ଅଧ୍ୟକ୍ଷ ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର୍‌

ନିର୍ଣ୍ଣାୟକ ଭୂମିକାରେ ଜେଏମ୍‌ଏମ୍‌ ଓ ସ୍ବାଧୀନ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବାରିପଦା: ହାତରେ ଆଉ ମାତ୍ର ୧୦ ଦିନ। ତେଣୁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ନଗରପାଳ ଓ କାଉନ୍‌ସିଲର ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। ତେବେ ଏଥର କିଏ ହେବେ ନଗରପାଳ? ବାରିପଦାବାସୀ ଦଳକୁ ଦେଖି ନା ବ୍ୟକ୍ତିତ୍ବକୁ ଦେଖି ଭୋଟ୍‌ ଦେବେ? ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ। ବିଜେଡିର ନଗରପାଳ ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ସବୁ ୱାର୍ଡ ବୁଲି ପ୍ରଚାର ଚଳାଇଥିବା ବେଳେ ବିଜେପିର ନଗରପାଳ ପ୍ରାର୍ଥୀ କବି ବିଷ୍ଣୁ ଶତପଥୀ ବି ଅନୁରୂପ ଭାବେ ପ୍ରଚାରରେ ଲାଗି ପଡ଼ିଛନ୍ତି।

ସେ ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ଭିନ୍ନ ଶୈଳୀରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କଂଗ୍ରେସର ନଗରପାଳ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲ ବି ପ୍ରଚାରରେ ପଛକୁ ପଡ଼ି ନାହାନ୍ତି।

ସେ ସହରର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟାଳୟ ଖୋଲିବା ସହ ଦଳୀୟ କାଉନ୍‌ସିଲର ଏବଂ କର୍ମୀମାନଙ୍କୁ ସାଙ୍ଗରେ ଧରି ପ୍ରଚାରରେ ଲାଗିପଡ଼ିଛନ୍ତି। ତେବେ ୩ ଦଳର ହେଭିୱେଟ୍ ନେତା କେହି ପ୍ରଚାରକୁ ଆସି ନାହାନ୍ତି। ଦିନେ କି ଦୁଇଦିନ ମଧ୍ୟରେ ହେଭିୱେଟ୍ ତଥା ଷ୍ଟାର୍‌ ପ୍ରଚାରକ ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେଡି ପାଇଁ ପ୍ରଣବ ପ୍ରକାଶ ଦାସ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ବହୁ ନେତା ପ୍ରଚାରରେ ଆସୁଥିବା ଦଳୀୟ ସୁତ୍ରରୁ ଜଣାପଡ଼ିଛି।

ସେହିଭଳି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସମେତ ବହୁ ନେତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ସୁର ରାଉତରାୟ, ତାରାପ୍ରସାଦ ବାହିନୀପତି ଏବଂ ପ୍ରଭାରୀ ‌ଡ. ଚେଲ୍ଲା କୁମାର ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ନେତା କହିଛନ୍ତି।

ତେବେ ସ୍ବାଧୀନ ଭାବେ ନଗରପାଳ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ନଗରପାଳ ଦୀନକୃଷ୍ଣଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେ ନଗରପାଳ ଥିବା ସମୟରେ ବାରିପଦା ସହରରେ ବହୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ପରିଣତ ବୟସରେ ପହଞ୍ଚି ସାରିଥିଲେ ବି ବାକି ଥିବା କାମ କରିବାକୁ ସେ ଏଥର ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପ୍ରତି ବାରିପଦା ସହରବାସୀଙ୍କ ଭଲପାଇବା ରହିଥିବାରୁ ସେ ବହୁ ଭୋଟ୍‌ ହାତେଇବାର ସମ୍ଭାବନା ରହିଛି। ଜେଏମ୍‌ଏମ୍‌ର ନଗରପାଳ ପ୍ରାର୍ଥୀ ଚନ୍ଦନ ଶେଜପଡ଼ା ଏବଂ କିଛି ସ୍ବାଧୀନ ପ୍ରାର୍ଥୀ ଭୋଟରଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଏଥର ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି। ୩ ଦଳର ନଗରପାଳ ପ୍ରାର୍ଥୀ ଜିତିବା ନେଇ ଆଶାବାଦୀ ଥିବା ବେଳେ ଜେଏମ୍‌ଏମ୍‌ ଓ ସ୍ବାଧୀନ ପ୍ରାର୍ଥୀମାନେ ‌ସେମାନଙ୍କ ଜିତିବା ଓ ହାରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି କୁହାଯାଉଛି। ଗତ ଦୁଇ ପୌର ନିର୍ବାଚନରେ ବାରିପଦା ବିଜେଡି ଦଖଲରେ ଥିଲା।

ଏଥର ତୃତୀୟଥର ପାଇଁ ଦଳ ହାଟ୍ରିକ୍‌ କରିବା ଲକ୍ଷ୍ୟରେ ରହିଛି। ତେବେ ବିଜେଡିକୁ ବ୍ରେକ୍ ଦେବାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୟାର ଅଛନ୍ତି। ତେବେ ଜିଲ୍ଲା ପରିଷଦ ସହ ୨୬ରୁ ୨୪ଟି ପଞ୍ଚାୟତ ସମିତି ନିଜ କବ୍‌ଜାରେ ରଖି ଉତ୍ସାହିତ ଥିବା ବିଜେଡିକୁ ବିରୋଧୀ କିଭଳି ମୁକାମିଲା କରୁଛନ୍ତି, ତାହା ଦେଖିବାର କଥା। ସୂଚନା ଥାଉକି ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବ। ବାରିପଦାର ୨୮ଟି ୱାର୍ଡର ୮୧ ହଜାର ୨୨୨ ଭୋଟର ୮୨ଟି ବୁଥ୍‌ରେ ନଗରପାଳ ଓ କାଉନ୍‌ସିଲର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe