ବିଶ୍ୱ ମହିଳା ଦିବସ: ଖାଓଗଳିରେ ୩ ଭଉଣୀଙ୍କ ସଂଘର୍ଷ

ବିଶ୍ୱ ମହିଳା ଦିବସ: ଖାଓଗଳିରେ ୩ ଭଉଣୀଙ୍କ ସଂଘର୍ଷ

ଭୁବନେଶ୍ବର : ପରିବାରର ଅସମୟରେ ପୁଅଟିଏ ସାହାଭରସା ହୋଇ ଠିଆହୁଏ। ଏମିତି ବିଶ୍ବାସ ଓ ଧାରଣା ଆଜି ବି ଆମ ସମାଜରେ ରହିଛି। କିନ୍ତୁ ଏବେ ସମୟ ବଦଳିଛି। ଏମିତି କ୍ଷେତ୍ରରେ ଝିଅମାନେ ପୁଅଙ୍କ ବିକଳ୍ପ ହୋଇପାରିଛନ୍ତି। ଏମିତି ବହୁ ଉଦାହରଣ ରହିଛି। ପୁଅଙ୍କୁ ପଛରେ ପକାଇ ଝିଅମାନେ ପରିବାରର ବୋଝ ବୋହୁଛନ୍ତି। ବାପାମା’ଙ୍କ ଦୁଃସ୍ଥିତି ବେଳେ ପରିବାର ପାଇଁ ରାଜରାସ୍ତାରେ ସଂଘର୍ଷ କରୁଛନ୍ତି। ସେମିତି ଏକ ଉଦାହରଣ ହେଉଛି ରାଜଧାନୀର ଅନ୍ୟତମ ଫୁଡ୍‌ ମେଳା ବସୁଥିବା ଖାଓଗଳିର ଘି’ ମୋ‌ମୋ ଷ୍ଟଲ୍‌ର ତିନି ଭଉଣୀଙ୍କ କଥା। ବଡ଼ ଭଉଣୀ ରୋଜାଲିନ୍‌ ସହ ସାନ ଦୁଇ ଭଉଣୀ ରଶ୍ମୀ ଓ ପୂଜା ବ୍ୟବସାୟରେ ଲାଗିପଡ଼ିଛନ୍ତି। ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ଔଷଧ ଖର୍ଚ୍ଚ ଓ ସାନ ଭାଇର ପାଠପଢ଼ା ପାଇଁ ତିନି ଭଉଣୀ ରାଜରାସ୍ତ‌ାରେ ସଂଘର୍ଷ କରୁଛନ୍ତି।

