ସ୍ବପ୍ନ ପୂରଣ ପାଇଁ ପିଲାଙ୍କୁ ଉତ୍ସାହିତ କର: ମୁଖ୍ୟମନ୍ତ୍ରୀ

Advertisment

ନିଯୁକ୍ତି ପାଇଲେ ୩୨୫ ସ୍ନାତକୋତ୍ତର ଶିକ୍ଷକ, ସମ୍ମାନିତ ହେଲେ ଦ୍ବାଦଶ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ

ନିଯୁକ୍ତି ପାଇଲେ ୩୨୫ ସ୍ନାତକୋତ୍ତର ଶିକ୍ଷକ, ସମ୍ମାନିତ ହେଲେ ଦ୍ବାଦଶ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ

ସ୍ବପ୍ନ ପୂରଣ ପାଇଁ ପିଲାଙ୍କୁ ଉତ୍ସାହିତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୩୨୫ ସ୍ନାତକୋତ୍ତର ଶିକ୍ଷକ(ପିଜିଟି) ନିଯୁକ୍ତି ପାଇଛନ୍ତି। ସେମାନେ ୨୧ଟି ବିଷୟରେ ପାଠ ପଢ଼ାଇବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଭାବେ ପ୍ରଥମ ଥର ଶିକ୍ଷକ ନିଯୁକ୍ତି କରାଯାଇଛି। ବୁଧବାର ଦିନ ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ।

publive-image

ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାଙ୍କ କ୍ୟାରିୟର୍‌ରେ ଦ୍ବାଦଶ ଶ୍ରେଣୀ ଏକ ଗୁରୁତ୍ବପୂର୍ଣ୍ଣ ପାହାଚ। ଏଇଠାରୁ ସେମାନଙ୍କ ପାଇଁ ସବୁପ୍ରକାର ସୁଯୋଗ ରହିଛି। ଆପଣମାନେ ଶିକ୍ଷକ ଭାବେ ସେମାନଙ୍କ ଦକ୍ଷତା ଓ ଆଗ୍ରହକୁ ବୁଝିବାକୁ ଚେଷ୍ଟା କରିବେ। ଯଦି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଉତ୍ସାହିତ କରାଯିବ, ତେବେ ସଫଳତାର ବାଟ କେହି ଓଗାଳିପାରିବେ ନାହିଁ।
ଶ୍ରୀ ପଟ୍ଟନାୟକ କହିଥିଲେ, ସରକାର ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ୫-ଟି ଅଭିଯାନ ଅଧୀନରେ ୬,୮୦୦ରୁ ଅଧିକ ହାଇସ୍କୁଲ୍‌ର ରୂପାନ୍ତରଣ କରାଯାଇଛି। ଏହା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍‌ ଉତ୍ସୁକତା ସୃଷ୍ଟି କରିଛି। ସରକାର ୧୧୦ଟି ହାଇସ୍କୁଲ୍‌କୁ ଉଚ୍ଚ ମାଧ୍ୟମିକ ସ୍କୁଲ୍‌କୁ ଉନ୍ନୀତ କରାଯାଇଛି। ଏହି ସ୍କୁଲ୍‌ଗୁଡ଼ିକ ପାଇଁ ୯୦୦ରୁ ଅଧିକ ଶିକ୍ଷକ, ଅଣଶିକ୍ଷକ ପଦବି ମଞ୍ଜୁର କରାଯାଇଛି। ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ପାଇଁ ଶିକ୍ଷକମାନେ ନିଜର ସବୁ ଦକ୍ଷତାକୁ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷର ଦ୍ବାଦଶ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଛାତ୍ରଛାତ୍ରୀମାନେ ଆମ ରାଜ୍ୟର ଗୌରବ। ସେମାନେ ନିଜ କ୍ୟାରିୟର୍‌ରେ ଭଲ ପ୍ରଦର୍ଶନ କରିବା ସହ ସମାଜ ପାଇଁ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ବିଭିନ୍ନ ବିଭାଗର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ମୁଖ୍ୟ ଶାସନ ସଚିବ ପି କେ ଜେନା ଉପସ୍ଥିତ ଥିଲେ। ଦୁଇ ଜଣ ଶିକ୍ଷକ ପ୍ରିୟଙ୍କା ପତି ଓ ଶିବ ପ୍ରସାଦ ମିଶ୍ର ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ବିଭାଗୀୟ ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe