସଂଗ୍ରହ ଆରମ୍ଭ ହୋଇଯିବ। କିନ୍ତୁ ୨୦୨୪ ମସିହାର ଖରିଫ ଓ ରବି ଧାନ ଗୋଦାମରେ ପଡ଼ିରହିଥିବାରୁ ୨୦୨୫ ମସିହାର ଖରିଫ ସଂଗ୍ରହ ବେଳକୁ ସମସ୍ୟା ସୃଷ୍ଟି ହେବା ନେଇ ଯୋଗାଣ ବିଭାଗ ଆଶଙ୍କା‌ରେ ରହିଥିଲା। କିନ୍ତୁ ଚାଉଳରୁ ଇଥାନଲ୍‌ ଉତ୍ପାଦନ ଏଥିରୁ ଆଶ୍ବସ୍ତି ଆଣିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe