୨୯୭ ଗ୍ରାମ୍ ବାଉନ୍‌ସୁଗାର ଜବତ, ଅଭିଯୁକ୍ତ ବଜାବାଲା ଗିରଫ  

Advertisment
୨୯୭ ଗ୍ରାମ୍ ବାଉନ୍‌ସୁଗାର ଜବତ, ଅଭିଯୁକ୍ତ ବଜାବାଲା ଗିରଫ  

ବରଗଡ଼: ପେସାରେ ବାଜାବାଲା। ହେଲେ ଭିତିରିଆ ଚାଲିଥିଲା କୋଟି କୋଟି ଟଙ୍କାର ବ୍ରାଉନ୍‌ସୁଗାର କାରବାର। ବରଗଡ଼ ସହରର ମଝି ଇଲାକା ମହାନ୍ତିପଡ଼ା ବଡ଼ବନ୍ଧଠାରେ ରହୁଥିବା ରାଜୁ ତାଣ୍ଡିକୁ ଅବକାରୀ ବିଭାଗ ବହୁ ଚତୁରତାର ସହ ଗିରଫ କରିଛି। ତା’ ପାଖରୁ ୨୯୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ବିଗତ ଦିନରେ ବରଗଡ଼ ଜିଲ୍ଲାରୁ ୪ଥର ବ୍ରାଉନ୍‌ସୁଗାର ଜବତ ହୋଇଛି। କିନ୍ତୁ ଏଥର ଜବତ ବ୍ରାଉନ୍‌ସୁଗାର ପରିମାଣ ରେକର୍ଡ ଭାଂଗିଛି। ଅଭିଯୁକ୍ତ ରାଜୁ ପାଖରୁ ୧.୦୨ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ରାଜୁକୁ ଧରିବା ପୂର୍ବରୁ ବେଶ୍‌ କିଛି ଦିନ ହେଲା ଅବକାରୀ ବିଭାଗ ଜାଲ ବିଛାଇଥିଲା। ୨/୩ଜଣ ଅଧିକାରୀ ଛଦ୍ମବେଶରେ ରାଜୁକୁ ପୃଥକ୍‌ ପୃଥକ୍‌ ଭେଟିଥିଲେ। ତା’ ପାଖରୁ ବ୍ରାଉନ୍‌ସୁଗାର କିଣିଥିଲେ। ତାହା ପରୀକ୍ଷା ପରେ ଅସଲ ବ୍ରାଉନ୍‌ସୁଗାର ବୋଲି ଜଣାପଡ଼ିଥିଲା। ନିଶ୍ଚିତ ହେବା ପରେ ଅବକାରୀ ବିଭାଗ ବୁଧବାର ସକାଳୁ ରାଜୁ ଘରକୁ ଚଢ଼ଉ କରି ତାକୁ ଗିରଫ କରିଥିଲା।

ତେବେ ରାଜୁ କାହା ପାଖରୁ ବ୍ରାଉନ୍‌ସୁଗାର ଆଣୁଥିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ସୂଚନା ମୁତାବକ, ରାଜୁ ବହୁ ଦିନରୁ ଏହି କାରବାର ଚଳାଉଥିଲା। ଯୁବପିଢ଼ି ଏବଂ ଧନୀ ବ୍ୟକ୍ତିମାନେ ତା’ର ନିୟମିତ ଗ୍ରାହକ ଥିଲେ। ଫୋନ୍‌ ଯୋଗେ ବ୍ରାଉନ୍‌ସୁଗାର ବରାଦ ହେଉଥିଲା। ରାଜୁ ଏବଂ ତା’ର ସହଯୋଗୀ ଠିକଣା ସ୍ଥାନରେ ବ୍ରାଉନ୍‌ସୁଗାର ପହଞ୍ଚାଇ ଦେଉଥିଲେ। ମାତ୍ର ୪-୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ପୁଡ଼ିଆକୁ ହଜାରେ ଟଙ୍କାରେ ସେ ବିକ୍ରି କରୁଥିଲା। ଫୋନ୍‌ ପେ' ଜରିଆରେ ପେମେଣ୍ଟ ଆସୁଥିଲା। ଏବେ ଅବକାରୀ ବିଭାଗ ରାଜୁର ଫୋନ୍‌ ପେ' ଆକାଉଣ୍ଟରୁ ତଥ୍ୟ ଗୋଟାଇବାକୁ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ  ଅଭିଯୁକ୍ତ ରାଜୁର ଫୋନ୍‌ ଏବଂ କଲ୍‌ ରେକର୍ଡ ଯାଂଚ କଲେ, ଏହି କାରବାରରେ ଥିବା ଅନ୍ୟ ମୁଣ୍ଡିଙ୍କ ଚେହେରା ମଧ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ପଦ୍ମପୁର ଇନ୍‌ସପେକ୍ଟର ସମରଜିତ ଦାଶ, ଇନ୍ସପେକ୍ଟର ଗୁପ୍ତେଶ୍ବର ପ୍ରଧାନ, ମୋବାଇଲ ଇନ୍ସପେକ୍ଟର ରଶ୍ମିତା ଲାକ୍ରା, ବରଗଡ଼ ଓଆଇସି ମୋହନ ପ୍ରଧାନ, ପଦ୍ମପୁର ଓଆଇସି ଏଚ୍‌. ଜଗା ରାଓ, ଅତାବିରା ଓଆଇସି ଆରତୀ ମିଞ୍ଜ ସମେତ ବିଭାଗୀୟ କର୍ମଚାରୀ ଚଢ଼ଉରେ ସାମିଲଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe