ହୀରାକୁଦ ଜଳଭଣ୍ଡାର ଅଞ୍ଚଳ ଉପରେ ଆଖି! : ଧରାପଡ଼ିଲେ ୩୦୦ ଛତିଶଗଡ଼ୀ ମତ୍ସ୍ୟଜୀବୀ

ହୀରାକୁଦ ଜଳଭଣ୍ଡାର ଅଞ୍ଚଳ ଉପରେ ଆଖି! : ଧରାପଡ଼ିଲେ ୩୦୦ ଛତିଶଗଡ଼ୀ ମତ୍ସ୍ୟଜୀବୀ

ଝାରସୁଗୁଡ଼ା : ହୀରାକୁଦ ଜଳଭଣ୍ଡାର ଅନ୍ତର୍ଗତ ଝରିଆନାଳରେ ଛତିଶଗଡ଼ର ପ୍ରାୟ ୩୦୦ରୁ ଅଧିକ ମତ୍ସ୍ୟଜୀବୀ ମାଛ ମାରୁଥିବାବେଳେ ଖବର ପାଇ ପୁଲିସ ଓ ମତ୍ସ୍ୟସଂପଦ (ଫିସେରି) ବିଭାଗ ହାତରେ ଧରାପଡ଼ିଛନ୍ତି। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏହି ମତ୍ସ୍ୟଜୀବୀମାନଙ୍କୁ ଛାଡ଼ି ଦିଆଯାଇଛି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ଗତକାଲି ଛତିଶଗଡ଼ର ଶହଶହ ମତ୍ସ୍ୟଜୀବୀ ଏଠାରେ ମାଛ ମାରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ସ୍ଥାନୀୟ ଫାଣ୍ଡିର କିଛି ପୁଲିସ କର୍ମଚାରୀଙ୍କୁ ନେଇ ଫିସେରି କର୍ମଚାରୀମାନେ ସେଠାରେ ଚଢ଼ଉ କରିଥିଲେ। ଛତିଶଗଡ଼ର କାଫଲା ଓ ଗଡ଼ମୁରା ଗ୍ରାମର ଏହି ମତ୍ସ୍ୟଜୀବୀଙ୍କୁ ଧରି ସେମାନଙ୍କ ଜାଲ ଓ ମାଛ ଜବତ କରିଥିଲେ। ମାତ୍ର ଏହି ମତ୍ସ୍ୟଜୀବୀଙ୍କୁ ଧରି ଫାଣ୍ଡିକୁ ଆଣିବା ବେଳେ ସ୍ଥାନୀୟ କିଛି ଗ୍ରାମବାସୀ ପୁଲିସକୁ ବିରୋଧ କରିଥିଲେ। ସେମାନଙ୍କୁ ଛାଡ଼ି ଦେବାକୁ ଅଡ଼ି ବସିଥିଲେ। ଗ୍ରାମବାସୀଙ୍କ ସଂଖ୍ୟା ଦୃଷ୍ଟିରୁ ପୁଲିସ ଓ ଫିସେରୀ କର୍ମଚାରୀମାନେ ମାଛ ମାରୁଥିବା ଛତିଶଗଡ଼ୀ ମତ୍ସ୍ୟଜୀବୀଙ୍କୁ ଛାଡ଼ି ଦେଇଥିଲେ ।

ତେବେ ଏହି ଘଟଣାଟି ବେଶ ଜଟିଳ ହେବାରେ ଲାଗିଛି। ମହାନଦୀ ଜଳବଣ୍ଟନ ନେଇ ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ ଛତିଶଗଡ଼ ମତ୍ସ୍ୟଜୀବୀଙ୍କ ଏହି ମାଛଧରା କଥା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୁଲିସ ଓ ଫିସେରୀ ବିଭାଗ କର୍ମଚାରୀଙ୍କ ଭୂମିକା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶଥାଉକି, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢ଼ା ଠାରେ ଓଡ଼ିଶାକୁ ପ୍ରବେଶ କରିଛି ମହାନଦୀ। ହୀରାକୁଦ ଜଳଭଣ୍ଡାରରେ ବନ୍ୟା ଜଳ ପ୍ରବେଶ କଲାବେଳେ ଏହି ପଛୁଆ ପାଣି ଅଞ୍ଚଳରେ ଥିବା ଖାଲୁଆ ଜାଗା, ନାଳ ଗୁଡ଼ିକରେ ଜଳ ଭର୍ତ୍ତି ହୋଇ ରହିଯାଇଥାଏ। ଖରାଦିନେ ଏସବୁ ଶୁଖିଥାଏ। ଏହି ପାଣିରେ ମାଛ ଚାଷ କରିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ବିଭିନ୍ନ ମତ୍ସ୍ୟଜୀବୀ ସୋସାଇଟିକୁ ଲିଜ୍‌ ଦିଆଯାଇଥାଏ। ସେମିତି ଏକ ସ୍ଥାନ ହେଲା ଝରିଆନାଳ। ଏହାର ଲମ୍ବ ହେଉଛି ପ୍ରାୟ ୫ କିଲୋମିଟର ଓ ଓସାର ୨୦ ଫୁଟ। ଏବେ ଏଠାରେ ପ୍ରାୟ ୩/୪ ଫୁଟ ପାଣି ଅଛି। ଏହି ଅଞ୍ଚଳରେ ମାଛ ମାରିବା ପାଇଁ ସ୍ଥାନୀୟ ଏକ ମତ୍ସ୍ୟଜୀବୀ ସମବାୟ ସମିତିକୁ ଚଳିତ ବର୍ଷ ୩୨ ହଜାର ୫୬୦ ଟଙ୍କାରେ ଲିଜ୍‌ ମିଳିଛି। ମାତ୍ର, ଛତିଶଗଡ଼ ମତ୍ସ୍ୟଜୀବୀ ଜୋର୍‌ ଜବରଦସ୍ତ ମାଛ ମାରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe