ଗଛରେ ପିଟିହୋଇ ୩ ସାଙ୍ଗଙ୍କ ମୃତ୍ୟୁ

Advertisment
ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ଓଡ଼ଗାଁ: ରାମନବମୀ ଯାତ୍ରା ଦେଖି ଘରକୁ ଫେରିବା ବେଳେ ଅଘଟଣ ଘଟି ତିନିସାଙ୍ଗ ପ୍ରାଣ ହରାଇଛନ୍ତି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପଥରା ବୃଦ୍ଧାଶ୍ରମ ନିକଟରେ ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ, ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ସ୍କୁଲସାହିର କେଦାର ପ୍ରଧାନଙ୍କ ପୁଅ ମାଧବ ପ୍ରଧାନ (୨୦), ବିକ୍ରମ ପ୍ରଧାନଙ୍କ ପୁଅ ସୂର୍ଯ୍ୟକାନ୍ତ ପ୍ରଧାନ (୧୯) ଏବଂ ହରି ନାୟକଙ୍କ ପୁଅ ରାଜେଶ ନାୟକ (୧୯)।

ମାଧବ, ସୂର୍ଯ୍ୟକାନ୍ତ ଓ ରାଜେଶ- ଏହି ତିନିସାଙ୍ଗଙ୍କ ମଧ୍ୟରୁ ମାଧବ ଓ ରାଜେଶ ଭୁବନେଶ୍ବର ପେଟ୍ରୋଲ୍‌ ପମ୍ପ୍‌ରେ ରହି କାମ କରୁଥିବା ବେଳେ ସୂର୍ଯ୍ୟକାନ୍ତ ଖୋର୍ଦ୍ଧାର ଏକ ହୋଟେଲ୍‌ରେ କାମ କରୁଥିଲେ। ଦଣ୍ତଯାତ୍ରା ଚାଲିଥିବାରୁ ତିନିଜଣ ସାଙ୍ଗ କଥାହୋଇ ଗାଁରେ ପହଞ୍ଚିବା ସହିତ ଶ୍ରୀରାମନବମୀ ଯାତ୍ରା ଦେଖିବାକୁ ଓଡ଼ଗାଁ ଯାଇଥିଲେ। ଯାତ୍ରା ଦେଖି ସାରିବାପରେ ତିନିଜଣ ଯାକ ଏକ ହିରୋ ସ୍ପେ୍ଲଣ୍ତର୍‌ ବାଇକ୍ (ଓଡି୨୫ଏନ୍ ୩୨୭୪) ଯୋଗେ ଫେରୁଥିବା ସମୟରେ ପଥରା ବୃଦ୍ଧାଶ୍ରମ ନିକଟସ୍ଥ ଏକ ବୁଲାଣିରେ ସେମାନଙ୍କ ବାଇକ୍ ରାସ୍ତାକଡ଼କୁ ଖସି ଏକ ବରଗଛରେ ପିଟିହୋଇ ଯାଇଥିଲା। ଫଳରେ, ତିନିଜଣଙ୍କ ମୁଣ୍ତରେ ଶକ୍ତ ଆଘାତ ଲାଗିଥିଲା। ଦୁଇଜଣଙ୍କ ମୁଣ୍ତ ଫାଟି ରକ୍ତ ଝରୁଥିବା ବେଳେ ଆଉ ଜଣକର ନାକ ଫାଟିଯିବା ସହିତ ଗଛରେ ଚାପି ହୋଇ ରହିଥିଲେ। ସେହି ରାସ୍ତା ଦେଇ ବାଇକ୍‌ରେ ଯାଉଥିବା କିଛି ବ୍ୟକ୍ତି ଗାଡ଼ି ଲାଇଟ୍‌ରେ ଦେଖି ସେମାନଙ୍କୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଓଡ଼ଗାଁ ପୁଲିସ ସହାୟତାରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର, ଡାକ୍ତର ସେଠାରେ ମାଧବ ପ୍ରଧାନ ଓ ରାଜେଶ ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଓଡ଼ଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି।

ମହେଶ୍ବରପୁର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ତିନିଜଣଯାକ ସାଙ୍ଗ ସେମାନଙ୍କ ପରିବାରର ଗୋଟିଏ ଲେଖାଏଁ ପୁଅ ଓ ଗୋଟିଏ ସାହିର ବୋଲି ଜଣାପଡ଼ିଛି। ଗୋଟିଏ ମଶାଣିରେ ୩ ଜୁଇ ଜଳୁଥିବାରୁ ଗ୍ରାମବାସୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ, ଏହି ଦୁର୍ଘଟଣାରେ ଗାଡ଼ିର କିଛି କ୍ଷୟକ୍ଷତି ହୋଇନଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe