ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି: ସିଲ୍‌ ହେଲା ୩୨ ସୀମା ରାସ୍ତା

Advertisment
ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି: ସିଲ୍‌ ହେଲା ୩୨ ସୀମା ରାସ୍ତା

ଗଳାବାଟରେ ପୁଲିସ ପଇଁତରା
ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ସରପଞ୍ଚଙ୍କୁ କୋଭିଡ୍‌ ପରିଚାଳନା ଦାୟିତ୍ୱ

ବାଲେଶ୍ବର/ଭୋଗରାଇ : କରୋନା ସଂକ୍ରମଣ ଦ୍ବିତୀୟ ଲହରରେ ନୂତନ ଟ୍ରିପଲ୍‌ ମ୍ୟୁଟାଣ୍ଟ ଭୂତାଣୁର ଭୟାବହତା ଚିନ୍ତା ବଢ଼ାଇ ଥିବାବେଳେ ଏହା ପଶ୍ଚିମବଙ୍ଗରେ ବହୁ ସଂକ୍ରମିତଙ୍କ ନିକଟରେ ପରିଲକ୍ଷିତ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯଦିଓ ଗତକାଲିଠାରୁ ସମସ୍ତ ସୀମା ରାସ୍ତାକୁ ସିଲ୍‌ କରାଯାଇଛି। ଅଦ୍ୟାବଧି ୩୨ଟି ରାସ୍ତାକୁ ସିଲ୍‌ କରାଯାଇଛି। କିନ୍ତୁ ବିଭିନ୍ନ ଗଳାବାଟ ଦେଇ ପ୍ରବାସୀଙ୍କ ସମେତ ପଶ୍ଚିମବଙ୍ଗର ବହୁ ଲୋକ ଓଡ଼ିଶାକୁ ପଶି ଆସୁଥିବା ଦେଖିବାକୁ ମିଳୁଛି।

ତେବେ, ବାଲେଶ୍ବର ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତା ସହ ଗ୍ରହଣ କରିିଛି। ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ବ୍ଲକ ଗସ୍ତ କରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ସୀମା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଦୀଘା ସୀମାନ୍ତକୁ ସଂଯୋଗ କରୁଥିବା ଭୋଗରାଇ ବ୍ଲକର ସାହାବାଜିପୁରଠାରେ ପହଞ୍ଚିଥିଲେ। ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଏହି ସୀମା ଦେଇ ଲୋକମାନେ ବସ୍‌ ଯୋଗେ ବାଲେଶ୍ୱର, କଟକ, ଭୁବନେଶ୍ୱର, ପୁରୀ ଆଦି ଅଞ୍ଚଳକୁ ଯାଉଥିବାରୁ ତା ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରବାସୀ ଓଡ଼ିଆଙ୍କ କ୍ଷେତ୍ରରେ ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ଛାଡ଼ିବା ସହ ସେମାନେ ଯେମିତି ୧୪ ଦିନ ସଙ୍ଗରୋଧରେ ରହିବେ, ସେ ନେଇ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ପଞ୍ଚାୟତ ସରପଞ୍ଚମାନଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଛି। ଯେଉଁମାନଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ନାହିଁ, ସେମାନଙ୍କୁ ସାହାବାଜିପୁରସ୍ଥିତ ମହାବିଦ୍ୟାଳୟ ଓ ଦୁଇଟି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ। ଏହାଛଡ଼ା ପୂର୍ବରୁ ପ୍ରତି ପଞ୍ଚାୟତସ୍ତରରେ ଥିବା କ୍ଲଷ୍ଟର୍ କୋଭିଡ୍‌ କେୟାର ସେଣ୍ଟର ଓ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପରେ ଭୋଗରାଇ ବିଡିଓ ସତ୍ୟଜିତ ରାଉତ ଓ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ମାସ୍କ ପରିଧାନ, ସାମାଜିକ ଦୂରତା, ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ଆଦିରେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ସହ ଜନସାଧାରଣଙ୍କୁ ଏ ନେଇ ସଚେତନ କରିବାକୁ ସରପଞ୍ଚ, ପଞ୍ଚା‌ୟତ ପ୍ରତିନିଧି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୁହାଯାଇଥିଲା।

ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ବିଡିଓ ସତ୍ୟଜିତ ରାଉତ, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କମର୍ଦ୍ଦା ଥାନା ଆଇଆଇସି ପାସ୍କେଲ୍‌ ଏକ୍କା, ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ, ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ହେମନ୍ତ ମାଝୀଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe