ନାଗାକୁ ଗାଁ ଦାଣ୍ଡରେ ହାଣିଦେଲେ; ୩ ଗିରଫ, ନାବାଳକ ସୁଧାର ଗୃହ ଗଲା

Advertisment

ଗାଁରେ ଅଶାନ୍ତି ସୃଷ୍ଟି ପାଇଁ ଲୋକେ ଅତିଷ୍ଠ ଥିଲେ

ଗାଁରେ ଅଶାନ୍ତି ସୃଷ୍ଟି ପାଇଁ ଲୋକେ ଅତିଷ୍ଠ ଥିଲେ

ମଦ ପାଇଁ ଟଙ୍କା ନଦେବାରୁ ବାପାକୁ ହତ୍ୟା

Times of India

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ପୂର୍ବ ଶତ୍ରୁତା ଓ ଗଣ୍ଡଗୋଳକୁ ନେଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଓ ମୁଣ୍ଡକୁ ହାଣି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ଜଣକ ହେଉଛି ନାଗା ଓରଫ୍ ନାଗାର୍ଜୁନ ଗୌଡ଼ (୨୨)। ନାଗାକୁ ଗତକାଲି ରାତିରେ ଗାଁର ସାହି ମଝିରେ ଖଣ୍ଡା ଓ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ଜଣେ ନାବାଳକ ସମେତ ୪ ହତ୍ୟା ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ୩ ଜଣ ଅଭିଯୁକ୍ତ ପାଟଣା ସାହିର ବିକ୍ରମ ମିଶ୍ର, କୋଳି ସାହିର ଜୀବନ ଗୌଡ଼ ଓ ଶ୍ରୀଧର ବିଷୋୟୀକୁ ଗିରଫ କରା ଯାଇଥିବା ବେଳେ ଜଣେ ନାବାଳକକୁ ବ୍ରହ୍ମପୁର ସୁଧାର ଗୃହକୁ ପଠାଯାଇଛି।

ତଦନ୍ତରୁ ଜଣାପଡ଼ିଛି, ନୂଆ ସାହିର ନାଗା ଗୌଡ଼ ସେହି ଗ୍ରାମର ଲେମନ୍ ପରିଡ଼ା, ଆଦିତ୍ୟ ପ୍ରଧାନ ଓ କିଛି ନାବାଳକଙ୍କୁ ନେଇ ଗ୍ରାମରେ ଗଣ୍ଡଗୋଳରେ ଲିପ୍ତ ରହୁଥିଲା। ଗାଁରେ ନାଗା ନିଜ ଗ୍ୟାଙ୍ଗ୍ ସହ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଥିଲେ। ପୂର୍ବରୁ ୨ ହତ୍ୟା ଉଦ୍ୟମ ମାମଲାରେ ସେ ଗିରଫ ହୋଇ ଜାମିନରେ ଜେଲ୍‌ରୁ ମୁକୁଳିଥିଲା। ଗାଁରେ ଗ୍ୟାଙ୍ଗ୍‌କୁ ଧରି ପୁଣି ସମସ୍ତଙ୍କ ସହ ଗଣ୍ଡଗୋଳ ଆରମ୍ଭ କରିଥିଲା। ଗତକାଲି ନାଗା ତା'ର ଦଳର ୧୫ ଜଣ ସହଯୋଗୀଙ୍କୁ ନେଇ ପାଟଣା ସାହିସ୍ଥିତ ବିକ୍ରମର ଘରକୁ ଯାଇ ତାଙ୍କ ବାପା ରବୀନ୍ଦ୍ର ମିଶ୍ରଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ରବୀନ୍ଦ୍ରଙ୍କଠାରୁ ସୂଚନା ପାଇ ପୁଲିସ ଟିମ୍ ପହଞ୍ଚିବା ଦେଖି ନାଗା ତା'ର ପଲଟଣ ସହ ସେଠାରୁ ଚମ୍ପଟ୍ ମାରିଥିଲା।

ରାତି ପ୍ରାୟ ସାଢ଼େ ୯ଟାରେ ନାଗା ତା'ର ସହଯୋଗୀମାନଙ୍କ ସହ କୋଳି ସାହିକୁ ଆସିବା ପରେ ବିକ୍ରମ ସହ ବଚସା ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ରବୀନ୍ଦ୍ର, ଜୀବନ, ଶ୍ରୀଧର ଓ ଜଣେ ନାବାଳକ ସାହି ମଝିରେ ହିଁ ନାଗା ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଦେଇଥିଲେ। ଟାଙ୍ଗିଆ ଓ ଖଣ୍ଡାରେ ବାରମ୍ବାର ତା'ର ମୁଣ୍ଡକୁ ହାଣିବାରୁ ଖପୁରି ବାହାରି ପଡ଼ିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନାଗା ସେଠାରେ ହିଁ ପ୍ରାଣ ହରାଇଥିଲା। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଆରମ୍ଭ କରି ନାବାଳକ ସମେତ ୩ ଜଣ ଅଭିଯୁକ୍ତକୁ ଧରିଥିଲା। ମୃତକ ନାଗାର ଭାଇ ବାସୁ ଗୌଡ଼ଙ୍କ ଏତଲା କ୍ରମେ ମାମଲା ରୁଜୁ ସହ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଶ୍ରୀଧର ଓ ବିକ୍ରମର ଘରକୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଖଣ୍ଡା ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ନାଗାର ଶବ ଆସିକା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ତା'ର ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ବିକ୍ରମର ବାପା ରବୀନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ମାମଲାରେ ବାବୁଲୁ ସାହୁ, ପପୁନ ଗୌଡ଼, ଦୀପୁ ବେହେରା, ରବି ବେହେରାଙ୍କୁ ଗିରଫ କରା ଯାଇଥିବା ବେଳେ ସଂପୃକ୍ତ ନାବାଳକକୁ ସୁଧାର ଗୃହକୁ ପଠାଇଦିଆଯାଇଛି। ଅଭିଯୁକ୍ତ ମାନେ ସୁରତ ପଳାଇବାକୁ ଚେଷ୍ଟା କରୁଥିଲେ। ଅନ୍ୟ ୧୦ ଜଣ ଫେରାର୍ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe