India Today
ନରସିଂହପୁର : କାନପୁର ଥାନା ଅନ୍ତର୍ଗତ କଟକ-ନରସିଂହପୁର ମୁଖ୍ୟରାସ୍ତାର ବାଘଧରିଆ ଛକ ନିକଟରେ ବନ୍ଧୁକ ମୁନରେ ଡକାୟତି ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ବାଇକ୍ ଆରୋହୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସୁନାଚେନ, ବ୍ରେସଲେଟ ଓ ବୁଲେଟ୍ ବାଇକ୍ ଲୁଟି ନେଇଛନ୍ତି। ଏହି ଘଟଣାରେ ପୁଲିସ୍ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ପୁଲିସ ନିକଟରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପାଇକବାରବାଟୀ ଗ୍ରାମର ଗିରିଧାରୀ ଭୋଳ ନିଜ ବୁଲେଟ୍ରେ ନରସିଂହପୁର ଯାଉଥିଲେ। ବାଘଧରିଆ ଛକରୁ ଅଳ୍ପ ଦୂର ଏକ ନିଛାଟିଆ ସ୍ଥାନରେ ଲୁଚି ରହିଥିବା ତିନିଜଣ ଦୁର୍ବୃତ୍ତ ହଠାତ୍ ରାସ୍ତା ଉପରକୁ ବାହାରି ଆସି ଗିରିଧାରୀକୁ ଅଟକାଇଥିଲେ। ସେମାନେ ଗିରିଧାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ପିନ୍ଧିଥିବା ସୁନାଚେନ, ବ୍ରେସ୍ଲେଟ୍, ମନିପର୍ସ ଓ ବାଇକ୍ ଛଡ଼ାଇ ପଳାଇ ଯାଇଥିଲେ। ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଗିରିଧାରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ପରେ ପରିବାର ଲୋକଙ୍କ ସହାୟତାରେ ଗିରିଧାରୀ ଘଟଣା ସମ୍ପର୍କରେ କାନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା (କେସ୍ ନମ୍ବର-୩୯/୧୯) ରୁଜୁ କରି ପୁଲିସ୍ ତନାଘନା ତଦନ୍ତ କରିବା ସହ ନରସିଂହପୁର ପୁଲିସ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ବିଳମ୍ବିତ ରାତିରେ ତିନିଜଣ ଅଭିଯୁକ୍ତ ନରସିଂହପୁର ଥାନା ଅନ୍ତର୍ଗତ ଅଲରା ଗ୍ରାମର ବିଘ୍ନ ନାୟକ (୨୮), ବିଜୁ ନାୟକ(୩୦) ଓ ଲେମ୍ବୋ ଗ୍ରାମର ସଞ୍ଜୟ ବେହେରା(୩୮)ଙ୍କୁ ଗିରଫ କରାଯିବା ସହ ବାଇକ୍ ଓ ସୁନା ଚେନ୍ ଜବତ କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ତେବେ ଲୁଟ୍ ହୋଇଥିବା ବ୍ରେସ୍ଲେଟ୍ ସେମାନଙ୍କ ନିକଟରୁ ମିଳିପାରି ନାହିଁ। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଏହି ଘଟଣା ଘଟାଇଥିବା ସ୍ବୀକାର କରିଛନ୍ତି ବୋଲି କାନପୁର ଥାନାଧିକାରୀ ସସ୍ମିତା ରଣା ପ୍ରକାଶ କରିଛନ୍ତି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାଯାଇଛି।
Follow Us