ଦ୍ବିତୀୟ ବ୍ରାହ୍ମଣୀ ସେତୁ: ମୁଖ୍ୟ ଶାସନ ସଚିବଙ୍କ କଥା ରଖିଲାନି ଏଚ୍‌ଏଚ୍‌ଏଆଇ

Advertisment

ଏଯାଏଁ ଖୋଲିଲାନି ସେତୁର ଗୋଟିଏ ପାର୍ଶ୍ବର ରାସ୍ତା

ଏଯାଏଁ ଖୋଲିଲାନି ସେତୁର ଗୋଟିଏ ପାର୍ଶ୍ବର ରାସ୍ତା

ଦ୍ବିତୀୟ ବ୍ରାହ୍ମଣୀ ସେତୁ: ମୁଖ୍ୟ ଶାସନ ସଚିବଙ୍କ କଥା ରଖିଲାନି ଏଚ୍‌ଏଚ୍‌ଏଆଇ

ରାଉରକେଲା: ବହୁ ପ୍ରତୀକ୍ଷିତ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ସେତୁ ନିର୍ଦ୍ଧାରିତ ସମୟ ଶେଷ ହେବ କି ନାହିଁ ସନ୍ଦେହ। ଏସବୁ ଭିତରେ ସେତୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଶ୍ରେୟ ରାଜନୀତି ଜୋର ଧରିଛି। ନିକଟରେ ଅର୍ଥାତ୍‌ ଗତ ୧୪ ମେ’ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅନ୍ୟ ବିଭାଗୀୟ ସଚିବ ରାଉରକେଲା ଗସ୍ତରେ ଆସିଥିଲେ। ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଦ୍ବିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ କରିବା ପରେ ମୁଖ୍ୟ ଶାସନ ଶ୍ରୀ ମହାପାତ୍ର ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଜନସାଧାରଣଙ୍କ ସୁବିଧା ପାଇଁ ମେ ଶେଷ ସୁଦ୍ଧା ସେତୁର ଗୋଟିଏ ପାର୍ଶ୍ବକୁ ଖୋଲି ଦିଆଯିବ ବୋଲି କହିଥିଲେ। ଜୁନ୍‌ ମାସ ଶେ‌ଷ ସୁଦ୍ଧା‌ ସେତୁର ୬ ଲେନ୍‌ କାର୍ଯ୍ୟ ଶେଷ ହୋଇଯିବ। ସେତୁ ସମ୍ପୂର୍ଣ୍ଣ ହେବା ପରେ ରାଉରକେଲା ସହରର ଦୈନନ୍ଦିନ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ସମାଧାନ ହୋଇପାରିବ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଅନ୍ୟ ବିଭାଗୀୟ ଅଧିକାରୀ। ବିଡମ୍ବନା, ମୁଖ୍ୟ ଶାସନ ସଚିବଙ୍କ କଥାକୁ ଏନ୍ଏଚ୍‌ଏଆଇ କର୍ତ୍ତୃପକ୍ଷ ରଖି ପାରିଲେ ନାହିଁ। ଆଜି ପର୍ଯ୍ୟନ୍ତ ନିର୍ମାଣଧୀନ ଦ୍ବିତୀୟ ବ୍ରାହ୍ମଣୀ ସେତୁର ଗୋଟିଏ ପାର୍ଶ୍ବ ‌ଖୋଲି ନାହିଁ। କେବେ ଖୋଲିବ ଏନ୍ଏଚ୍‌ଏଆଇ ବିଭାଗୀୟ ଅଧିକାରୀଙ୍କ ପାଖରେ ମଧ୍ୟ ସଠିକ୍‌ ଉତ୍ତର ନାହିଁ।

ତେବେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଉପଯୁକ୍ତ ସମନ୍ବୟ ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଯଦି ମୁଖ୍ୟଶାସନ ସଚିବଙ୍କ କଥା ରହୁ ନାହିଁ, ସାଧାରଣ ଲୋକଙ୍କୁ ଦାବିକୁ ଏନ୍‌ଏଚ୍‌ଏଆଇ କେତେ ଗୁରୁତ୍ବ ଦେଉଥିବ, ଏଥିରୁ ସ୍ପଷ୍ଟ ଅନୁମେୟ। ସେପଟେ ଆଜି ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ ନିର୍ମାଣଧୀନ ଦ୍ବିତୀୟ ବ୍ରାହ୍ମଣୀ ସେତୁ ସ୍ଥଳରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସହରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି କହିଥିଲେ। ଏସବୁ ଶ୍ରେୟ ରାଜନୀତି ଭିତରେ ବ୍ରାହ୍ମଣୀ ପୋଲରେ ଦୈନନ୍ଦିନ ଟ୍ରାଫିକ ସମସ୍ୟାକୁ ଯାନାବାହନ ଚାଳକ ଓ ସାଧାରଣ ଲୋକଙ୍କୁ ନୟାନ୍ତ କରୁଛି। ଦୈନନ୍ଦିନ ଘଣ୍ଟା ଘଣ୍ଟା ଜାମ୍‌ରେ ଲୋକେ ପଶି ରହୁଛନ୍ତି।

ଅନେକ ସମୟରେ ଜାମ୍‌ ଭିତରେ ଆମ୍ବୁଲାନ୍ସ ଫସି ରହୁଛି। ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ବ୍ରାହ୍ମଣୀ ସେତୁ ସହ ୧୭୨ କି.ମି. ରାସ୍ତା ସମ୍ପ୍ରସାରଣ, ମରାମତିରେ ଖର୍ଚ୍ଚ ମୋଟ ୧୧୨୪ କୋଟି ହେବ। ବୀରମିତ୍ରପୁରରୁ ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଏବଂ ରାଜାମୁଣ୍ଡାରୁ ବାରକୋଟ୍ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ କୋଇଡା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବୀରମିତ୍ରପୁରରୁ ପାନପୋଷ ଏବଂ ପାନପୋଷରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ସଂସ୍ଥାକୁ ସମ୍ପ୍ରସାରଣ ଓ ମରାମତି କାମ ଦିଆଯାଇଛି।

ସେପଟେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ଜୀବନରେଖା କୁହାଯାଉଥିବା ୫୦ ଦଶକର ବ୍ରାହ୍ମଣୀ ସେତୁ ଶେଷ ନିଶ୍ବାସ ଗଣୁଛି। ବାରମ୍ବାର ମରାମତି ଯୋଗୁଁ ଅନେକ ସମୟରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍‌ ରହୁଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାରପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ବାଗତ କରିଥିଲେ। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe