୬ ଖଣ୍ଡ ଗାଁର ଦୁଃଖ ଝାଲରସିଂ ନାଳ, ହୁଡ଼୍‌ହୁଡ଼୍ ବାତ୍ୟା ବେଳେ ଭାସିଯାଇଥିଲେ ୩

Advertisment

ଜନପ୍ରତିନିଧି, ପ୍ରଶାସନକୁ ଗୁହାରି ସତ୍ତ୍ବେ ତିଆରି ହୋଇପାରୁନି ପୋଲ

ଜନପ୍ରତିନିଧି, ପ୍ରଶାସନକୁ ଗୁହାରି ସତ୍ତ୍ବେ ତିଆରି ହୋଇପାରୁନି ପୋଲ

୬ ଖଣ୍ଡ ଗାଁର ଦୁଃଖ ଝାଲରସିଂ ନାଳ, ହୁଡ଼୍‌ହୁଡ଼୍ ବାତ୍ୟା ବେଳେ ଭାସିଯାଇଥିଲେ ୩

ରା.ଉଦୟଗିରି : ଗ୍ରାମାଞ୍ଚଳରେ ଯୋଗାଯୋଗ ସୁଗମ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତପାହାନ୍ତାରେ ରହିଛି ଗୋଟିଏ ପରେ ଗୋଟିଏ ଯୋଜନା। ସବୁ ଗାଁକୁ ପକ୍କା ଓ ନଦୀବନ୍ଧ ଉପରେ ସେତୁ ନିର୍ମାଣ ପାଇଁ ସରକାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଅଜାଡ଼ି ଚାଲିଛନ୍ତି। ହେଲେ ଆଜି ବି ଏମିତି ଅନେକ ଗାଁ ଅଛି, ଯେଉଁଠିକୁ ସ୍ବାଧୀନତା ୭୫ ବର୍ଷ ପରେ ପୋଲ କି ରାସ୍ତା ନିର୍ମାଣ ହୋଇପାରୁନି। ଆଜି ବି ଦୁର୍ଗମ ଇଲାକାବାସୀଙ୍କୁ ବିପଜ୍ଜନକ ଅବସ୍ଥାରେ ନଦୀ ଓ ନାଳ ପାର ହେବାକୁ ପଡ଼ୁଛି। ଏହାର ଜ୍ବଳନ୍ତ ଉଦାହରଣ ହେଲା, ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ରାମଗିରି ପଞ୍ଚାୟତର ୬ଟି ଗାଁ।

ଆଜି ପର୍ଯ୍ୟନ୍ତ ରାମଗିରି ପଞ୍ଚାୟତ ସଦରମହକୁମା ଠାରୁ ୨କିଲୋମିଟର ଦୂରରେ ଥିବା କୃପାଗୁମା, ଅଣାସାହି, ଝାଲରସିଂ, ନୂଆସାହି, ପୁରୁଣାପଟୁ ଓ ଝାଡ଼ପଡ଼ା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇପାରୁନି। ଫଳରେ ସମସ୍ତ କାମ ପାଇଁ ସେମାନଙ୍କୁ ରାମଗିରି ଆସିବାକୁ ହେଲେ ୨୫ରୁ ୩୦ ଫୁଟ ଗଭୀର ଝାଲରସିଂ ନାଳକୁ ବିପଜ୍ଜନକ ଭାବେ ପାର କରିବାକୁ ପଡ଼ୁଛି।

ଖରାଦିନେ ପାଣିର ସ୍ରୋତ କମ୍ ରହୁଥିବାରୁ ଗ୍ରାମବାସୀ ‌ଯେନତେନ ପ୍ରକାରେଣ ନାଳ ପାର ହୋଇଥାନ୍ତି। କିନ୍ତୁ ବର୍ଷା ଦିନେ ସେମାନଙ୍କ ସମସ୍ୟା ବଢ଼ିଯାଏ। ଆଉ ରାସନ୍ ସାମଗ୍ରୀ ସମେତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ବିଭିନ୍ନ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ରହିଥାନ୍ତି। ଗତ ହୁଡ଼ହୁଡ଼ ବାତ୍ୟା ସମୟ‌ରେ  ନାଳ ପାର ହେବା ବେଳେ ଝାଲରସିଂ ଗ୍ରାମର କୁନ୍ତୀ କାର୍ଜି, ପରିସଲର ଜଗଦୀଶ ମାଳି ଓ କୁରୁମ ଗ୍ରାମର ଜଣେ ପୁରୁଷଙ୍କ ଭାସିଯାଇ ମୃତ୍ୟୁ ହୋଇଥିଲା। ତଥାପି ପ୍ରଶାସନର ଏଯାଏ ଚେତା ପଶିନି। ଗ୍ରାମବାସୀ ବେଳେବେଳେ ତବାରସିଂ ଦେଇ ପ୍ରାୟ ୧୪ କିଲୋମିଟର ରାସ୍ତା ଅତିକ୍ରମ କରି ରାମଗିରିକୁ ଆସୁଛନ୍ତି।

ନାଳ ଉପ‌ରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ରା.ଉଦୟଗିରି ବିଡିଓଙ୍କ ଜରିଆରେ ବହୁବାର  ବ୍ରହ୍ମପୁର ସାଂସଦ ଓ  ଗଜପତି ଜିଲ୍ଲାପାଳଙ୍କୁ ବହୁବାର ଲିଖିତ ଭାବେ ନିବେଦନ କରିଛନ୍ତି।  ହେଲେ କେହିବି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।  ଫଳରେ ବର୍ଷାଦିନରେ ରାମଗିରି ପ୍ରାଥମିକ ବିଦ୍ୟାଳୟ ଓ  ହାଇସ୍କୁଲ କିମ୍ବା ମାଧ୍ୟମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ  ପାଠପଢ଼ା ଠପ୍‌ ହୋଇଯାଉଛି। ପୁରୁଷମାନେ କଷ୍ଟେମଷ୍ଟେ ନାଳ ପାର ହେଉଥିବା ବେଳେ  ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଯନ୍ତ୍ରଣା ବଢ଼ିଯାଉଛି।

ଏପରିକି କିଛିଦିନ ତଳେ ବୃନ୍ଦାବତୀ ନାୟକ ନାମ୍ନୀ ଜଣେ ପ୍ରସୂତି ନାଳରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ପାର ହୋଇ ନପାରି  ନାଳ ପାର୍ଶ୍ଵରେ ହିଁ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଉଦ୍‌ବେଗର ବିଷୟ ହେଲା, କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ୬ ଗାଁର ଲୋକେ ସାମାନ୍ୟ ରୋଗର ଚିକିତ୍ସା ପାଇଁ ରାମଗିରି ମେଡିକାଲ ଆସି ପାରି ନଥିଲେ। ଫଳରେ ୧୦ରୁ ୧୫ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ  ଝାଲରସିଂ ଗ୍ରାମର ରାମ ରଇତ, ୱାର୍ଡ଼ମେମ୍ବର ପଦ୍ମନ ନାୟକ ଓ  ନରସିଂହ ରଇତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe