The Verge
ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ରେ ବିଭିନ୍ନ ସ୍କୁଲ୍ରୁ ୩୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ଖେଳି ଯାଇଛି। ଏହାପରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡ଼ିବା ପାଇଁ ଦୋଦୋପାଞ୍ଚ ହେଉଥିବା ଜଣାପଡ଼ିଛି।
ଏହି ବ୍ଲକ୍ରେ ସରକାରୀ ଓ ବେସରକାରୀ ମିଶି ୧୩ଟି ହାଇସ୍କୁଲ ରହିଛି। ମୋଟ ୭୭୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ୮ ତାରିଖ ଦିନ ୩୩୫ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା। ଧୀରେ ଧୀରେ ବିଦ୍ୟାଳୟରେ ଉପସ୍ଥାନ ବି ବଢ଼ିବାରେ ଲାଗିଛି। ଏହି ଅବସରରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ କର୍ମଚାରୀ ଦଳ ସ୍କୁଲ୍କୁ ଯାଇ ଛାତ୍ରଛାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଉଛନ୍ତି। ଏହି ଦଳର ମୁଖ୍ୟ ଗଦାଧର ଜୟପୁରିଆ ଓ ସାଥୀ ସାହାସପୁର ଜେଓ ସରକାରୀ ହାଇସ୍କୁଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେହିପରି କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ, ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ, ସରକାରୀ ହାଇସ୍କୁଲ ପାକେଲପଡାରେ ୧୩ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଥିବା ଜଣାପଡ଼ିଛି। ଏହାକୁ ନେଇ ବର୍ତ୍ତମାନ ଅଭିଭାବକ ଓ ଶିକ୍ଷାବିଭାଗ ଚିନ୍ତାରେ ପଡ଼ିଯାଇଛି।
ଏ ବାବଦରେ ଏବିଇଓ ବିଦେଶୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେଉଁ ବିଦ୍ୟାଳୟଗୁଡ଼ିକରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଆମେ ସେହି ସ୍କୁଲ୍ର ପ୍ରଧାନଶିକ୍ଷକଙ୍କୁ କହିଦେଇଛୁ। ସେମାନେ ମେଡିକାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବେ। ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ହୋମ ଆଇସୋଲେସନ୍ରେ ରଖାଯାଉଛି। ଏ ବିଷୟରେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହିମାଦ୍ରୀ ସରାଫ କହିଛନ୍ତି, ରାଷ୍ଟ୍ରହିତ ଆମର ସମସ୍ତଙ୍କର ଲକ୍ଷ ହେବା ବିଧେୟ। କୋଭିଡ ଗାଇଡ୍ଲାଇନ୍କୁ ଅନୁସରଣ କରି ବିଦ୍ୟାଳୟରେ ଶିକ୍ଷାଦାନ ହେବା ଦରକାର। ସ୍କୁଲରେ କାର୍ଯ୍ୟଭାରକୁ ଡରି ସାମାଜିକ ଦୂରତା ବଜାୟ ନ ରଖିଲେ କରୋନା ବଢିବ। ବରିଷ୍ଠ ଶିକ୍ଷାବିତମାନଙ୍କ ସହିତ ଆଲୋଚନା କରି କେଉଁ ଶିକ୍ଷା ପଦ୍ଧତି ଅବଲମ୍ବନ କଲେ ଶିକ୍ଷକମାନଙ୍କର କାର୍ଯ୍ୟ ଭାର କମିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ ସେ ବିଷୟରେ ଆଲୋଚନା ଜରୁରୀ। ଏହାକୁ ନେଇ ଜଣେ ଛାତ୍ରୀଙ୍କ ମା ମମତା ପାତ୍ର କହିଛନ୍ତି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବା ସ୍ୱାଗତଯୋଗ୍ୟ, କିନ୍ତୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ଦୂରତାରେ ବସାଇ ପଢ଼ାଇବା, ନିୟମିତ ଭାବରେ ଶ୍ରେଣୀ ଗୃହକୁ ସାନିଟାଇଜ୍ କରିବା ଦରକାର। ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଡର ଲାଗୁଛି। କାରଣ ବିଦ୍ୟାଳୟଗୁଡ଼ିକରେ ସେମିତି ସୁରକ୍ଷା ବ୍ୟବସ୍ଥା ନିଆଯାଉ ନାହିଁ।
  
 Follow Us