କଟକରେ ମେୟର ପାଇଁ ୩୦ ପ୍ରାର୍ଥୀ

Advertisment
କଟକରେ ମେୟର ପାଇଁ ୩୦ ପ୍ରାର୍ଥୀ

କଟକ : କଟକ ମହାନଗର ନିଗମ ନିର୍ବାଚନ ପାଇଁ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଶେଷଦିନରେ ମେୟର ପଦବି ପାଇଁ ୨୨ ଜଣ ଓ କର୍ପୋରେଟର ପାଇଁ ୧୬୨ ଜଣ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପାଇଁ ମାର୍ଚ୍ଚ ୨ରୁ ୭ ତାରିଖ ସମୟ ଥିବାବେଳେ ୬ ଦିନରେ ମେୟର ପଦବି ପାଇଁ ୩୦ ଜଣ ଓ ୫୯ଟି ୱାର୍ଡର କର୍ପୋରେଟର ପାଇଁ ୨୯୬ଟି ନାମାଙ୍କନ ଦାଖଲ ହୋଇଛି। ମାର୍ଚ୍ଚ ୯ ତାରିଖ ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯାଇ ୧୦ରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଜାରି କରାଯିବ। ୧୧ରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ୧୪ ତାରିଖ ସଂଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ସେହିଦିନ ନିର୍ବାଚନ ମଇଦାନରେ କେତେ ପ୍ରାର୍ଥୀ ରହିଲେ, ତାହା ସ୍ପଷ୍ଟ ହେବ। କିନ୍ତୁ ଯେଉଁ ସଂଖ୍ୟାରେ ମେୟର ପଦବି ପାଇଁ ନାମାଙ୍କନ ଦାଖଲ ହୋଇଛି, ସେଥିରେ ଦୁଇଟି ଇଭିଏମ୍ ମେସିନ ଭୋଟ୍ ବେଳେ ଦରକାର ପଡ଼ିବ।

ଅନ୍ୟପଟେ ବିଜେଡି ୫୯ଟି ୱାର୍ଡରୁ ୫୯ ଜଣଙ୍କୁ କର୍ପୋରେଟର ପାଇଁ ଟିକେଟ ଦେଇଥିଲେ ବି ବିଜେଡି ପ୍ରାର୍ଥୀ ଦର୍ଶାଇ ୬୭ଟି ନାମାଙ୍କନ ଦାଖଲ ହୋଇଛି। ସେହିଭଳି ବିଜେପିରୁ ୬୨ଟି, କଂଗ୍ରେସରୁ ୬୦ଟି, ସିପିଆଇ(ଏମ୍‌)ରୁ ୩ଟି, ସିପିଆଇରୁ ଗୋଟିଏ, ବିଏସ୍‌ପିରୁ ୨ଟି ନାମାଙ୍କନ ଦାଖଲ ହୋଇଛି। ସ୍ବାଧୀନ ପ୍ରାର୍ଥୀ ଭାବେ ୧୦୧ଟି ପ୍ରାର୍ଥିପତ୍ର ଦାଖଲ ହୋଇଛି।

ମେୟର ପ୍ରାର୍ଥୀ ଭାବେ କଂଗ୍ରେସରୁ ଗିରିବାଳା ବେହେରା, ବିଜେଡିରୁ ରାଜ୍ୟସଭା ସଦସ୍ୟ ସୁବାସ ସିଂହ ଏବଂ ବିଜେପିରୁ ଅଭିନେତା ଶ୍ରୀତମ ଦାସ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ତିନି ଜଣଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ପ୍ରାର୍ଥିପତ୍ର ଦାଖଲ କରିଥିବା ୩୦ ଜଣଙ୍କ ମଧ୍ୟରେ ବିଜେଡିର ପୂର୍ବତନ କର୍ପୋରେଟର ଜଗତପୁର ଅଞ୍ଚଳର ଯୁବ ସମାଜସେବୀ ଦୟାନିଧି ନାୟକ ରହିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସେ କାହିଁକି, କେଉଁ ଉଦ୍ଦେଶ୍ୟରେ ଏଭଳି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ସେହିଭଳି ପୂର୍ବତନ କର୍ପୋରେଟର ଶ୍ରୀରାମ ପାଣ୍ଡେ ବିଜେଡି ଟିକେଟ୍ ଆଶାରେ ଥିବା ବେଳେ ତାଙ୍କ ପତ୍ନୀ ଗୋଟିଏ ୱାର୍ଡରୁ ବିଜେପି କର୍ପୋ‌ରେଟର ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ଏବଂ ନିଜେ ଶ୍ରୀରାମ ପାଣ୍ଡେ ସ୍ବାଧୀନ ମେୟର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପଟେ ଏସୟୁସିଆଇସିରୁ ବବି ବଳବନ୍ତରାୟ, ବସ୍ତି ନେତା ବୃନ୍ଦାବନ ଦାସ ଆଜାଦ୍ ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଥିବା ୩୦ ଜଣଙ୍କ ମଧ୍ୟରେ ରହିଛନ୍ତି।

ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବା ବେଳେ ବିଜେଡିରେ ଦେଖା ଦେଇଥିବା ଅସନ୍ତୋଷ ଆଉ ବିଦ୍ରୋହ ସାମନାକୁ ଆସିଛି। ଏକାଧିକ ଥର କର୍ପୋରେଟର ଥିବା ଏବଂ ବିଜେଡିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ପୂର୍ବରୁ କାର୍ଯ୍ୟ କରିଥିବା କେଦାର ପୃଷ୍ଟି ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସର କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ପୂର୍ବତନ କର୍ପୋରେଟର ବିକାଶ ବେହେରା ବି ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ବିଜେଡିର ପୂର୍ବତନ କର୍ପୋରେଟର ଜ୍ଞାନରଂଜନ ସ୍ବାଇଁ ବି ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି। ଏଭଳି ଘଟଣା ନିର୍ବାଚନକୁ ଆଗକୁ କିଭଳି ପ୍ରଭାବିତ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe