ନିୟମଗିରି: ମାଓବାଦୀ ବୋଲି ପରିଚୟ ଦେଇ ଧମକପୂର୍ଣ୍ଣ ମାଓ ଚିଠି ଓ ଫୋନ୍ କଲ ମାଧ୍ୟମରେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପୁଲିସ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ ନାଏକ। ଅନ୍ୟଜଣେ ନାବାଳକ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ଦୋରାଗୁଡ଼ା ଥାନା ହାତୀମୁଣ୍ଡା ଟିକିରି ଗ୍ରାମର ଚନ୍ଦ୍ରଶେଖର ବିଶୋଇଙ୍କୁ ଉକ୍ତ ୩ଜଣ ନିୟମଗିରି ଅଂଚଳର ମାଓବାଦୀ ବୋଲି ପରିଚୟ ଦେଇ ଚିଠି ଓ ଫୋନ୍ କଲ ମାଧ୍ୟମରେ ୫୦ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଚନ୍ଦ୍ରଶେଖର ଦୋରାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଦୋରାଗୁଡ଼ା ଆଇଆଇସି କିରଣବାଳା ସାମଲ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ଅଭିଯୁକ୍ତମାନଙ୍କର ମୋବାଇଲ୍ ଫୋନକୁ ଟ୍ରାକିଂ କରି ପୁଲିସ ତାଙ୍କ ପାଖରେ ପହଞ୍ଚିଥିଲା। ତଦନ୍ତରୁ ବିନୋଦ ଓ ନରେଶଙ୍କ ସହିତ ଜଣେ ନାବାଳକ ସାମିଲ ଥିବା ଜଣାପଡ଼ିବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ବିନୋଦ ଓ ନରେଶଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ବାଳ ସ୍ବଧାର ଗୃହକୁ ପଠାଯାଇଛି।
Odisha | Rayagada
Follow Us