ଗୋଟିଏ ପରିବାରରେ ୩ ବାମନ, ଚଳତ୍‌ ଶକ୍ତିହୀନ ଯୋଗୁଁ ଅକଳରେ ବୃଦ୍ଧ ପିତାମାତା

Advertisment
ଗୋଟିଏ ପରିବାରରେ ୩ ବାମନ, ଚଳତ୍‌ ଶକ୍ତିହୀନ ଯୋଗୁଁ ଅକଳରେ ବୃଦ୍ଧ ପିତାମାତା

ଚମ୍ପୁଆ : ଜନ୍ମରୁ ଦିବ୍ୟାଙ୍ଗ। ଜଣକର ବୟସ ୩୦ ଏବଂ ଆଉ ଜଣକୁ ୨୦ ଛୁଇଁଲାଣି। ହେଲେ ଏମାନଙ୍କ ଉଚ୍ଚତା ମାତ୍ର ଅଢେଇରୁ ତିନି ଫୁଟ। ଜଣେ ଦୁଇଜଣ ନୁହେଁ ଗୋଟିଏ ପରିବାରର ତିନି ଭାଇ ଭଉଣୀ ବାମନ ଏବଂ ଚଳତ୍‌ଶକ୍ତି ହୀନ। କାମଧନ୍ଦା କରି ପରିବାରକୁ ସହଯୋଗର ହାତ ବଢେଇବା ବୟସରେ ପହଞ୍ଚିଥିଲେ ମଧ୍ୟ ସମସ୍ତେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସାନନଇ ଗ୍ରାମରେ। ଗ୍ରାମର ନରୋତ୍ତମ ପ୍ରଧାନ ତିନିଜଣ ଦିବ୍ୟାଙ୍ଗ ପୁଅଝିଅଙ୍କୁ ନେଇ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଏହି ପରିବାର ପାଇଁ ଜୀବନ ସତେ ଯେମିତି ଯନ୍ତ୍ରଣା ପାଲଟିଯାଇଛି। ବୟସର ଅପରାହ୍ନରେ ପୁଅଝିଅଙ୍କ ଠାରୁ ସେବା ପାଇବା ପରିବର୍ତ୍ତେ ବାପାମାଆ ଓ ଜେଜେମା ସେମାନଙ୍କ ସେବା କରୁଛନ୍ତି।

ନରୋତ୍ତମ ଓ ସୁରୁବାଲିଙ୍କ ୪ ସନ୍ତାନ ହେଲେ ଅମିତ (୩୦), ଅମ୍ବିକା (୨୦), ଆଶିଷ ଏବଂ ବିଜୟ (୧୩)। କେବଳ ଆଶିଷଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଦିବ୍ୟାଙ୍ଗ। ଅମିତ, ଅମ୍ବିକା ଓ ବିଜୟଙ୍କ ହାତ ଏବଂ ଗୋଡ଼ରେ ସମସ୍ୟା ରହିଛି। ଏମାନଙ୍କ ଉଚ୍ଚତା ବି ବୟସ ତୁଳନାରେ ବହୁତ କମ୍‌। ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁନାହାନ୍ତି। ତିନି ପିଲାଙ୍କ ଦୈନନ୍ଦିନ କାର୍ଯ୍ୟ ଠାରୁ ଆରମ୍ଭ କରି ଖାଇବା ଓ ପୋଷାକ ପିନ୍ଧାଇବା କାମ କରୁଛନ୍ତି ବାପା ନରୋତ୍ତମ, ମାଆ ସୁରୁବାଲି ଓ ଜେଜେମା ମୁଣ୍ଡାରୀ।

ତିନି ଛୁଆ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ସେମାନେ ଯେମିତି କାହା ଉପରେ ନିର୍ଭର ନକରି ନିଜ କାମ ନିଜେ କରିପାରିବେ ସେଥିପାଇଁ ନରୋତ୍ତମ ଯଥେଷ୍ଟ ଚେଷ୍ଟା କରିଛନ୍ତି। ଚିକିତ୍ସା ପାଇଁ ଅମିତ, ଅମ୍ବିକା ଓ ବିଜୟଙ୍କୁ ସେ ଚମ୍ପୁଆରୁ ଆରମ୍ଭ କରି କେନ୍ଦୁଝର ଏବଂ ଓଲଟପୁର ନେଇଛନ୍ତି। ହେଲେ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଡାକ୍ତର କୌଣସି ଗୋଟିଏ ବି ଛୁଆକୁ ଠିକ୍‌ କରିପାରିନାହାନ୍ତି। ସବୁଆଡ଼ୁ ବିଫଳ ହେବା ପରେ ଏବେ ତିନି ଛୁଆଙ୍କ ସେବା ଜାରି ରଖିଛନ୍ତି ନରୋତ୍ତମ ଓ ତାଙ୍କ ପରିବାର।

ଚାଷବାସ କରି ନରୋତ୍ତମ ନିଜ କୁଟୁମ୍ବ ଚଳାଉଛନ୍ତି। ଘରର ଆର୍ଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଇଖାନା ଖଣ୍ଡେ ତିଆରି ହୋଇପାରୁନି। ଫଳରେ ଦିବ୍ୟାଙ୍ଗ ପିଲାଙ୍କୁ ଝାଡ଼ା ପରିସ୍ରା ଯିବାରେ ଅସୁବିଧା ହେଉଛି। ସରକାରଙ୍କ ପକ୍ଷରୁ କେବଳ ଭତ୍ତା ଗଣ୍ଡାକ ମିଳୁଛି। ବର୍ତ୍ତମାନ ନରୋତ୍ତମଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହେଲାଣି। ଆଗାମୀ ଦିନରେ ତିନିତିନି ଜଣ ବଢିଲା ଦିବ୍ୟାଙ୍ଗ ପୁଅଝିଅଙ୍କ କଥା କିଏ ବୁଝିବ ତାକୁ ନେଇ ସେ ଚିନ୍ତାରେ ପଡ଼ିଯାଇଛନ୍ତି। ଏମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ କିଛି ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe