ସାଢ଼େ ୩ ବର୍ଷ ଶିଶୁର ମୃତ୍ୟୁକାଳୀନ ସହାୟତା ପାଇଁ ଲାଞ୍ଚ: ଭିଜିଲାନ୍ସ ହାତରେ ଗିରଫ ହେଲେ ରାଜସ୍ବ ନିରୀକ୍ଷିକା

ସାଢ଼େ ୩ ବର୍ଷ ଶିଶୁର ମୃତ୍ୟୁକାଳୀନ ସହାୟତା ପାଇଁ ଲାଞ୍ଚ: ଭିଜିଲାନ୍ସ ହାତରେ ଗିରଫ ହେଲେ ରାଜସ୍ବ ନିରୀକ୍ଷିକା

ବାଲେଶ୍ବର: ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ ରିପୋର୍ଟ ଦେବାପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ବର ସଦର ବ୍ଳକ ବଇଞ୍ଚା ରାଜସ୍ବ ନିରୀକ୍ଷିକା ଡଲି ସେଠୀ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ କାର୍ଯ୍ୟାଳୟକୁ ସିଲ୍ କରିଛି। ୨୦୨୨ ଏପ୍ରିଲ ୧୨ ତାରିଖରେ ବଇଁଚା ପଞ୍ଚାୟତ ନିଶ୍ଚିନ୍ଦା ଗ୍ରାମର ଦୀନବନ୍ଧୁ ବେହେରାଙ୍କ ସାଢେ଼ ୩ ବର୍ଷର ପୁଅର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଦୀନବନ୍ଧୁ ବଇଞ୍ଚା ରାଜସ୍ବ ନିରୀକ୍ଷିକା (ଆରଆଇ) ଶ୍ରୀମତୀ ସେଠୀଙ୍କ ନିକଟକୁ ଯାଇଥିଲେ। ମୃତ୍ୟୁକାଳୀନ ସହାୟତା ରିପୋର୍ଟ ବାବଦରେ ଶ୍ରୀମତୀ ସେଠୀ ୩୦ ହଜାର ଟଙ୍କା ଦାବି କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେଇ ପାରିବେନି ବୋଲି ଦୀନବନ୍ଧୁ ବାରମ୍ବାର ଅନୁରୋଧ କରିବାସତ୍ତ୍ବେ କିଛି ଶୁଣିନଥିଲେ ରାଜସ୍ବ ନିରୀକ୍ଷିକା। ଫଳରେ, ବାଧ୍ୟହୋଇ ଦୀନବନ୍ଧୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ମୁତାବକ ଦୀନବନ୍ଧୁ ଆଜି ୧୦ ହଜାର ଟଙ୍କା ଧରି ଆର୍‌ଆଇଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଶ୍ରୀମତୀ ସେଠୀଙ୍କୁ ଟଙ୍କା ଦେବାସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ପରେ ରାଜସ୍ବ ନିରୀକ୍ଷିକାଙ୍କ ଚାନ୍ଦିପୁର ନୂଆନଈସ୍ଥିତ ବାସଭବନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ନଗଦ ୪୫ ହଜାର ଟଙ୍କା, ୧୮ ଲକ୍ଷ ଟଙ୍କା ବ୍ୟୟରେ ସେ କିଣିଥିବା ୫ଟି ପ୍ଲଟ୍‌ର କାଗଜପତ୍ର ଓ ସୁନାଗହଣା ଜବତ କରାଯାଇଛି। ଏ ନେଇ କେସ୍ ନଂ ୨୧/୨୨ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି। ପ୍ରକାଶଥାଉକି, ଶ୍ରୀମତୀ ସେଠୀ ୮ ବର୍ଷ ତଳେ ଚାକିରିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe