୩ ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟିତ, ୧୦ଟିର ଶିଳାନ୍ୟାସ

Advertisment

୧୨୧୮ କୋଟି ଟଙ୍କାର ପୁଞ୍ଜିନିବେଶ, ୩୩୯୦ ନିଯୁକ୍ତି ସୃଷ୍ଟି ହେବ

୧୨୧୮ କୋଟି ଟଙ୍କାର ପୁଞ୍ଜିନିବେଶ, ୩୩୯୦ ନିଯୁକ୍ତି ସୃଷ୍ଟି ହେବ

୩ ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟିତ, ୧୦ଟିର ଶିଳାନ୍ୟାସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୩ଟି ଶିଳ୍ପ ପ୍ରକଳ୍ପକୁ ଉଦଘାଟନ କରିଥିବା ବେଳେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପେପର/ପ୍ୟାକେଜିଂ, ମାନୁଫାକ୍‌ଚରିଂ, ପଲିମର ଓ ପ୍ଲାଷ୍ଟିକ୍ କ୍ଷେତ୍ରର ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୧୨୧୮.୦୧ କୋଟି ଟଙ୍କା ନିବେଶ କରାଯାଉଛି। ଉଦଘାଟିତ ହୋଇଥିବା ୩ ପ୍ରକଳ୍ପରେ ୭୬.୯୭ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଥିବା ବେଳେ ଶିଳ୍ପାନ୍ୟାସ ହୋଇଥିବା ୧୦ ପ୍ରକଳ୍ପରେ ୧୧୪୧.୦୪ କୋଟି ଟଙ୍କା ନିବେଶ ହେବ। ଏହି ସମସ୍ତ ପ୍ରକଳ୍ପରେ ୩,୩୯୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ମେ’ଫେୟାର ହୋଟେଲ୍‌ ଆଣ୍ଡ୍‌ ରିସୋର୍ଟସ୍‌, ଓରିଫୁଡ୍‌ ଆଣ୍ଡ୍‌ ବେଭରେଜେସ୍, ମାସ ସ୍ପିରିଟ୍‌ସ ଓ ସମ୍ବଲପୁର ବାୟୋଫୁଏଲ୍ସ ସ୍ଥାପନ କରିବାକୁ ଥିବା ପ୍ରକଳ୍ପ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ନିବେଶକମାନଙ୍କୁ ଅନୁକୂଳ ବାତାବରଣ ପ୍ରଦାନ କରିବା ଲାଗି ଆମ ସରକାର କାର୍ଯ୍ୟ କରୁଛି। ଶିଳ୍ପ ସହିତ ଆମର ସମ୍ପର୍କ ବହୁତ ଭଲ ରହିଛି। ସେଥିପାଇଁ ଆମେ ସଫଳତାର ସହିତ କୋଭିଡ୍-୧୯ ମହାମାରୀର ମୁକାବିଲା କରିପାରିଥିଲୁ। ମହାମାରୀ ପରେ ୫-ଟି ଦର୍ଶନ ଅନୁସାରେ ଶିଳ୍ପ କ୍ଷେତ୍ରର ବିକାଶକୁ ଆହୁରି ଦୃଢ଼ କରାଯାଇପାରିଛି ବୋଲି ସେ କହିଛନ୍ତି।

କଟକର ଟାଙ୍ଗିରେ ହର୍ଲିକ୍ସ ଓ ବୁଷ୍ଟ୍‌ ଉତ୍ପାଦନ କରିବା ଲାଗି ହିନ୍ଦୁସ୍ତାନ ୟୁନିଲିଭର ସହଯୋଗରେ ଓରିଫୁଡ୍‌ ଆଣ୍ଡ୍‌ ବେଭେରେଜ୍ ୬୧.୧୫ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରିଥିବା ପ୍ରକଳ୍ପକୁ ଆଜି ଉଦଘାଟନ କରାଯାଇଛି। ସେହିପରି, ଏଣ୍ଟରଟେନମେଣ୍ଟ୍‌ କିଙ୍ଗଡମ୍ ପକ୍ଷରୁ ବରଗଡ଼ରେ ୧୨.୬୨ କୋଟି ଟଙ୍କା ନିବେଶରେ ସ୍ଥାପନ କରାଯାଇଥିବା ଆମ୍ୟୁଜମେଣ୍ଟ୍‌ ପାର୍କ ସହିତ ରିସୋର୍ଟ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୩.୨୦ କୋଟି ଟଙ୍କାରେ ଦଶରଥ ନାୟକ ମଲ୍‌ଟିପ୍ରଡକ୍ଟସ୍‌ ପକ୍ଷରୁ ସ୍ଥାପନ କରାଯାଇଥିବା ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯାଇଛି।

ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ନିବେଶରେ ମେ’ ଫେୟାର ପକ୍ଷରୁ ସ୍ଥାପନ କରାଯିବାକୁ ଥିବା କନ୍‌ଭେନ୍‌ସନ୍‌ ସେଣ୍ଟର୍‌, ଝାରସୁଗୁଡ଼ରେ ମାସ୍‌ ସ୍ପିରିଟ୍‌ସ ପକ୍ଷରୁ ୨୦୪.୬୦ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯିବାକୁ ଥିବା ଡିଷ୍ଟିଲାରି ପ୍ଲାଣ୍ଟ୍‌ ଓ ୫ ମେଗାୱାଟ୍‌ କୋ ଜେନେରେସନ ପ୍ଲାଣ୍ଟ୍‌ ଏବଂ ପ୍ରଭାତ ହସ୍ପିଟାଲିଟିର ପୁରୀ‌ରେ ସ୍ଥାପନ ହେବାକୁ ଥିବା ପଞ୍ଚ ତାରକା ହୋଟେଲ୍‌ ଓ ଲକ୍‌ଜୁରି ରିସୋର୍ଟସ୍‌ ପ୍ରକଳ୍ପର ଆଜି ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପରେ ୧୩୫.୬୯ କୋଟି ଟଙ୍କା ନିବେଶ କରାଯିବ। ଆଜି ଶିଳାନ୍ୟାସ ହୋଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି କଟକ ଆଗ୍ରିଭେଟ୍ ମୁଣ୍ଡୁଳିରେ ୧୧୨.୫୦ କୋଟି ଟଙ୍କାରେ ସ୍ଥାପନ କରିବାକୁ ଥିବା ଡିଷ୍ଟିଲାରି ପ୍ଲାଣ୍ଟ୍, ସମ୍ବଲପୁର ବାୟୋଫୁଏଲସ୍‌ ଲିମିଟେଡ୍‌ର ମାନେସରରେ ୧୦୩ କୋଟି ଟଙ୍କାରେ ସ୍ଥାପନ କରିବାକୁ ଥିବା ଇଥାନଲ୍‌ ପ୍ଲାଣ୍ଟ୍‌, କଟକରେ ୭୭.୦୪ କୋଟି ଟଙ୍କାରେ ଲାଲଚାନ୍ଦ ରିସୋର୍ଟସ୍‌ ସ୍ଥାପନ କରିବାକୁ ଥିବା ୪-ତାରକା ହୋଟେଲ୍‌, ଗଦ୍ରେ ମେରାଇନ ଏକ୍ସପୋର୍ଟସ୍‌ ପକ୍ଷରୁ ବାଲେଶ୍ବରରେ ୬୮.୧୧ କୋଟି ଟଙ୍କାରେ ସ୍ଥାପନ କରାଯିବାକୁ ଫିସ୍‌ମିଲ୍‌ ପ୍ଲାଣ୍ଟ୍‌, ବାଲେଶ୍ବରରେ ଗ୍ରୋୱେଲ୍‌ ଫିଡ୍‌ସ ୬୫.୮୨ କୋଟି ଟଙ୍କାରେ ସ୍ଥାପନ କରିଥିବାକୁ ଥିବା ଚିଙ୍ଗୁଡ଼ି ଓ ମାଛ ଖାଦ୍ୟ ପ୍ରକଳ୍ପ, ଗ୍ରିପ୍ ଷ୍ଟ୍ରାପିଂ ଗ୍ଲୋବାଲ୍‌ର ଖୋର୍ଦ୍ଧାରେ ୧୨.୫୦ କୋଟି ଟଙ୍କା‌ ନିବେଶରେ ସ୍ଥାପନ ହେବାକୁ ଥିବା ଷ୍ଟିଲ୍‌ ଷ୍ଟ୍ରାପିଂ କାରଖାନା ଓ କଟକର ରାମଦାସପୁରରେ ଏମ୍‌ଜି ପ୍ଲାଷ୍ଟୋ ୮.୩୩ କୋଟି ଟଙ୍କାରେ ସ୍ଥାପନ କରିବାକୁ ଥିବା ଏଚ୍‌ଡିପିଏଫ୍ ପାଇପ୍‌ ଓ ପିଭିସି ପାଇପ୍‌ ଉତ୍ପାଦନ କାରଖାନା।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏମ୍‌ଏସ୍‌ଏମ୍‌ଇ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ନିର୍ଦେଶକ ସାଦ୍ଦିକ ଆଲମ୍, ହିନ୍ଦୁସ୍ତାନ ୟୁନିଲିଭରର ସଭାପତି କବିତା ଜୈନ, ଓରିଫୁଡ୍‌ ଆଣ୍ଡ୍‌ ବେଭରେଜ୍‌ର ନିର୍ଦେଶକ ବି ସି ମହାନ୍ତି, ମେ’ଫେୟାର ହୋଟେଲ୍‌ ଆଣ୍ଡ୍ ରିସୋର୍ଟସ୍‌ର ଏମ୍‌ଡି ପୂଜା ରାୟ ଓ ଗ୍ରୋୱେଲ୍‌ ଫିଡ୍‌ସ ଭିପି ଜିଭିଭି ସତ୍ୟନାରାୟଣନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe