ବ୍ରହ୍ମପୁରର ୩୧% ଲୋକଙ୍କ ଶରୀରରେ ଆଣ୍ଟିବଡି

Advertisment
ବ୍ରହ୍ମପୁରର ୩୧% ଲୋକଙ୍କ ଶରୀରରେ ଆଣ୍ଟିବଡି

The Asian Age

ସହରାଞ୍ଚଳ ବସ୍ତିରେ ୩୫%, ୪ ୱାର୍ଡରେ ୫୦%ରୁ ଅଧିକ
୯୦ ପ୍ରତିଶତଙ୍କ ବିଶେଷ କୋଭିଡ୍‌ ଲକ୍ଷଣ ନାହିଁ
ଆଗକୁ କଟକ, ଗଜପତି ଓ ରାଉରକେଲାରେ ସେରୋ ସର୍ଭେ

ଭୁବନେଶ୍ୱର : ବ୍ରହ୍ମପୁର ସହରର ୩୧ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଆଣ୍ଟିବଡି ବିକଶିତ ହୋଇଛି। ସହରର ଏକ ତୃତୀୟାଂଶ ବା ଦେଢ଼ ଲକ୍ଷ ଲୋକ ହୁଏତ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ପରବର୍ତୀ ସମୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇସାରିଛି ବୋଲି କହିଛନ୍ତି ଆର୍‌ଏମ୍‌ଆର୍‌ସିର ନିର୍ଦେଶିକା ଡା. ସଂଘମିତ୍ରା ପତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଡା. ପତି କହିଲେ, ବ୍ରହ୍ମପୁର ମ୍ୟୁନିସିପାଲିଟି, ଆର୍‌ଏମ୍‌ଆର୍‌ସି, ଏମ୍‌କେସିଜି ମେଡିକାଲ କଲେଜର ମିଳିତ ଭାବେ ଏହି ସିରୋ ସର୍ଭେ କରାଯାଇଥିଲା। ବ୍ରହ୍ମପୁରରେ ଏଥିପାଇଁ ୫ଟି ଟିମ୍ ନିୟୋଜିତ ହୋଇଥିଲେ। ସମୁଦାୟ ୨୮୩୦ ରୢାଣ୍ଡମ୍ ନମୁନା ସଂଗ୍ରହ କରାଯାଇଥିଲା। କମ୍ୟୁନିଟି ସହ ବସ୍ତି ଓ ସମ୍ବେଦନଶୀଳ ଗ୍ରୁପ୍‌ଙ୍କୁ ଏଥିରେ ସାମିଲ କରାଯାଇଥିଲା। ଅଗଷ୍ଟ ୩ରୁ ୭ ତାରିଖ ପର୍ଯ୍ୟରେ ଏହି ‌ସର୍ଭେ କରାଯାଇଥିଲା।

ସର୍ଭେରେ ରିପୋର୍ଟ ଅନୁସାରେ, ସହରର କିଛି ୱାର୍ଡରେ ୭ ପ୍ରତିଶତ ତ ଆଉ କିଛି ୱାର୍ଡରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ‌ହୋଇଛି। ୪ଟି ୱାର୍ଡରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସେହିପରି ସହରାଞ୍ଚଳର ବସ୍ତିରେ ୩୫ ପ୍ରତିଶତ ଥିବା ବେଳେ ୨୩.୪ ପ୍ରତିଶତ ସମ୍ବେଦନଶୀଳ ଲୋକଙ୍କ ଆଣ୍ଟିବଡି ବିକଶିତ ହୋଇଥିବା ନଜରକୁ ଆସିଛି। ତେବେ ଯେଉଁ ୯୦ ପ୍ରତିଶତଙ୍କ ଆଣ୍ଟିବଡି ବିକଶିତ ହୋଇଛି, ସେମାନଙ୍କ ନିକଟରେ କୋଭିଡର ବିଶେଷ ଲକ୍ଷଣ ଦେଖିବାକୁ ମିଳିନାହିଁ। ସେହିପରି ସଂକ୍ରମଣଜନିତ ମୃତ୍ୟୁ ହାର ବା ଇନ୍‌ଫେକସନ୍‌ ଫାଟାଲିଟି ରେଟ୍ ମାତ୍ର ୦.୦୨ ପ୍ରତିଶତ ରହିଛି। ତେବେ ବ୍ରହ୍ମପୁର ସହରରେ ନିକଟରେ ଯେଉଁ ସିରୋ ସର୍ଭେ ହୋଇଥିଲା, ତାହା ୪ ସପ୍ତାହ ତଳର ସ୍ଥିତିକୁ ଦର୍ଶାଉଛି। ତେଣୁ ଆଜିର ସ୍ଥିତି ସଂପର୍କରେ ଜାଣିବାକୁ ହେଲେ ଦ୍ବିତୀୟ ପର୍ଯ୍ୟାୟ ସିରୋ ସର୍ଭେ କରିବାକୁ ହେବ। ସିରୋ ସର୍ଭେ ସଂପର୍କିତ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।

ଏବେ ବଡ଼ମ୍ବା ନରସିଂହପୁରରେ ସିରୋ ସର୍ଭେ ଚାଲିଥିବା ବେଳେ ଆଗକୁ କଟକ ସହର, ଗଜପତି ଓ ରାଉରକେଲାରେ ଏହା ଅନୁଷ୍ଠିତ ହେବ। ଏହା ପୂର୍ବରୁ ପୁରୀ ଓ ଭୁବନେଶ୍ବର ମ୍ୟୁନିସିପାଲିଟିରେ ସିରୋ ସର୍ଭେ ହୋଇସାରିଛି ବୋଲି ଡା. ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe