ବରଗଡ଼/ଥୁଆପାଲି: ବରଗଡ଼ ଜିଲ୍ଲାରେ ସାପ କାମୁଡ଼ାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୋହେଲା ବ୍ଲକ୍ ବାଇପାଲି ନିବାସୀ କ୍ଷୀରୋଦ୍ର ପଧାନଙ୍କ ପତ୍ନୀ ସୁନିତା ପଧାନ (୩୬), ପୁଅ ପିୟୁଷ (୭) ଏବଂ ଭେଡ଼େନ ଥାନା ଅନ୍ତର୍ଗତ ଡାଲବ ପଞ୍ଚାୟତ ପାପପାଲି ଗଁାର ଜୟନ୍ତୀ ପୋଢ଼ (୪୮) ସାପ ଦଂଶନରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ରାତିରେ ସୁନିତା ଓ ପିୟୁଷ ଶୋଇଥିବା ବେଳେ ବିଷାକ୍ତ ସାପ ଉଭୟଙ୍କୁ କାମୁଡ଼ି ଥିଲା। ଗୁରୁତର ଅବସ୍ଥାରେ ମା’-ପୁଅଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଉଭୟଙ୍କୁ ବୁର୍ଲା ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ଶବ ଗାଁକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ପାପପାଲି ଗଁାର ଜୟନ୍ତୀ ସକାଳ ୭ଟା ସମୟରେ ଗାଧୋଇ ସାରି ନିଜ ଘରେ ଶାଢ଼ି ପିନ୍ଧୁଥିବା ବେଳେ ଏକ ନାଗ ସାପ କାମୁଡ଼ି ଦେଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ପରିବାରଲୋକେ ତାଙ୍କୁ ପ୍ରଥମେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବେଚ୍ଛଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କର ୪ ପୁଅଝିଅ ଅଛନ୍ତି।
Follow Us