The Guardian Nigeria
ଯୋଡ଼ା: ଯୋଡ଼ା ସହରର ଗୋପ ମହାନ୍ତି କଲୋନିରେ ଗୁଣି ସନ୍ଦେହରେ ପରିବାର ଲୋକଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ୩ ଜଣକୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ତେଜ ବାହାଦୁର, ତାଙ୍କ ବଡ ଭାଇ ବିଜୟ ବାହାଦୁର, ପୁତୁରା ରାହୁଲ ବାହାଦୁର।
କଲୋନୀର ତେଜ ବାହାଦୁରଙ୍କ ମଝିଆ ଭାଇଙ୍କ ପୁଅ ଗତବର୍ଷ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ସୁସ୍ଥ କରିଥିଲେ। ମାସେ ହେଲା ତାଙ୍କ ବଡ଼ ଭାଇ ବିଜୟ ବାହାଦୁରଙ୍କ ପତ୍ନୀ ଅସୁସ୍ଥ ଅଛନ୍ତି। ତାଙ୍କୁ ଚିକିତ୍ସା କରିବା ପରେ ଭଲ ହେଉ ନ ଥିଲେ। ସୁଷମା ଗିରି ନାମ୍ନୀ ମହିଳା ଗୁଣି କରି ତାଙ୍କ ପରିବାର ଲୋକଙ୍କୁ ଅସୁସ୍ଥ କରୁଥିବା ଅଭିଯୋଗ କରି ଆସୁଥିଲେ। ଏହାକୁ କେନ୍ଦ୍ର କରି ପୂର୍ବରୁ ତେଜ ବାହାଦୁରଙ୍କ ପରିବାର ଲୋକେ ସୁଷମା ଗିରି ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ତେଜ ବାହାଦୁର, ତାଙ୍କ ବଡ ଭାଇ ବିଜୟ ବାହାଦୁର, ପୁତୁରା ରାହୁଲ ବାହାଦୁର ଏବଂ ତାଙ୍କର କିଛି ସମର୍ଥକ ସୁଷମାଙ୍କ ଘରକୁ ଯାଇ ସେ ଅନୁପସ୍ଥିତ ଥିବା ବେଳେ ବାତ ରୋଗରେ ଆକ୍ରାନ୍ତ ତାଙ୍କ ସ୍ବାମୀ ସୁରେନ୍ ଗିରିଙ୍କୁ ଟେକି ନେଇ କଚାଡି ଦେଇଥିଲେ। ସୁଷମାଙ୍କ ପୁଅ କଣ୍ଠ ଗିରିଙ୍କୁ ପ୍ରବଳ ମାଡ଼ ମାରିଥିଲେ। ବୋହୂ ମୀନା ଗିରି ଓ ନିକଟରେ ଥିବା ଆଉ ଜଣେ ମହିଳା, ସୁଷମାଙ୍କ ଶାଶୂ ନେତ ଗିରିକୁ ମଧ୍ୟ ସେମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଟଣାଓଟରା କରି ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ସୁଷମା ଥାନାରେ ଅଭିଯୋଗ କରିବା ପରେ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଯୋଡ଼ା ପୁଲିସ କେସ ନଂ ୨୧୧ଦଫା ୩୪୧/୪୪୮/୨୯୪/୩୨୩/୩୫୪/୫୦୬/୩୪ଆଇ ପିସି, ଆର୍.ଡବ୍ଲ୍ୟୁ ସେକ୍ସନ (୧) ଦି ଓଡ଼ିଶା ପ୍ରିଭେନସନ ୱିଚ ହଣ୍ଟିଂ ଆକ୍ଟ ୨୦୧୩ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି।
Follow Us