୩ କର୍ମଚାରୀରେ ଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ ଜୟପୁର ଶାଖା, ଆରମ୍ଭରୁ ଖାଲି ପଡ଼ିଛି ମୁଖ୍ୟ ପଦବୀ 

Advertisment
୩ କର୍ମଚାରୀରେ ଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ ଜୟପୁର ଶାଖା, ଆରମ୍ଭରୁ ଖାଲି ପଡ଼ିଛି ମୁଖ୍ୟ ପଦବୀ 

ଜୟପୁର: ରଙ୍ଗ ଉଡ଼ିଗଲାଣି। ଘର ଉପରେ ଲତା ମାଡ଼ିଗଲାଣି। କାନ୍ଥ‌ରେ ଶିଉଳି ଶୁଖି କଳା ପଡ଼ିଛି। ମୁଣ୍ଡ ଉପରେ ଛାତ ବଦଳରେ ରହିଛି ଝିକର ଘର। କାମ କରିବା ପାଇଁ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ନାହାନ୍ତି। ଜଣେ ଅଫିସର ସାଙ୍ଗ ଦୁଇ ଜଣ ୪ ଚତୁର୍ଥ ଶ୍ରେଣୀ କର୍ମଚାରୀରେ ଚାଲିଛି କାର୍ଯ୍ୟାଳୟ। ଏହା ହେଉଛି ଶିକ୍ଷା ବିଭାଗ କାର୍ଯ୍ୟାଳୟର ନଗ୍ନ ଚିତ୍ର। କୋରାପୁଟ ଜିଲ୍ଲା ଜୟପୁର ଠାରେ ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟର ସ୍ଥିତି ଦୟନୀୟ ହୋଇପଡ଼ିଛି। କାର୍ଯ୍ୟାଳୟ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ପଦବୀ ଖାଲି ପଡ଼ିଛି। ଏଭଳି ସ୍ଥିତିରେ କାର୍ଯ୍ୟାଳୟ କେମିତି ଚାଲିବ ତାହା ସ୍ପଷ୍ଟ ଭା‌ବେ ବାରି ହୋଇପଡ଼ୁଛି।

ଅଭିବକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା, ମାଲାକନାଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା ପାଇଁ ପରିଚାଳନା ଓ ଶିକ୍ଷା ବିଭାଗର କାର୍ଯ୍ୟ ପାଇଁ ଏହି ଅଞ୍ଚଳରେ ଲୋକେ ବ୍ରହ୍ମପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ଶାଖା ଉପରେ ନିର୍ଭର କରୁଥିଲେ। ସେଠାକୁ ଯିବାରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୁବିଧା ପାଇଁ ଜୟପୁର ସହରରେ ଏକ ଆଞ୍ଚଳିକ ଶାଖା ‌ଖୋଲିଥିଲା। ଗତ ୨୦୧୨ ମସିହାରେ  ଜୟପୁର ଠାରେ ଏହାର କାର୍ଯ୍ୟାଳୟର ଉଦଘାଟନ ହୋଇଥିଲା। କିନ୍ତୁ ଏହା ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ଶାଖାର ଅଧୀନରେ ରହିଥିବା ବେଳେ ସେଠାକାର ଉପ ସମ୍ପାଦକ ହିଁ ଏହାର ଦାୟିତ୍ବ ନେଇଥିଲେ। ଏହାର ୩ ବର୍ଷ ପରେ ୨୦୧୫ ମସିହାରେ ଏହା ସ୍ବାଧୀନ ଭାବେ ଘୋଷଣା ହୋଇ ଜୟପୁର କାର୍ଯ୍ୟାଳୟରେ କାମ ଆରମ୍ଭ ହୋଇଥିଲା।

୨୦୧୫ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଉପ ସମ୍ପାଦକ (କାର୍ଯ୍ୟାଳୟର ମୁଖ୍ୟ) ପଦବୀ ଖାଲି ପଡ଼ିଛି। କେବଳ ସହ ସମ୍ପାଦକମାନ‌େ ହିଁ ଏହି କାର୍ଯ୍ୟାଳୟର ଦାୟିତ୍ବକୁ ତୁଲାଇ ଆସୁଛନ୍ତି। କେବଳ ଯେ ଏତିକି ନୁହେଁ ଏହି କାର୍ଯ୍ୟାଳୟରେ କେବଳ ଜଣେ ସହ ସମ୍ପାଦକ ରହିଥିବା ବେଳେ ୨ ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ହିଁ ରହିଛନ୍ତି। ସେହି କର୍ମଚାରୀମାନ‌େ କିରାଣୀଙ୍କ କାମ କରିବାକୁ ପଡ଼ୁଛି। ଏହି କାର୍ଯ୍ୟାଳୟରେ ଗୋଟିଏ ସେକ୍ସନ୍ ଅଫିସର ଓ ୨ଟି ସହାୟକ (ଆସିଷ୍ଟାଣ୍ଟ) ପଦବୀ ଖାଲି ପଡ଼ିଛି। ବୋର୍ଡ ପରୀକ୍ଷା ଭଳି କାର୍ଯ୍ୟ ତୁଲାଉଥିବା ଏହି କାର୍ଯ୍ୟାଳୟର ସ୍ଥିତି ଏମିତି ହୋଇପଡ଼ିଛି।

ଏହାର ଅଧୀନରେ ୪ଟି ଜିଲ୍ଲା ରହିଥିବା ବେଳେ ମୋଟ ୮୫୨ଟି ଉଚ୍ଚ ବିଦ୍ୟାଳୟ ରହିଛି। କୋରାପୁଟ ଜିଲ୍ଲାରେ ୨୭୭ଟି, ମାଲକାନଗିରି ଜିଲ୍ଲାରେ ୧୩୨ଟି, ନବରଙ୍ଗପୁର ଜିଲ୍ଲାରେ ୨୨୯ଟି ଓ ରାୟଗଡା ଜିଲ୍ଲାରେ ୨୧୪ଟି ବିଦ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟରେ ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ପରିଚାଳନା, ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ପରୀକ୍ଷା ପରିଚାଳନା, ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଓ ସଂସ୍କୃତ ବିଦ୍ୟାଳୟଗୁଡିକର ପରୀକ୍ଷା ପରିଚାଳନା ଦାୟିତ୍ବ ନ୍ୟସ୍ତ ରହିଛି। ଏଥିସହ ବାହାର ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀ ଭାଷା ପ୍ରମାଣପତ୍ର ପାଇଁ ଏଠା‌ରେ ନାମ ଲେଖାଇଥାନ୍ତି, ବିଦ୍ୟାଳୟଗୁଡ଼ିକର ଏସ୍‌ଏଲ୍‌ସି, ଟିସି ଓ ନାମଲେଖା ରେଜିଷ୍ଟାର ମଧ୍ୟ ବିକ୍ରି କରାଯାଇଥାଏ। ଏଥିସହ ପରୀକ୍ଷାର ଫର୍ମ ଫିଲାପ୍ ଓ ଫଳାଫଳ ଘୋଷଣା ପରେ ସାର୍ଟିଫିକେଟ୍‌ ଆଦି ପ୍ରଦାନ କରାଯାଉଛି। ଏହିଭଳି ଭାବେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟ କରାଯାଉଥିବା ବେଳେ ୩ ଜଣ କର୍ମଚା‌ରୀ କେମିତି ତୁଲାଉଛନ୍ତି ତାହା ଜଣାପଡ଼ୁଛି।

କର୍ମଚାରୀ ଅଭାବ ନେଇ ଶିକ୍ଷା ପରିଷଦ ଅବଗତ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଏଥିସହ କେଉଁ ବ୍ୟକ୍ତିର ସାର୍ଟିଫିକେଟ୍ ହଜିଗଲେ ନକଲ ସାର୍ଟିଫିକେଟ୍ ଆଣିବା ପାଇଁ କଟକ ଯିବାକୁ ପଡ଼ୁଥିବା ବେଳେ ନକଲ ମାର୍କସିଟ୍ ଆଣିବା ପାଇଁ ବ୍ରହ୍ମପୁର କାର୍ଯ୍ୟାଳୟ ଯିବାକୁ ପଡ଼ୁଛି। ଏହି ଆଞ୍ଚଳିକ ଶାଖାରେ ତାହା ଉପଲବ୍ଧ ହୋଇପାରୁ ନାହିଁ। ବିଦ୍ୟାଳୟର କୋଠା ପୁରୁଣା ହୋଇଥିବା ବେଳେ ଆଜି ସୁଦ୍ଧା ନୂତନ କୋଠା ତିଆରି ହୋଇପାରୁ ନାହିଁ। ରାସ୍ତା ଓ କ‌ୋଠାବାଡି ବିଭାଗ କର୍ମଚାରୀ ଆସି ଜାଗା ବୁଲି ଦେଖି ଯାଉଛନ୍ତି କିନ୍ତୁ ଟଙ୍କା ଆସିପାରୁନଥିବାରୁ ନୂତନ କୋଠା ନିର୍ମାଣ ହୋଇପାରୁନଥିବା ନେଇ ସହ ସମ୍ପାଦକ ସୁନାକର କାର୍ଜୀ କହିଛନ୍ତି। ଏଥସହ କର୍ମଚାରୀ ଅଭାବ ବିଷୟରେ ଉଚ୍ଚ କତୃପକ୍ଷଙ୍କୁ କହିଥିବା ନେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe