ଉମରକୋଟ : ତେଲନଦୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ

Advertisment
ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ତୋହରା ପଞ୍ଚାୟତ କଟଲଡ଼ିଗି ଗାଁର ୩ଜଣ ଶିଶୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଶୋକରେ ବୁଡ଼ିଛି ପୂରା ପରିବାର। ମୃତ ଶିଶୁଙ୍କ ବୟସ ୫ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

ତେଲନଦୀ କୂଳରେ ରହିଛି କଟଲଡ଼ିଗି ଗାଁ। ଗାଁରେ ବସବାସ କରୁଥିବା ୬୯ ପରିବାର ନଦୀ ଉପରେ ହିଁ ନିତ୍ୟକର୍ମ ପାଇଁ ନିର୍ଭର କରୁଛନ୍ତି। ଆଜି ସକାଳେ ଗାଁର ଅଧିକାଂଶ ପରିବାର ଜମିକୁ କାମରେ ଯାଇଥିବା ବେଳେ ଘରେ ଛୋଟ ଛୁଆଙ୍କୁ ଛାଡ଼ି ଯାଇଥିଲେ। ‌ଦିନ ପ୍ରାୟ ୧୧ଟାରେ ଅମି ସାନ୍ତାଙ୍କ ୪ବର୍ଷର ଝିଅ ରଶ୍ମିତା, ରଘୁରାମ ସାନ୍ତାଙ୍କ ସାଢ଼େ ୪ବର୍ଷର ଝିଅ ଶାନ୍ତି ଏବଂ ବୃଦ୍ଧା ସାନ୍ତାଙ୍କ ୩ବର୍ଷ ୯ମାସର ପୁଅ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ସହ ଗାଁର ଜଣେ ୬ବର୍ଷର ଝିଅ ମଧ୍ୟ କାଖରେ ଆଉ ଜଣେ ଶିଶୁକୁ ଧରିଯାଇଥିଲା। ବର୍ଷା ଲାଗି ରହିଥିବାରୁ ନଦୀର ଜଳପତ୍ତନ ଅସ୍ବାଭାବିକ ଭାବେ ବଢ଼ି ଯାଇଥିଲା। ଏନେଇ ଆଦୌ କିଛି ଜାଣି ନଥିବା ରଶ୍ମିତା, ଶାନ୍ତି ଏବଂ ରଘୁରାମ ନଦୀରେ ପଶି ଯାଇଥିଲେ। ଗଭୀର ଜଳରୁ ବାହାରିବା ପାଇଁ ପ୍ରୟାସ କରି ଛଟପଟ ହୋଇଥିଲେ ହେଁ ବାହାରି ପାରି ନ ଥିଲେ। ଉବୁଟୁବୁ ହୋଇ ସେମାନେ ପ୍ରାଣ ବିକଳରେ ସହାୟତା ପାଇଁ ଡାକ ପକାଇଥିଲେ। ଛୋଟ ଛୁଆକୁ ଧରି କୂଅରେ ଥିବା ୬ବର୍ଷର ଝିଅ ଏହି ଦୃଶ୍ୟ ଦେଖିବା ପରେ ଗାଁକୁ ଦୌଡ଼ି ଯାଇ ସହାୟତା ପାଇଁ ହୁରି ପକାଇଥିଲା। ଗ୍ରାମବାସୀଙ୍କ ସହ ଶିଶୁ ମାନଙ୍କର ବାପା, ମା’ ନଦୀ ନିକଟକୁ ଆସିଥିଲେ। ବୁଡ଼ି ଯାଇଥିବା ଶିଶୁଙ୍କୁ ପାଣିରୁ ବାହାର କରିବାବେଳକୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଦୁଃଖଦ ଘଟଣା ପରେ ଗାଁ ଦାଣ୍ଡ ବୁକୁଫଟା କାନ୍ଦରେ ଥରି ଯାଇଥିଲା। ସୂଚନା ପାଇ ଉମରକୋଟରୁ ଦମକଳ ଗାଡ଼ି ଏବଂ ଉମରକୋଟ ଥାନାରୁ ଏସ୍‌ଆଇ ପ୍ରଶାନ୍ତ କୁମାର ସେଠୀ, ରବି ପ୍ରଧାନ ଓ ପ୍ରମୋଦ କୁମାର ଖଣ୍ଡୁଆଳ ପ୍ରମୁଖ ଗାଁରେ ପହଞ୍ଚିଥିଲେ। ଶବ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ଉମରକୋଟ ଡାକ୍ତରଖାନାକୁ ପଠାଇଥିଲା। ଅପରାହ୍ନରେ ଶବ ହସ୍ତାନ୍ତର ପରେ ଶୋକାକୁଳ ପରିବେଶରେ ସମସ୍ତଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe