ହାଟଡିହି: ଆନନ୍ଦପୁର-କରଞ୍ଜିଆ ରାସ୍ତାର କୋଡ଼ପଡ଼ା ନିକଟରେ ହୋଇଥିବା ଅଟୋ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପ୍ରାଣ ହରାଇଥିବା ୩ଜଣଙ୍କ ମୃତଦେହ ଆଜି ଏକ ଶୋକାକୁଳ ପରିବେଶରେ ସମୂହ ସଂସ୍କାର କରାଯାଇଛି। ଆଜି ମଧ୍ୟାହ୍ନରେ ମରଶରୀର ଗୁଡ଼ିକ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ହେବା ପରେ ଗାଁକୁ ଅଣାଯାଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ହାବଳେଶ୍ୱର ପଞ୍ଚାୟତ ସରପଞ୍ଚ ରମାକାନ୍ତ ନାୟକ, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି, ଅଭିଜିତ ନାୟକ, ସରୋଜ ତରେଇ, ସୁକାନ୍ତ ସେନାପତି, ପ୍ରତାପ ସେନାପତି, ବଳରାମ ମୁଣ୍ଡା, ଅଭିରାମ ମୁଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତକାଲି ଜାବିନିପୁର ଗ୍ରାମର ଟୁକୁନା ମୁଣ୍ଡା, ଆଖି ମୁଣ୍ଡା, ସନା ମୁଣ୍ଡା ଓ ସୋମବାରୀ ମୁଣ୍ଡା ଏକ ଅଟୋରେ ସାତକୋଶିଆ ହାଟକୁ ଜିନିଷପତ୍ର କିଣିବାକୁ ଯାଇଥିଲେ। ଫେରିବା ବେଳେ କୋଡ଼ପଡ଼ା ନିକଟରେ ଏକ ଚିପ୍ସ ବୋଝେଇ ହାଇୱା ଧକ୍କା ଦେବାରୁ ଟୁକୁନା, ଆଖି ଓ ସନାଙ୍କ ମୃତ୍ୟୁ ଘଟିଥିଲା। ସୋମବାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Follow Us