Shutterstock
ହାଟଡିହି/ଚମ୍ପୁଆ : କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଚମ୍ପୁଆ ବ୍ଲକ୍ର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି।
ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ସମଣା ପଞ୍ଚାୟତ ବହାରିପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗ୍ରାମର ନୃସିଂହ ଜେନା (୫୦) ଓ କାହ୍ନୁ ଜେନା (୪୮)। ଉଭୟ ବିଲରେ କାମ କରୁଥିବା ବେଳେ ଦିନ ପ୍ରାୟ ଗୋଟାଏ ବେଳେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ପାଖ ବିଲରେ କାମ କରୁଥିବା ଲୋକମାନେ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ। ପରେ ଉଭୟଙ୍କ ମୃତଦେହକୁ ଆନନ୍ଦପୁର ଡାକ୍ତରଖାନା ପଠାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଚମ୍ପୁଆ ଥାନା ଅଧୀନ ରରୁଆଁଗୋଡ଼ା ଗ୍ରାମର ଯତୀନ୍ଦ୍ର ମହାନ୍ତ (୪୫) ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭଣ୍ଡା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗ୍ରାମର ଅନ୍ୟ ଏକ ସ୍ଥାନରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ମାଗୁଣି ନାଏକଙ୍କ ସ୍ତ୍ରୀ କୁନି ନାଏକ। ତାଙ୍କୁ ମଧ୍ୟ ଭଣ୍ଡା ଡାକ୍ତରଖାନା ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହିପରି ବ୍ରହ୍ମପୁର କରଞ୍ଜିଆ ଶିଶୁମନ୍ଦିରର ନବମ ଶ୍ରେଣୀର ଦୁଇଜଣ ଛାତ୍ରୀ ବଜ୍ରପାତରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଉଭୟଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Follow Us