ଏସିଡ୍‌ ମାଡ଼ରେ ୩ ଆହତ: ଲୋକଙ୍କ ଆକ୍ରମଣରେ ଯୁବକ ସଂଜ୍ଞାହୀନ

ଏସିଡ୍‌ ମାଡ଼ରେ ୩ ଆହତ: ଲୋକଙ୍କ ଆକ୍ରମଣରେ ଯୁବକ ସଂଜ୍ଞାହୀନ

ଫୁଲବାଣୀ: ଆଜି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶି ପାନଦୋକାନ ଛକ ନିକଟରେ ଜଣେ ଯୁବକଙ୍କ ଏସିଡ୍‌ ମାଡ଼ରେ ୩ ଜଣ ଆହତ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତ‌େବେ ଏସିଡ୍‌ ଫିଙ୍ଗିଥିବା ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପ୍ରବଳ ମାଡ଼ ମାରିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲା। ଏସିଡ୍‌ ମାଡ଼ରେ ଆହତ ୩ ଜଣ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପାରିବାରିକ ଶତ୍ରୁତା‌ରୁ ଏଭଳି ଏସିଡ୍‌ ମାଡ଼ ହୋଇଛି ବୋଲି ଫୁଲବାଣୀ ଟାଉନ ପୁଲିସ ଅନୁମାନ କରୁଛି। ତେବେ ଏସିଡ୍‌ ମାଡ଼ କରିଥିବା ଯୁବକ ସ୍ଥାନୀୟ ଲୋକଙ୍କ ମାଡ଼ରେ ସଂଜ୍ଞାହୀନ ହୋଇ ଚିକିତ୍ସିତ ହେଉଥିବାରୁ ସେ କାହିଁକି ଏସିଡ୍‌ ମାଡ଼ କରିଛି, ତାହାର ପ୍ରକୃତ କାରଣ ଜଣାପଡ଼ି ନଥିବା ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ସୂଚନା ଦେଇଛନ୍ତି।

ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ବାପା ଚନ୍ଦ୍ର ମହାନ୍ତି ଏବଂ ତାଙ୍କ ପୁତ୍ର ସୂରଜ ମହାନ୍ତି ଆହତ ହୋଇଥିବା ବେଳେ ଆଉ ଜଣେ ଯୁବକ ରାକେଶ ମିଶ୍ର ଆହତ ହୋଇ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏସିଡ୍‌ ଫିଙ୍ଗିଥିବା ଯୁବକଙ୍କ ନାମ ପ୍ରମୋଦ ସାହୁ ଏବଂ ତାଙ୍କ ଘର ଫୁଲବାଣୀ ପୌରପାଳିକା ଅନ୍ତର୍ଗତ ପଟ୍ଟବାଲିସାହିରେ। ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଘଟଣାରୁ ପ୍ରକାଶ, ଫୁଲବାଣୀ ସହରର ଶଶି ପାନ ଦୋକାନ ଛକରେ ସୂରଜ ଏବଂ ତାଙ୍କ ସାଙ୍ଗ ରାକେଶ ନିଜ ବାଇକ ଉପରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍‌ ପ୍ରମୋଦ ସାହୁ ଏକ ଢାଳରେ ଏସିଡ୍‌ ଆଣି ସୂରଜର ମୁହଁକୁ ଫିଙ୍ଗିଥିଲା। କିଛି ମାତ୍ରାରେ ଏସିଡ୍‌ ରାକେଶ ଉପରେ ପଡ଼ିଥିଲା। ସୂରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ପ୍ରମୋଦ ଏତିକି ବେଳେ ସୂରଜଙ୍କ ବାପା ଚନ୍ଦ୍ର ମହାନ୍ତିଙ୍କ ଉପରେ ମଧ୍ୟ ଏସିଡ୍‌ ଫିଙ୍ଗିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଏସିଡ୍‌ ଫିଙ୍ଗାଳି ପ୍ରମୋଦକୁ କାବୁ କରିନେଇ ପ୍ରବଳ ମାଡ଼ ମାରିଥିଲେ। ଏସିଡ୍‌ ମାଡ଼ର ଶିକାର ହୋଇଥିବା ଚନ୍ଦ୍ର, ସୂରଜ ଏବଂ ରାକେଶଙ୍କ ଘର ଫୁଲବାଣୀସାହିରେ ବୋଲି ଜଣାପଡ଼ିଛି। ଏସିଡ୍‌ ଫିଙ୍ଗିଥିବା ପ୍ରମୋଦ ଚିକିତ୍ସାଧୀନ ଥିବା ବେଳେ ତାର ସଂଜ୍ଞା ଫେରିଲେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଉନ୍ମୋଚିତ ହେବ ବୋଲି ଏସ୍‌ଡିପିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe