ମହାନ କାମ ପାଇଁ ମହା ସମ୍ମାନ : ଅଙ୍ଗଦାନ ଦିବସରେ ୩ଟି ପରିବାରକୁ ‘ସୁରଜ ସମ୍ମାନ’

Advertisment
ମହାନ କାମ ପାଇଁ ମହା ସମ୍ମାନ : ଅଙ୍ଗଦାନ ଦିବସରେ ୩ଟି ପରିବାରକୁ ‘ସୁରଜ ସମ୍ମାନ’

ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମ‌ରଣୋତ୍ତର ‘ସୁରଜ ସମ୍ମାନ’
ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର : ମୁଖ୍ୟମନ୍ତ୍ରୀ
ଭିଡ଼ିଓ କନଫରେନ୍ସିଂରେ ‘ସୁରଜ ସମ୍ମାନ’ ସହ ୫ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର : ଆଜି ମଧ୍ୟ ମଣିଷ ପଣିଆ ବଞ୍ଚିଛି। ଅନ୍ୟର ଜୀବନ ବଞ୍ଚାଇବା ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଅଙ୍ଗଦାନ କରିଥିବା ବ୍ୟକ୍ତିମାନେ ମରି ମଧ୍ୟ ଅମର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ପରିବାରକୁ ସମ୍ମାନିତ କରାଯିବା ସହ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଞ୍ଜନଗରର ସୁରଜ ନାମକ ଜଣେ ଯୁବକ ଗୁଜୁରାଟର ସୁରଟରେ ଦୁର୍ଘଟଣାର ଶିକାର ହେଲା ପରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିଲା। ତାଙ୍କ ପିତାମାତାଙ୍କ ସାହସିକ ନିଷ୍ପତ୍ତି ଫଳରେ ସୁରଜଙ୍କର କିଡ୍‌ନି, ଲିଭର୍‌, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢ଼ା ଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କୁ ଦିଆଯାଇଥିଲା। ଯାହା ଫଳରେ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥିଲା। ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁରଜ ସମ୍ମାନ’ ପୁରସ୍କାର ଘୋଷଣା କରିଥିଲେ।

ସୁରଜଙ୍କ ପରେ ଦିଗପହଣ୍ଡିର ପି ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ବରର ସୁଚିତ୍ର ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଏହି ବ୍ୟକ୍ତିମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। ଫଳରେ ଅନ୍ୟମାନଙ୍କ ଜୀବନ ବଞ୍ଚାଯାଇପାରିଥିଲା। ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ତିନି ପରିବାରକୁ ଆଜି ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ ମଣିଷ ପଣିଆର ଉଚ୍ଚପ୍ରଶଂସା କରିବା ସହ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ। ସୂର୍ଯ୍ୟ ପରି ସେ ଆଜି ମଧ୍ୟ ଅନ୍ୟମାନଙ୍କ ଜୀବନକୁ ଓ ଜଗତକୁ ଆଲୋକିତ କରି ଚାଲିଛନ୍ତି। ସୁରଜଙ୍କ ପରିବାର ପରେ ବ୍ରେନ୍ ଡେଡ୍‌ ଘଟିଥିବା ବ୍ୟକ୍ତିମାନଙ୍କ ପରିବାର ମଧ୍ୟ ଅଙ୍ଗଦାନ ପାଇଁ ଆ‌େଗଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଞ୍ଚିବାର ଆଶାର କିରଣ ସୃଷ୍ଟି କରିଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍‌ ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe