ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ: ୫୩୧ ସ୍କୁଲ ଲୋକାର୍ପିତ

Advertisment
ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ: ୫୩୧ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର : ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ବରଂ ମାନସିକତା ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳକୁଦ ପରି କ୍ରିଏଟିଭ୍‌ ବିକାଶ ପାଇଁ ସୁଯୋଗ ଆଣିଛି। ଆମ ପରି ପିଲାଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରିବାରେ ବିଶେଷ ସହାୟକ ହୋଇଛି ବୋଲି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟ ଦ୍ବିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଛାତ୍ରଛାତ୍ରୀ ଏହା କହିଛନ୍ତି। ସେମାନେ ସ୍କୁଲ ରୂପାନ୍ତରରେ ଖୁସି ହେବା ସହ ନିଜର ଭବିଷ୍ୟତକୁ ନେଇ ଅଧିକ ଆତ୍ମବିଶ୍ବାସର ସହ ଭାବନାକୁ ପ୍ରକାଶ କରିଛନ୍ତି। ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ, ଗଞ୍ଜାମରୁ ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହଁର, ନବରଙ୍ଗପୁରରୁ ଜୁଇସ ସୁନା ଓ ଅନୁଗୁଳରୁ ବିଷ୍ଣୁ ପ୍ରସାଦ ଚଇନି ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୫୩୧ଟି ସ୍କୁଲକୁ ଲୋକାର୍ପିତ କରିବା ସହ ଉଦ୍‌ବୋଧନ ଦେଇ କହିଲେ, ପ୍ରତି ପିଲା ହେଉଛନ୍ତି ସ୍ବତନ୍ତ୍ର। ସେମାନଙ୍କ ଭିତରେ ବିପୁଳ ସମ୍ଭାବନା ଭରି ରହିଛି। ଆଖିରେ ସୁନ୍ଦର ଭବିଷ୍ୟତର ସ୍ବପ୍ନ ରହିଛି। ସ୍କୁଲ ରୂପାନ୍ତର ସେମାନଙ୍କ ସ୍ବପ୍ନରେ ଡେଣା ଯୋଡ଼ି ପାରିଛି। ନୂଆ ସୁଯୋଗ ଆଣିଛି। ନିଜର ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବେ ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଅଙ୍ଗଦ କହଁର, ମନୋହର ରନ୍ଧାରୀ ପ୍ରମୁଖ ଅଂଶଗ୍ରହଣ କରି ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ନବରଙ୍ଗପୁରର ଛାତ୍ରୀ ଜୁଇସ ସୁନା ଛାତ୍ରଛାତ୍ରୀଙ୍କ ଗମନାଗମନ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ପିଲାଙ୍କ ସୁବିଧା ପାଇଁ ଅଧିକ ହଷ୍ଟେଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ କେ.କେ ମୀନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସ୍‌ସି ଓ ଏସ୍‌ଟି ଉନ୍ନ୍ରୟନ ସଚିବ ରଞ୍ଜନା ଚୋପ୍ରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe