ସଂକ୍ରମିତ ଅଞ୍ଚଳର ୩ ହଜାର ପରିବାରଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ: ଝାରସୁଗୁଡା ଜିଲ୍ଲାପାଳ

ସଂକ୍ରମିତ ଅଞ୍ଚଳର ୩ ହଜାର ପରିବାରଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ: ଝାରସୁଗୁଡା ଜିଲ୍ଲାପାଳ

ଝାରସୁଗୁଡା/ବ୍ରଜରାଜନଗର: ବ୍ରଜରାଜନଗର କଣ୍ଟେନମେଣ୍ଟ ଜୋନ ଓ ବ‌ୋଫର ଜୋନ୍ ମଧ୍ୟରେ ଥିବା ୩ ହଜାର ୧୨୧ ଗୋଟି ପରିବାରର ୧୩ ହଜାର ୮୫୭ ଲୋକଙ୍କ ସ୍ବାସ୍ଥ୍ୟ ସଂପର୍କିୟ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟ ପାଇଁ ୬୪ ଗୋଟି ଟିମ୍ ଗଠନ ହୋଇଛି। ଏହି ଟିମ୍ର ସଦସ୍ୟ ମାନେ ଘର ଘର ବୁଲି ପରିବାର ସଦସ୍ୟଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବେ ଓ ଯେଉଁଠି ସଂଦେହ ରହିବ ସେ ନେଇ ସେମାନେ ତୁରନ୍ତ ମେଡିକାଲ ଟିମ୍କୁ ଜଣାଇବେ। ଏହି ଅଞ୍ଚଳରେ ୧୩ ଗୋଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି।  ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ ଅଛନ୍ତି। କଟକଣା ଲାଗିଥିବା ଅଞ୍ଚଳର ଜନସାଧାରଣ ଯେଭଳି ସୁରୁଖୁରରେ ଦୈନନ୍ଦିନ ଜୀବନ କରି ପାରିବେ ସେଥିପାଇଁ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏକ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇ ଟେଲିଫୋନ୍ ନମ୍ବର ଜାରି କରାଯାଇଛି। ଗ୍ରୀଷ୍ମଦିନ ଯୋଗୁଁ ଯଦି କହାର ପଙ୍ଖା, କୁଲର କିମ୍ବା ବୈଦୁତିକ ଜିନଷ ମରାମତି କରିବାର ଥାଏ ସେମାନଙ୍କ ସୁବିଧା ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

କଣ୍ଟେନମେଣ୍ଟ ଜୋନ ଭୟରେ ପଳାୟନ

ଗତକାଲି ବ୍ରଜରାଜନଗର ବୁଢ଼ୀଜାମ କ୍ୟାମ୍ପ ଅଞ୍ଚଳର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳକୁ ଯାଇଥିବା ସବୁ ରାସ୍ତାକୁ ବ୍ୟାରିକେଡ଼୍ ଦିଆଯାଇ ବନ୍ଦ କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏଥିରେ ଭୟଭିତ ହୋଇ ଏଠାରେ ରହୁଥିବା ଝାରଖଣ୍ଡ ରାଜ୍ୟର ୧୧ ଜଣ ଶ୍ରମିକ ଗତ କାଲି ରାତିରେ କଣ୍ଟେନମେଣ୍ଟ ଜୋନ ଛାଡ଼ି ଚାଲି ଚାଲି ଝାରଖଣ୍ଡ ପଳାୟନ କରୁଥିବା ବେଳେ ଏମାନଙ୍କୁ କୁଦୋପାଲି ଠାରେ ଲୋକ‌େ ଠାବ କରିଥିଲେ। ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଫେରାଇ ଆଣି ହୋମ କ୍ୱାରେଣ୍ଟାଇନ ରହିବାର ବ୍ୟବସ୍ଥା କରିଥିଲେ।

publive-image

ଆକ୍ରାନ୍ତ ଯୁବତୀଙ୍କ ବାପା, ମାଁଙ୍କ ରିପୋର୍ଟ ନେଗେଟିଭ୍

କରୋନା ସଂକ୍ରମଣର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି। ଗତ କାଲି ଝାରସୁଗୁଡ଼ା ବ୍ରଜରାଜନଗର ଠାରେ ଜଣାପଡ଼ିଥିବା ସଂକ୍ରମିତ ଯୁବତୀର ପିତା, ମାତା ଓ ଅନ୍ୟ ଜଣେ ଅତି ନିକଟ ସଂପର୍କିୟଙ୍କ ସ୍ବାବ୍ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକଙ୍କ ଠାରୁ ପ୍ରକାଶ। ଏହି ସମସ୍ତଙ୍କ ସ୍ବାବ୍ ଗତ ୨୪ ତାରିଖ ଦିନ ଏକସଙ୍ଗେ ସଂଗ୍ରହ କରାଯାଇଥିଲା। ସଂକ୍ରମିତ ଯୁବତୀ ସହିତ କୋଲକାତାରୁ ଗୋଟିଏ ଗାଡ଼ିରେ ପିତାମାତା ଓ କାର୍ ଡ୍ରାଇଭର ଆସିଥିଲେ। କାର୍ ଡ୍ରାଇଭର ଏମାନଙ୍କୁ ବ୍ରଜରାଜନଗରରେ ଛାଡ଼ି ଫେରିଯାଇଛି।

ତେବେ ଏହି ପରିବାରର ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିବା ବେଳେ ଅନ୍ୟମାନଙ୍କ ଦେହରେ ଏହା ଦେଖାଯାଇନାହିଁ। ତଥାପି କରୋନା ପଜିଟିଭ୍ ଜଣାପଡ଼ିବା ପରେ ଯୁବତୀ ସଂସ୍ପର୍ଶରେ ଆସିଥିବା ୩୧ ଜଣଙ୍କ ତାଲିକା ବାହାର କରାଯାଇଛି। ଏହି ୩୧ ଜଣଙ୍କ ମଧ୍ୟରୁ ଆଜି ୧୫ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ସଂଗ୍ରହ କରାଯାଇ ପଠାଯାଇଥିବା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ୧୫ ସହ ମୋଟ ୩୮ ଜଣଙ୍କ ସ୍ବାବ୍ ସଂଗ୍ରହ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୫୧୪ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ୩୮୦ ଜଣଙ୍କ ରିପୋର୍ଟ ଆସିଛି। ଏଥି ମଧ୍ୟରୁ କେବଳ ଜଣଙ୍କ ପଜିଟିଭ୍ ବାହାରିଥିବା ଜଣାଯାଇଛି। ସୁରକ୍ଷା ଦୃଷ୍ଟିରୁ ସଂକ୍ରମିତ ଯୁବତୀର ପିତା, ମାତାଙ୍କ ଆଉକିଛି ଦିନ ପରେ ଦ୍ବିତୀୟ ଥର ପାଇଁ ସ୍ବାବ୍ ପରୀକ୍ଷା ହେବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା. ବାରିକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe