ଦୁଇ ପୁତୁରା ଓ ପିଉସା ଗିରଫ, ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର

କନ୍ଧମାଳରୁ ନୟାଗଡ଼ ନାବାଳିକାଙ୍କ ଶବ ମିଳିବା ଘଟଣା

ଦୁଇ ପୁତୁରା ଓ ପିଉସା ଗିରଫ, ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମର ନାବାଳିକା ମୃତ୍ୟୁ ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଏହି ଘଟଣାରେ ବ୍ୟବହୃତ ହୋଇଥିବା କାରକୁ ମଧ୍ୟ ଜବତ କରିଛି। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର ଥିବା ଜଣାପଡିଛି।

ସୂଚନା ମୁତାବକ, ସୋରଡା ଗ୍ରାମର ବିପ୍ର ନାୟକଙ୍କ ଝିଅ ତୁଳସୀ ନାୟକ (୧୭)। ୩ ଦିନ ତଳେ ତୁଳସୀ ଘରେ ନଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଘଟଣା ବିଷୟରେ ବୁଝିବା ପାଇଁ ୨ ଜଣଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ନେଇ ପୁଲିସ ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲା। ମୃତ୍ୟୁ ପରେ ଶବଦାହ ନକରି ନାବାଳିକାର ଶବ କେଉଁଆଡେ ଗଲା ବୋଲି ପଚାରିବାରେ ଶବକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ତିକିଆ ପଂଚାୟତର ଜାକେ ଛକ ଠାରୁ ୨ କିଲୋମିଟର ଦୂର କାରାଡା ଜଙ୍ଗଲରେ ପୋତିଥିବା ନେଇ ଅଟକ ଥିବା ବ୍ୟକ୍ତି ସ୍ବୀକାର କରିଥିଲେ। ଯାହାକୁ ନେଇ ପୁଲିସ ତଦନ୍ତ ଆଗେଇଥିଲା। ପରେ କାରାଡା ଜଙ୍ଗଲରେ ପହଂଚି ସେଠାରୁ ଶବକୁ ଉଦ୍ଧାର କରିବା ସହ ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ପୁଲିସର ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଥିଲା।

ନାବାଳିକାର ମୃତ୍ୟ ପରେ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାର ବାପା ବିପ୍ର ନାୟକ ପୁତୁରା ବିକାଶ କୁମାର ନାୟକ, ଚିନ୍ମୟ ନାୟକ ଓ ଝିଅର ପିଉସା ପତିତପାବନ ପ୍ରଧାନର ସହଯୋଗ ଲୋଡିଥିଲା। ପତିତପାବନ ସହଯୋଗ କରିବା ସହ ନିଜର କାର ଯୋଗାଇ ଦେଇଥିଲା। ପରେ ଚାରିଜଣ ମିଶି ମୃତ ଶରୀରକୁ ନେଇ କାର (ଓଡି ୦୨ ବିଏକ୍ସ ୨୯୮୬) ଯୋଗେ କାରାଡା ଜଙ୍ଗଲରେ ପହଂଚିଥିଲେ। ନାବାଳିକାର ବାପା ଗାଡି ଚଲାଉ ଥିବା ବେଳେ ମୃତ ଶରୀରକୁ କାରର ପଛ ସିଟରେ ବସାଇଥିଲେ। ନାବାଳିକାର ବାପା ପୂର୍ବରୁ ଏହି ଅଂଚଳରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ହେତୁ ଏହି ଅଂଚଳ ବାବଦରେ ସେ ଅବଗତ ରହିଥିଲା। କାମ କରିବା ସମୟରେ ବିଭିନ୍ନ ଲୋକଙ୍କ ସମ୍ପର୍ଶରେ ଆସିଥିବା ହେତୁ ସେହି ଅଂଚଳରେ ପହଂଚିବା ପରେ ବିପ୍ରକୁ କେହି ସନ୍ଦେହ କରିନଥିଲେ। ଯାହାଦ୍ବାରା ଏହାର ଫାଇଦା ଉଠାଇ ଝିଅର ଶବକୁ ନେଇ ଜଙ୍ଗଲରେ ପୋତିବାରେ ସେମାନଙ୍କୁ କୌଣସି ଅସୁବିଧା ହୋଇନଥିଲା।

ଏହି ଘଟଣାରେ ବିକାଶ କୁମାର ନାୟକ, ଚିନ୍ମୟ ନାୟକ, ପତିତପାବନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଝିଅର ବାପା ବିପ୍ର ନାୟକ ଫେରାର ରହିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସହ ନାବାଳିକାର ବାପା ଗିରଫ ହେବା ପରେ ଯାଇ ସମସ୍ତ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe