୨ଫୁଟିଆ ମୂଷା ନବରଙ୍ଗପୁର ମୁହାଁ, ମୂଷା ଦେଖି ଲୋକେ ଛାନିଆ

Advertisment
୨ଫୁଟିଆ ମୂଷା ନବରଙ୍ଗପୁର ମୁହାଁ, ମୂଷା ଦେଖି ଲୋକେ ଛାନିଆ

ତେନ୍ତୁଳିଖୁଣ୍ଟି: ତେଲେଙ୍ଗାନା ଅଞ୍ଚଳର ୨ ଫୁଟିଆ ମୁଷା ନବରଙ୍ଗପୁର ଜିଲ୍ଲା ମୁହାଁ ହୋଇଛନ୍ତି। ମୂଷାମାନଙ୍କ ଆକାର ବିରାଡି ସଦୃଶ୍ୟ ହୋଇଥିବା ବେଳେ ଏଭଳି ମୂଷାଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଲାଗିରହିଛି। ପୂର୍ବରୁ ନବରଙ୍ଗପୁର ଜିଲାରେ ଏତେ ବଡ଼ ଆକାର ମୂଷା ନଥିବା ଯୋଗୁଁ ମୂଷାଙ୍କ ଆକାରକୁ ନେଇଁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏଭଳି ବିରାଟ କାୟ ମୂଷା ଦଳ ତେଲେଙ୍ଗାନା ତଥା ବାହାର ରାଜ୍ୟରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପହଞ୍ଚିଥିବା ସାଧାରଣରେ ଆଲୋଚନା ହେଉଛି। ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ବ୍ୟବହାର ନିମନ୍ତେ ବାହାର ରାଜ୍ୟରୁ ଅଣାଯାଇଥିବା ପାଇପ ଯୋଗେ ମୂଷା ନବରଙ୍ଗପୁର ଜିଲ୍ଲାକୁ ଚାଲି ଆସିଥୁବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡାଠାରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି।
ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଣିକୁ ଏହି ପ୍ରକଳ୍ପ ଦ୍ୱାରା ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ଚାରିଆଡେ ଜୋରସୋରରେ କାର୍ଯ୍ୟ ଆରମ୍ଭ ହୋଇଛି। ଜଳ ଯୋଗାଣ ନିମନ୍ତେ ଚାରିଆଡେ ପାଇପ ବିଛେଇବା କାର୍ଯ୍ୟ ଚାଲିଛି। ଏଥିପାଇଁ ବାହାର ରାଜ୍ୟରୁ ପର୍ଯ୍ୟାପ୍ତ ପରିମାଣରେ ପାଇପ ଆସିଛି। ତେବେ ଏହି ପାଇପରେ ବିରାଟକାୟ ମୂଷାଗୁଡିକ ଚାଲି ଆସିଥିବା ଜଣାପଡିଛି ।

publive-image

ମୂଷା ଗୁଡାକର ଓଜନ ପ୍ରାୟ କିଲେ କି ଦେଡ଼ କିଲୋ ହେବ, ଏଭଳି ମୂଷା ଆମ ଜିଲ୍ଲା ପାଇଁ ସମ୍ପୂର୍ଣ୍ଣ ନୂଆ, ପ୍ରତ୍ୟେକ ଦିନ ଏଭଳି ମୂଷା ଲୋକଙ୍କ ଘରେ ଦେଖିବାକୁ ମିଳୁଛି। ପୂର୍ବରୁ ଏମିତି ଆକୃତିର ମୂଷା ଲୋକେ ଦେଖିନଥୁବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଦେଖା ଦେଇଛି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ବ୍ରିଡ଼ ମୂଷାଙ୍କ ବଂଶ ବିସ୍ତାର ହେଲେ ପରିସ୍ଥିତି ଅଣାୟତ୍ତ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛିଦିନ ହେଲା ତେନ୍ତୁଳିଖୁଣ୍ଟି ସଦର ମହକୁମା ସମେତ ଆଖ ପାଖ ଅଞ୍ଚଳରେ ପ୍ରତ୍ୟକ ଦିନ ଏହି ମୂଷା ନଜରକୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଚିନ୍ତାର ବିଷୟ ହୋଇଛି। ଲୋକଙ୍କ ଗୃହରେ ଏହି ବାହାର ରାଜ୍ୟ ମୂଷାଙ୍କ ବଂଶ ବିସ୍ତାର ହେଲେ ଅନେକ କ୍ଷତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଆଲୋଚନା ହେଉଛି।

ଗତ କିଛି ଦିନ ତଳେ ଏହି ବାହାର ରାଜ୍ୟ ମୂଷା ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଥିବା ବେଳେ କୁକୁରମାନେ ମୂଷାକୁ କାମୁଡି କାମୁଡି ମାରି ଦେଇଥିଲେ, ଉକ୍ତ ମୂଷାଟି ପ୍ରାୟ ଦେଡ଼ କିଲୋ ଓଜନ ହୋଇଥିବା ବେଳେ ମୂଷାର ଲମ୍ବ ପ୍ରାୟ ଦୁଇ ଫୁଟ ଲମ୍ବା ଥୁବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe