ପୁରୀ: ରଥଯାତ୍ରା-୨୦୧୯ ପାଇଁ ଦ୍ୱିତୀୟ ସମନ୍ଵୟ ବୈଠକରେ ନୀଳାଦ୍ରି ଭକ୍ତ ନିକେତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରଥ ନିର୍ମାଣ, ରଥ ଦଉଡ଼ି ଯୋଗାଣ, ନୀତିକାନ୍ତି, ସେବାପୂଜାରେ ଶୃଙ୍ଖଳା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ବୈଠକରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅଧ୍ୟକ୍ଷତା କରିଛନ୍ତି।
ରଥଯାତ୍ରା ପୂର୍ବରୁ ପୁରୀରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କିଭଳି ସୂଚାରୁ ରୂପେ ପରିଚାଳନା କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଏତଦ୍ ବ୍ୟତୀତ ଡ୍ରେନେଜ ଓ ସ୍ୱରେଜ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ସଫାଇ, ଖାଦ୍ୟ ପଦାର୍ଥ ସୁରକ୍ଷା ଯାଞ୍ଚ, ପାନୀୟ ଜଳ ବ୍ୟବସ୍ଥା, ଯୋଗାଯୋଗ, ରେଳ ଚଳାଚଳ ଉପରେ ମଧ୍ୟ ଆଲୋଚନା ହୋଇଛି।
ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରି ଦିଆଯିବ। ବାତ୍ୟା ଯୋଗୁଁ ବହୁ ସ୍ଥାନରେ ସିସିଟିଭି ଗୁଡ଼ିକ ଭାଙ୍ଗି ଯାଇଥିବାରୁ ମରାମତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ଆଲୋଚନା ହୋଇଛି।
ସୂଚନାଯୋଗ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଗାମୀ ଜୁଲାଇ ୪ରେ ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଏହି ଲୋକପ୍ରିୟ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଲାଗି ପଡ଼ିଛନ୍ତି।
Follow Us