ସହିଦନଗରରେ ଭଡ଼ା ଘରେ ରହୁଥିବା ରୋଜାଲିନ୍‌ଙ୍କ ବାପା ଏକ ସମୟରେ ପରିବାରର ବୋଝ ବୋହୁଥିଲେ। ଏକ ଘରୋଇ ସଂସ୍ଥାରେ କାମ କରି ୩ ଝିଅ ଓ ଗୋଟିଏ ପୁଅକୁ ପଢ଼ାଉଥିଲେ। ମାତ୍ର ଦୁର୍ଭାଗ୍ୟକୁ ୨୦୧୯ ମସିହାରେ ସେ ରୋଗଗ୍ରସ୍ତ ହୋଇ ଏକପ୍ରକାର ଅଚଳ ହୋଇଗଲେ। ସେତେବେଳକୁ ରୋଜାଲିନ୍‌ ଯୁକ୍ତ ଦୁଇରେ ପଢ଼ୁଥିଲେ। ହଠାତ୍ ପରିବାର ରୋଜଗାର ବନ୍ଦ ହୋଇଯବାରୁ ସେମାନଙ୍କୁ ଭୋକଉପାସରେ ରହିବାକୁ ପଡ଼ିଲା। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୁଅଟି ଏଭଳି ସମୟରେ କ’ଣ ବା କରିପାରିଥାନ୍ତା। କିନ୍ତୁ ରୋଜାଲିନ୍‌ ନିଜକୁ ବାପାମା’ଙ୍କ ପୁଅ କରିଦେଲେ। ରୋଜଗାର କରିବାକୁ ଦାଣ୍ଡକୁ ଗୋଡ଼ କାଢ଼ିଲେ। ପାଠପଢ଼ାରେ ଡୋରି ବାନ୍ଧିଦେଲେ। ବଜାରରେ ଫାଷ୍ଟ ଫୁଡ୍‌ ବେପାରର ଚାହିଦାକୁ ଦେଖି ମୋମୋ ଦୋକାନଟିଏ କଲେ। ଭଡ଼ାରେ ହେଉ ପଛେ ବଡ଼ କଷ୍ଟରେ ଖାଓଗଳିରେ ଜାଗାଟିଏ ପାଇଲେ। ଏଥିରେ ମଝିଆ ଭଉଣୀ ରଶ୍ମୀ ଓ ସାନ ଭଉଣୀ ପୂଜା ତାଙ୍କୁ ସହଯୋଗ କଲେ। ଧୀରେ ଧୀରେ କାରବାର ବଢ଼ିଲା। ଏବେ ସେମାନେ ଏକ ଟାଟାଏସିଇ ଗାଡ଼ି କିଣିଛନ୍ତି ଓ ସେଥିରେ ଷ୍ଟଲ୍‌କୁ ସଜାଇଛନ୍ତି। ବଡ଼ କଥା ହେଉଛି, ଚାଳକ ହେଉଛନ୍ତି ନିଜେ ରୋଜାଲିନ୍‌। ରଶ୍ମୀ ଏବେ ଯୁକ୍ତ ୩ରେ ଓ ପୂଜା ଯୁକ୍ତ ୨ର ଛାତ୍ରୀ। ସାନ ଭାଇ ଅଷ୍ଟମ ଶ୍ରେଣୀରେ ପଢ଼ୁଛି। ରଶ୍ମୀ ଓ ପୂଜା କଲେଜରୁ ଫେରିବା ପରେ ସନ୍ଧ୍ୟାରେ ବଡ଼ ଭଉଣୀକୁ ଷ୍ଟଲ୍‌ରେ ସହଯୋଗ କରୁଛନ୍ତି। ଏବେ ଖାଓଗଳି‌ରେ ରୋଜାଲିନ୍‌ଙ୍କ ଘି’ ମୋମୋର ଚାହିଦ ଭଲ। ମୋମୋ ଓ ସ୍ୟାଣ୍ଡଓ୍ବିଚ୍‌ ପାଇଁ ଗ୍ରାହକଙ୍କ ଭିଡ଼ ହେଉଛି।

ରୋଜାଲିନ୍‌ଙ୍କ କହିବା କଥା ବଞ୍ଚିବାକୁ ସଂଘର୍ଷ କରିବାକୁ ପଡ଼ୁଛି। ଭୁବନେଶ୍ବରରେ ଘର ଭଡ଼ା, ପରିବାର ଖର୍ଚ୍ଚ, ଭାଇ ଭଉଣୀଙ୍କ ପଢ଼ା ଖର୍ଚ୍ଚ ସବୁ ଏଇ ଗୋଟିଏ ମାଧ୍ୟମରୁ। ତଥାପି ଭଗବାନଙ୍କ କୃପାରୁ ସବୁ ଠିକ୍‌ ଚାଲିଛି। ମାତ୍ର ସ୍ଥାୟୀ ଦୋକାନ ହୋଇନଥିବାରୁ ସମସ୍ୟା ହେଉଛି। ବେଳେବେଳେ ବିଏମ୍‌ସି ଜରିମାନା କରୁଛି। ଅଥଚ ସ୍ଥାୟୀ ଦୋକାନ ପାଇଁ ଆବେଦନ କରିଥିଲେ ବି ବିଏମ୍‌ସି କେବଳ ପ୍ରତିଶ୍ରୁତି ହିଁ ଦେଉଛି। ତେବେ ତାଙ୍କର ଏହି ସଂଘର୍ଷ ଜାରି ରହିବ ଓ ପରିବାର ପାଇଁ ତାଙ୍କୁ ହିଁ ସବୁ କିଛି ବୋଝ କାନ୍ଧରେ ବୋହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe