ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ : ଚାନ୍ଦପୁର ଆଇଆଇସିଙ୍କ ନାମରେ ୩ଟି ମାମଲା

ଅଭିଯୋଗକାରିଣୀଙ୍କ ସ୍ୱାମୀକୁ ଉଠାଇନେଲେ

ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ : ଚାନ୍ଦପୁର ଆଇଆଇସିଙ୍କ ନାମରେ ୩ଟି ମାମଲା

prameyanews.com

ନୟାଗଡ଼ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଆଆଇସିଙ୍କ ନାମରେ ବିନା କାରଣରେ ଲୋକଙ୍କୁ ମାଡ଼ ମାରିବା, ଚାନ୍ଦା ମାଗିବା ଭଳି ଅଭିଯୋଗ ଆସିଛି। ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କ ଏଭଳି ଦବଙ୍ଗଗିରିର ଶିକାର ହୋଇ ୩ ଜଣ ବ୍ୟକ୍ତି ତାଙ୍କ ନାମରେ କୋର୍ଟରେ ମାମଲା କରିଛନ୍ତି। ୩ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

୩ ଅଭିଯୋଗକାରୀ ହେଲେ, ଫାଷ୍ଟଫୁଡ୍‌ ଦୋକାନ କରିଥିବା ଚାନ୍ଦପୁରର ସରୋଜ ସେଠୀ, ବେଣ୍ଟର ଚନ୍ଦ୍ରଭାନୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ। ‌ ତେବେ, କୋର୍ଟରେ ମାମଲା ହେବାପରେ ଆଇଆଇସି ଶ୍ରୀ ଦାସ ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରଭାନୁ ପ୍ରଧାନଙ୍କ ସ୍ବାମୀ ରଘୁନାଥ ପ୍ରଧାନଙ୍କୁ ଆଜି ରାତିରେ ଉଠାଇ ନେବା ସହିତ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଥିବା ଅଭିଯୋଗ ଆସିଛି। ଚନ୍ଦ୍ରଭାନୁ ଓ ରଘୁନାଥ ଚାନ୍ଦପୁରରେ ଫାଷ୍ଟଫୁଡ୍‌ ଦୋକାନ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆ‌ଇଆଇସିଙ୍କୁ ମାସିକ ଚାନ୍ଦା ନ ଦେବାରୁ ଗତ ୧୭ ତ‌ାରିଖରେ ଘରେ ପଶି ମାଡ଼ ମାରିଥିଲେ। ବେଣ୍ଟର ଜିତେନ୍ଦ୍ର କୁମାର ପ୍ରଧାନ ପୁଲିସ ନିର୍ଯାତନାର ଅଭିଯୋଗ ଆଣି ଜେଏମ୍‌ଏଫ୍‌ସି କୋର୍ଟ ରଣପୁରର ଦ୍ବାରସ୍ଥ ହୋଇଛନ୍ତି। ଗତ ୧୭ ତାରିଖରେ ଗାଁ’ ନିକଟରେ ବସିଥିବାବେ‌ଳେ ଆଇଆଇସି ସାଦା ପୋଷାକରେ ଆସି ପହଞ୍ଚିଥିଲେ। ଜିତେନ୍ଦ୍ର ଓ ତାଙ୍କ ସାଙ୍ଗସାଥୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମଦ ବିକ୍ରି କରୁଛ ବୋଲି ଧମକାଇଥିଲେ ଓ ମାଡ଼ ମାରିଥିଲେ। ମାସିକ ଚାନ୍ଦା ଦେବାକୁ ଦାବି କରି ଆ‌ଇଆଇସି ଏଭଳି କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିଭଳି ଫାଷ୍ଟଫୁଡ୍‌ ଦୋକାନୀ ସରୋଜ କୁମାର ସେଠୀ ଗତ ୨୦ ତାରିଖ ରାତି ୧୦ଟା ୩୦ରେ ଦୋକାନ ନିକଟରେ ବସିଥିବାବେଳେ ଆଇଆଇସି ସାଦା ପୋଷାକରେ ଆସି ଧମକାଇ ଥିଲେ। ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥି‌ଲେ ଏବଂ ଥାନାକୁ ଉଠାଇ ଆଣି ମାଡ଼ ମାରିଥିବା ଅଭିଯୋଗ ଆସିଛି। ଏ ବାବଦରେ ଆଇଆଇସି ଶ୍ରୀ ଦାଶଙ୍କ ପ୍ରତିକ୍ରିୟା ଜାଣିବା ଲାଗି ତାଙ୍କୁ ଫୋନ୍‌ କରାଯାଇଥିବାବେ‌ଳେ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe