୩୧୨ କୋଟିର ପ୍ରକଳ୍ପ, ପାଣି କେବେ?

Advertisment

୨ ବର୍ଷ ପରେ ବି ପାଇପ୍‌ ପୋତା ସରୁନି, କାମର ମାନ ଓ ପ୍ରାଧିକୃତ ଯନ୍ତ୍ରୀଙ୍କ ତଦାରଖକୁ ପ୍ରଶ୍ନ

୨ ବର୍ଷ ପରେ ବି ପାଇପ୍‌ ପୋତା ସରୁନି, କାମର ମାନ ଓ ପ୍ରାଧିକୃତ ଯନ୍ତ୍ରୀଙ୍କ ତଦାରଖକୁ ପ୍ରଶ୍ନ

ବଡ଼ଚଣା ବ୍ଲକ ପାନୀୟଜଳ ଯୋଗାଣ କେଳେଙ୍କାରୀ: ନିଲମ୍ବିତ ୨ ପିଇଓଙ୍କ ଖାତାରେ କୋଟିଏ ଟଙ୍କାର ଜାଲିଆତି!

Syllad

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ସବୁଠାରୁ ପଛୁଆ। ତାକୁ ଆଗକୁ ନେବାକୁ ସରକାରୀ ଯୋଜନା ସହ ବିଶେଷରୂପେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି)ର କୋଟି କୋଟି ଟଙ୍କାରେ ବହୁବିଧ ବିକାଶମୂଳକ ପ୍ରକଳ୍ପ ସବୁ ହାତକୁ ନିଆଯାଇଛି। ସେଥିମଧ୍ୟରୁ ଜିଲ୍ଲାରେ ନିର୍ମାଣ ହେଉଥିବା ଓ ହେବାକୁ ଥିବା ବୃହତ୍‌ (ମେଗା) ପାନୀୟଜଳ ଯୋଗାଣ ପ୍ରକଳ୍ପ ଅନ୍ୟତମ। ମାତ୍ର, ୩୧୨ କୋଟିର ପାନୀୟ ଜଳ ପ୍ରକଳ୍ପରୁ ବି ପାଣି ଟୋପେ ପାଇଁ ଲୋକେ ଚାତକ ଭଳି ଚାହିଁ ରହିଛନ୍ତି। ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ମୋଟାମୋଟି ୫୦ ପ୍ରତିଶତ କାମ ଶେଷ ହୋଇଛି।

ବିଭିନ୍ନ ଯୋଜନାରେ ସୁନ୍ଦରଗଡ଼ର ବିଭିନ୍ନ ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଚାଲିଥିବାବେଳେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓମ୍‌ବାଡ୍‌ସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, ଲେଫ୍ରିପଡ଼ାର ୧୧ ପଞ୍ଚାୟତ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌ର ୭ଟି ପଞ୍ଚାୟତରେ ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଲେଫ୍ରିପଡ଼ା (ଅଂଶ)‌, ଟାଙ୍ଗରପାଲି,‌ ବାଲିଶଙ୍କରା, ସବଡେଗା ଓ ବଡ଼ଗାଁ ବ୍ଲକ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ହେମଗିର, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକରେ ଆରମ୍ଭ ହୋଇଥିବା ପାନୀୟ ପ୍ରକଳ୍ପ କାମ ଏ ଯାଏ ସରିନି। ୨୦୧୯ ଡିସେମ୍ବର ୧୭ରେ ଆରମ୍ଭ ହୋଇଥିବା କାମ ୨୦୨୧ ଡିସେମ୍ବରରେ ସରିବାକୁ ଥିଲା। କିନ୍ତୁ ୨ ବର୍ଷ ପରେ ବି ପାଇପ୍‌ ପୋତା କାମ ଶେଷ ହୋଇପାରିନି। ବହୁ ଗାଁରେ ପାଇପ୍‌ ପୋତା କାମ ମଧ୍ୟ ଅଧାରେ ରହିଛି। ଏବେ କାର୍ଯ୍ୟ ଅବଧିକୁ ୨୦୨୨ ଡିସେମ୍ବର ଯାଏ ବୃଦ୍ଧି କରାଯାଇଛି।

ସୂଚନା ଅନୁସାରେ, ହେମଗିର ବ୍ଲକ୍‌କୁ ପାଇପ୍‌ଜଳ ଯୋଗାଣ ପାଇଁ ୧୫୪ କୋଟି ୪୩ ଲକ୍ଷ ୨୯ ହଜାର ବ୍ୟୟ ଅଟକଳ କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ କନକତୁରା ଭିକମପାଲିଠାରେ ନିର୍ମିତ ଇନଟେକ୍‌ ୱେଲ୍‌କୁ ପାଇପ୍‌ ଯୋଗେ ପାଣି ଆଣି ସେଠାରୁ ଲିପସପାଲିରେ ବିଶୋଧନ କରିବା ପରେ ତାକୁ ବ୍ଲକ୍‌ର ୧୯ଟି ପଞ୍ଚାୟତକୁ ଯୋଗାଇ ଦିଆଯିବ। ଏଥିପାଇଁ ହେମଗିର ବ୍ଲକ୍‌ର ୧୯ ପଞ୍ଚାୟତର ବିଭିନ୍ନ ଗାଁରେ ପାଇପ୍‌ ପୋତା କାମଚାଲିଛି। କାମଟି ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଓ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ କରୁଛି। ସେହିପରି କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌ର ୭ଟି ପଞ୍ଚାୟତ ପାଇଁ ୩୫ କୋଟିରେ ମନ୍ଦିରା ଡ୍ୟାମ୍‌ରୁ ପାଣି ନେଇ ବିଶୋଧନ ପରେ ଲୋକଙ୍କୁ ପାଇପ୍‌ ଯୋଗେ ଯୋଗାଇ ଦିଆଯିବାକୁ ଚାଲିଛି କାମ। ରାଜସ୍ଥାନର ବାଲାଜି କନଷ୍ଟ୍ରକ୍ସନ କମ୍ପାନି ଏହି କାମ କରୁଛି। ଅନ୍ୟପଟେ ଏ ଦୁଇ ବ୍ଲକ୍‌ର ଅବଶିଷ୍ଟ ଅଞ୍ଚଳରେ ପାଇପ୍‌ ଯୋଗେ ବିଶୋଧିତ ପାଣି ଦେବାକୁ ୧୨୩ କୋଟି ୧୯ ଲକ୍ଷ ୪୫ ହଜାର ଟଙ୍କାର ଗ୍ଲୋବାଲ୍‌ ଟେଣ୍ଡର ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର୍ସ ହାତକୁ ଦିଆଯାଇଛି। କାମର ଅଗ୍ରଗତି ଓ ମାନର ତଦାରଖ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆର୍କି‌ଟେକ୍‌ଟ ସଂସ୍ଥାକୁ ଦାୟିତ୍ବ ଦେଇଛନ୍ତି। ୧୮ରୁ ଅଧିକ ପ୍ରାଧିକୃତ ଯନ୍ତ୍ରୀଙ୍କୁ ଏଠାରେ ନିଯୁକ୍ତ କରିଛି ସଂସ୍ଥା। ଏମାନଙ୍କ ବ୍ୟତୀତ ବିଭାଗୀୟ ଯନ୍ତ୍ରୀ, ସହକାରୀ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମଧ୍ୟ ରହିଛନ୍ତି। କିନ୍ତୁ ପ୍ରକୃତରେ ଅଧିକାଂଶ ପ୍ରାଧିକୃତ ଯନ୍ତ୍ରୀଙ୍କ କାର୍ଯ୍ୟସ୍ଥଳରେ ଦେଖା ମିଳୁ ନଥିବା ବେଳେ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥା ନିଜ ମନମର୍ଜିରେ ନିମ୍ନମାନର ପାଇପ୍‌ ଓ ଅନ୍ୟ ସାମଗ୍ରୀ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏ ସ୍ଥିତିରେ କାମର ମାନ ଓ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମଧ୍ୟ ନିରବ। ୨ ବର୍ଷ ମଧ୍ୟରେ ମୋଟାମୋଟି ୫୦ ପ୍ରତିଶତ କାମ ଶେଷ ହୋଇଛି। ଏହି ଗତିରେ ଚାଲିଲେ କାମ ସରିବାକୁ ଆଉ କେତେ ବର୍ଷ ଲାଗିବ, ଜିଲ୍ଲାବାସୀ କେବେ ପାଇପ୍‌ ଯୋଗେ ପାଣି ପାଇବେ କହିବା ମୁସ୍କିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe