The Sentinel
ବୁଗୁଡ଼ା : ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ଗ୍ରାମରେ ଖଣ୍ଡା ବୁଲିବା ସହ ଗୁଳି ଫୁଟିଛି। ଗୁଳିମାଡ଼ରେ ଗୋଲିଆ ଗ୍ରାମର ସନାତନ ବାଡ଼ତ୍ୟା ଓ ବାଦୁଆ ଗ୍ରାମର ଅନୀଲ ଦୋରା ଗୁରୁତର ହୋଇଛନ୍ତି। ଉଭୟଙ୍କ ପିଠିରେ ଗୁଳି ବାଜିଥିବା ଯୋଗୁଁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। । ସେହିପରି ଖଣ୍ଡା ଚୋଟରେ ଗୋଲିଆ ଗ୍ରାମର ରାଜା ଜେନା ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନାନୁସାରେ, ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଯାହାକି ଆଜି ସନ୍ଧ୍ୟାରେ ପୁଣି ଉଗ୍ର ରୂପ ଧାରଣ କରିଥିଲା। ଗ୍ରାମର ଗଳିସାହିରେ ପ୍ରତିପକ୍ଷ ଗୋଷ୍ଠୀଙ୍କ ଗୁଳିମାଡ଼ରେ ସନାତନ ପ୍ରଥମେ ଆହତ ହୋଇଥିଲେ। ଏହା ପରେ ସେମାନେ ଅନୀଲଙ୍କ ଉପରେ ବି ଗୁଳିମାଡ଼ କରିବା ସହ ରାଜାଙ୍କୁ ଖଣ୍ଡା ଚୋଟ ପକାଇଥିଲେ। ଏହି ସମୟରେ ଗାଁର ଆତଙ୍କର ବାତାବରଣ ଖେଳିଯାଇଥିଲା। ପ୍ରତିପକ୍ଷ ଗୋଷ୍ଠୀକୁ ପ୍ରତିହତ କରିବାକୁ କେହିବି ସାହସ ଜୁଟାଇ ପାରି ନ ଥିଲେ। ପରେ ସମସ୍ତଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣା ପରେ ଥାନାଧିକାରୀ ଚିତ୍ତରଂଜନ ବେହେରା ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଳେ। ଖବର ମିଳିବା ସୁଦ୍ଧା ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରାଧୀଙ୍କୁ ଧରିବା ଲାଗି ଚଢ଼ଉ ଜାରି ରହିଛି। କିଛି ଦିନ ତଳେ ମଦ କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାସହ ଗୋଲିଆ ଗ୍ରାମର ଜଣେ ଯୁବକଙ୍କୁ ଶତ୍ରୁସୋଲ ତୋଟାସାହିରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
Follow Us