Times of India
ଭୁବନେଶ୍ୱର : ରାଜ୍ୟରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୩ଟି ଜିଲ୍ଲାକୁ ବ୍ରୋଞ୍ଜ ସାର୍ଟିଫିକେଟ୍ ମିଳିବ। ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ଏହି ସାର୍ଟିଫିକେଟ୍ ପ୍ରଦାନ ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଆସନ୍ତାକାଲି ବିଶ୍ବ ଯକ୍ଷ୍ମା ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ, ୨୦୧୫ ମସିହାରେ ଯେଉଁ ରାଜ୍ୟ/ଜିଲ୍ଲାରେ ଯେତିକି ସଂଖ୍ୟକ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଥିଲେ ତାହାର ପରବର୍ତୀ ବର୍ଷଗୁଡ଼ିକରେ ଯଦି ଏଥିରେ ୨୦ ପ୍ରତିଶତ ହ୍ରାସ ଘଟେ ତାହାଲେ ସଂପୃକ୍ତ ରାଜ୍ୟ କିମ୍ବା ଜିଲ୍ଲାକୁ ବ୍ରୋଞ୍ଜ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ୪୦ ପ୍ରତିଶତ ହ୍ରାସ ପାଇଁ ସିଲଭର, ୬୦ ପ୍ରତିଶତ ପାଇଁ ଗୋଲ୍ଡ ଓ ୮୦ ପ୍ରତିଶତ ହ୍ରାସ ପାଇଲେ ତାହାକୁ ଯକ୍ଷ୍ମା ନିରାକରଣ ରାଜ୍ୟ/ଜିଲ୍ଲା ବୋଲି ବିବେଚନା କରାଯିବ। ଯକ୍ଷ୍ମା ରୋଗର ଠିକ୍ ଚିହ୍ନଟ ପାଇଁ ସିବିନାଟ୍ ଓ ଟ୍ରୁନାଟ୍ ମେସିନ୍ର ବିଶେଷ ଆବଶ୍ୟକତା ରହିଛି। ଜିଲ୍ଲାସ୍ତରରେ ଏବେ ସିବିନାଟ୍ ମେସିନ୍ ଲାଗି ଥିବା ବେଳେ ଆଗକୁ ବ୍ଲକ୍ ସ୍ତରରେ ଟ୍ରୁନାଟ୍ ମେସିନ୍ ଲଗାଇବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଅପରପକ୍ଷରେ ୨୦୨୦ ମସିହାରେ ରାଜ୍ୟରେ ଯେତିକି ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ ୨୦୨୧ରେ ଏଥିରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୭ ମସିହାରେ ରାଜ୍ୟରେ ୭୧.୪ ପ୍ରତିଶତ ହାରରେ ୫୧,୪୩୪ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୦ ମସିହାରେ ୮୮.୨ ପ୍ରତିଶତ ହାରରେ ୪୫,୭୦୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୮୮.୫ ପ୍ରତିଶତ ହାରରେ ୫୨,୩୪୬ଜଣଙ୍କୁ ଚିହ୍ନଟ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ୨ବର୍ଷ ଧରି କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏ ସମୟରେ ଯକ୍ଷ୍ମା ଚିହ୍ନଟ ହାର ବେଶ୍ ହ୍ରାସ ପାଇଥିଲା। ମାତ୍ର ଏବେ ଚିହ୍ନଟ ହାର ପୂର୍ବାବସ୍ଥାକୁ ଫେରି ଆସିଛି। ରାଜ୍ୟକୁ ପ୍ରଥମଥର ଲାଗି ବ୍ରୋଞ୍ଚ ସାର୍ଟିଫିକେଟ୍ ମିଳିବ। ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗର ନିର୍ମୂଳ ଲକ୍ଷ ପାଇଁ ଅଧିକରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଚିକିତ୍ସା କରିବା ଲାଗି ପ୍ରଚେଷ୍ଟା କରାଯାଉଛି।
Follow Us