୩୦୦ ବର୍ଷର ଜଗନ୍ନାଥ ମନ୍ଦିରକୁ ଭୁଲିଗଲେ

Advertisment
୩୦୦ ବର୍ଷର ଜଗନ୍ନାଥ ମନ୍ଦିରକୁ ଭୁଲିଗଲେ

ବ୍ରହ୍ମପୁର/ଖଲ୍ଲିକୋଟ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରେ ଅବିକଳ ଢାଞ୍ଚାରେ ନିର୍ମିତ ରାଜ୍ୟର ଦ୍ୱିତୀୟ ଉଚ୍ଚତମ ମନ୍ଦିର ହେଉଛି ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର। ପ୍ରାୟ ୩ଶହ ବର୍ଷ ପୁରୁଣା ଏହି ମନ୍ଦିର ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହି ମନ୍ଦିର ଜରାଜୀର୍ଣ୍ଣ। ଗତମାସରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଏହି ମନ୍ଦିର ପାଇଁ କିଛି ଅର୍ଥବରାଦ କରିବେ ବୋଲି ଆଶା କରାଯାଉଥିଲା। ୫-ଟି ସଚିବଙ୍କ ଗସ୍ତର ଦୁଇ ସପ୍ତାହ ବିତିଲା, ହେଲେ ଏ ପର୍ଯ୍ୟନ୍ତ ମନ୍ଦିର ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସ୍ବତନ୍ତ୍ର ବଜେଟ୍‌ ଘୋଷଣା କରାଯାଇ ନାହିଁ। ଯାହାକି ଖଲ୍ଲିକୋଟବାସୀଙ୍କୁ ନିରାଶ କରିଛି।

ବର୍ତ୍ତମାନ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ହେଲେ ପାଣି ଗଳୁଥିବା ବେଳେ ପଥର ଖସି ପଡ଼ିବାର ଭୟ ରହିଛି। ଫଳରେ ଛଅ ମାସ ହେଲା ମରାମତି କାମ ଚାଲିଛି। ଏତେ ବଡ଼ ପୁରୁଣା ମନ୍ଦିରର ନବୀକରଣ ପାଇଁ ସ୍ବତନ୍ତ୍ର ବଜେଟ୍‌ ଆବଶ୍ୟକ। ହେଲେ ତାହା ମଂଜୁର ହୋଇପାରି ନାହିଁ। ବର୍ତ୍ତମାନ ଚାଲିଥିବା ମରାମତି କାମରେ ମନ୍ଦିରର ନୀଳଚକ୍ର ଠାରୁ ତଳକୁ ପନ୍ଦର ଫୁଟ ପର୍ଯ୍ୟନ୍ତ ମରାମତି ଶେଷ ହୋଇ ଅବଶିଷ୍ଟ କାମ ସ୍ଥଗିତ ରହିଛି। ଖଲ୍ଲିକୋଟ ରାଜା ଜଗନ୍ନାଥ ମର୍ଦ୍ଦରାଜ ଦେଓ ୧୭୩୦ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୮୬୮ ମସିହାରେ ଜଗନ୍ନାଥ ମର୍ଦ୍ଦରାଜ ଦେଓ-୨ଙ୍କ ସମୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଏ। ଏହି ମନ୍ଦିରର ଉଚ୍ଚତା ପ୍ରାୟ ୧୦୮ ଫୁଟ। ଏ ସମ୍ପର୍କରେ ଘୁମୁସର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୀଲ ପଣ୍ଡା କହନ୍ତି, ଏହି ପ୍ରାଚୀନ ମନ୍ଦିର ପ୍ରତି ସରକାରଙ୍କ ଅଣଦେଖାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe