ଦୁଇ ବାଇକ୍‌ ଧକ୍କା: ୩ ମୃତ

Advertisment
ଦୁଇ ବାଇକ୍‌ ଧକ୍କା: ୩ ମୃତ

କୋଟଗଡ଼ : ସଂଧ୍ୟା ସାଢ଼େ ଛଅଟା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ମହାବୀର ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ବାଲିଗୁଡ଼ାରୁ ଏକ ହିରୋ ଗ୍ଲେମର ବାଇକରେ ବାହାରି ଲାଜରା ମଳିକ(୪୨) ଓ ତାଙ୍କ ପତ୍ନୀ ଉଦ୍ନୁ ଦିଗାଲ(୩୯) ପୁନିନାଟ ଗାଁକୁ ଯାଉଥିଲେ। ବିପରୀତ ଦିଗରୁ ଏକ ବଜାଜ ପଲସର ବାଇକରେ ବରିକିଆ ଗ୍ରାମର ବିପ୍ଲବ ମଳିକ ଓ ଗୁଞ୍ଜିବାଡ଼ିର ଅନିଲ ଦିଗାଳ ଆସୁଥିଲେ। ବାରଖମା ମହାବୀର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ଲାଜରା ଓ ବିପ୍ଲବଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ଉଦ୍ନୁ ଓ ଅନିଲଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଉଦ୍ନୁ ପ୍ରାଣ ହରାଇଥିଲେ। ଅନିଲଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବାଇକ୍‌ ସହ କୂଅରେ ପଡ଼ି କକା-ପୁତୁରା ମୃତ

ବୀରମିତ୍ରପୁର : ନୂଆଗାଁ ବ୍ଲକର ଲୁକୁମବେଡା କୁନ୍ଦୁରୁଗୁଟୁ ଗ୍ରାମରେ ବାଇକ୍‌ ସହ କୂଅରେ ପଡ଼ି କକା-ପୁତୁରା ମୃତ୍ୟୁବରଣ କରିଛନ୍ତି। ତିନି ଦିନ ପରେ ଆଜି କୂଅରେ ସେମାନଙ୍କ ଶବ ଭାସିବା ପରେ ସେମାନଙ୍କ ନିଖୋଜ ଘଟଣା ସ୍ପଷ୍ଟ ହୋଇଛି। ମୃତକମାନେ ହେଲେ କୁନ୍ଦୁରୁଗୁଟୁ ଗ୍ରାମର ସୁଖୁ ଲାକ୍ରା(୪୮) ଓ ତାଙ୍କ କକା ବୁଦ୍ଧେଶ୍ୱର ଲାକ୍ରା(୪୦)। ମଙ୍ଗଳବାର ସଂଧ୍ୟାରେ ଉଭୟ ଏକ ବଜାଜ୍‌ ବାଇକ୍‌ରେ ପୁରୁଣାପାଣିରୁ ବିଳମ୍ବିତ ରାତିରେ କୁନ୍ଦୁରୁଗୁଟୁ ଫେରୁଥିଲେ। ତେବେ ଭାରସାମ୍ୟ ହରାଇ ସେମାନଙ୍କ ବାଇକ୍‌ ଗାଁ ନିକଟ ଧାନ କ୍ଷେତ ଆଡ଼କୁ ମାଡ଼ିଯିବାରୁ ସେଠାରେ ଥିବା ଏକ କୂଅରେ ଉଭୟେ ବାଇକ୍‌ ସହ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe