ଖଣିଜ ସମ୍ପଦ ଉତ୍ତୋଳନ ଉପରେ ଏନ୍‌ଏମ୍‌ଇଟିର ଗୁରୁତ୍ୱ: ଓଡ଼ିଶାର ୩୩ଟି ପ୍ରକଳ୍ପକୁ ମଞ୍ଜୁରି

Advertisment
ଦିନକ ପରେ ଖୋଲିବ ଜିନ୍ଦଲ ଖଣି, ୫ ବର୍ଷ ପରେ ଖଣିକୁ ଫେରିବେ ୫୦ କର୍ମଚାରୀ ଓ ୧୫୦ ଶ୍ରମିକ

The Northern Miner

୧୫ଟି ପ୍ରକଳ୍ପ ସରିଛି, ୧୦ଟି ଚାଲିଛି
ଆଇନ ଶୃଙ୍ଖଳାରେ ଛନ୍ଦି ହୋଇଛି ୩ଟି
୫ଟି ପ୍ରକଳ୍ପରେ ଜଙ୍ଗଲ ବାଧକ

ଭୁବନେଶ୍ବର : ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଚୁର ଖଣିଜ ସମ୍ପଦ ରହିଛି। ସେଗୁଡ଼ିକର ଉତ୍ତୋଳନ ପର୍ଯ୍ୟାପ୍ତ ମାତ୍ରାରେ କରାଗଲେ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ। ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ପାଇଁ ଆଉ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏ ବାବଦରେ ଅର୍ଥର କୌଣସି ଅଭାବ ରହିବନି। ଖଣି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ ବୋଲି ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ(ଏନ୍‌ଏମ୍‌ଇଟି) ପକ୍ଷରୁ ଭୁବନେଶ୍ବରଠାରେ ଅନୁଷ୍ଠିତ କର୍ମଶାଳାରେ ମତ ପ୍ରକାଶ ପାଇଛି।

କେନ୍ଦ୍ର ଖଣିଜ ମନ୍ତ୍ରଣାଳୟ, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ(ଜିଏସ୍‌ଆଇ) ଓ ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡ୍(ଏମ୍‌ଇସିଇଏଲ)ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ୪ଟି ରାଜ୍ୟର ଖଣିଜ ବିକାଶ ନିଗମର ଅଧିକାରୀମା‌ନେ ସାମିଲ ହୋଇଥିଲେ। କର୍ମଶାଳାରୁ ମିଳିଥିବା ତଥ୍ୟ ଅନୁଯାୟୀ ଏନ୍‌ଏମ୍‌ଇଟି ପକ୍ଷରୁ ଓଡ଼ିଶାର ୩୩ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ‌ସେହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୯୬.୭୮ କୋଟି। ସେଥିମଧ୍ୟରୁ ୧୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ୧୦ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ତେବେ ୩ଟି ପ୍ରକଳ୍ପ ଆଇନ ଶୃଙ୍ଖଳା ଭିତରେ ଛନ୍ଦି ହୋଇ ପଡ଼ିଥିବାରୁ ଆଗକୁ ବଢ଼ିପାରୁ ନାହିଁ। ୫ଟି ପ୍ରକଳ୍ପ କାର୍ଯ୍ୟରେ ଜଙ୍ଗଲ ସମ୍ପର୍କିତ ସମସ୍ୟା ବାଧକ ସାଜିଥିବା ଜଣାପଡ଼ିଛି।

କର୍ମଶାଳାରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ ଯେ ଏନ୍‌ଏମ୍‌ଇଟି ପାଣ୍ଠି ମାଧ୍ୟମରେ ଦେଶରେ ଖଣିଜ ଅନ୍ବେଷଣକୁ ବଢ଼ାଇବାରେ ରାଜ୍ୟ ଖଣିଜ ଓ ଭୂବିଜ୍ଞାନ, ଖଣି ନିଗମର ରାଜ୍ୟ ନିର୍ଦ୍ଦେଶାଳୟର ଭୂମିକାକୁ ଉନ୍ମୋଚନ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଖଣିଜ ଉତ୍ତୋଳନ କାର୍ଯ୍ୟକଳାପ ଏଭଳି ହେବା ଆବଶ୍ୟକ, ଯାହାଦ୍ବାରା ଖଣିଜ କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଭାବ ଯଥେଷ୍ଟ ଅନୁଭୂତ ହେବ। ଅବ୍ୟବହୃତ ଖଣିଜ ସମ୍ପଦକୁ ଅନୁସନ୍ଧାନ କରିବା ପାଇଁ ନୋଟିଫାଏଡ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍ସି(ଏନ୍‌ଇଏ)ର ସେବା ବ୍ୟବହାର କରିବାକୁ ରାଜ୍ୟଗୁଡ଼ିକ ଆଗେଇ ଆସିବା ଦରକାର।

ଏହି ଅବସରରେ ଓଡ଼ିଶା ‌ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଖଣିଜ ଅନୁସନ୍ଧାନ ପାଇଁ ସମ୍ଭାବ୍ୟ କ୍ଷେତ୍ର ଉପରେ ଜିଏସ୍‌ଆଇ ଏକ ଉପସ୍ଥାପନା କରିଥିଲା। ଏନ୍‌ଏମ୍‌ଇଟି ରାଜ୍ୟ ସରକାରଙ୍କୁ ଏନ୍‌ଇଏ ମାଧ୍ୟମରେ ଅନୁସନ୍ଧାନ କାର୍ଯ୍ୟକଳାପ ଓ ଏହି ଉଦ୍ଦେଶ୍ୟରେ ଉପଲବ୍ଧ ପାଣ୍ଠିକୁ ବ୍ୟବହାର କରି ସେମାନଙ୍କ ଖଣିଜ ସମ୍ପଦକୁ ବ୍ୟବହାର କରିବା ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରିଛି। ରାଜ୍ୟ ଡିଜିଏମ୍ ଓ ପିଏସ୍‌ୟୁର ଅନ୍ବେଷଣ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଏବଂ ଏନ୍‌ଏମ୍‌ଇଟି ପାଣ୍ଠି ପାଇଁ ଅନୁସନ୍ଧାନ ପ୍ରସ୍ତାବ ଦାଖଲ କରିବାକୁ ରାଜ୍ୟ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା। ଖଣି ମନ୍ତ୍ରଣାଳୟର ଯୁଗ୍ମ ସଚିବ(ଅନୁସନ୍ଧାନ) ୟୁ ସି ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟ ଇସ୍ପାତ ଓ ଖଣିଜ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ଖଣିଜ ସମ୍ପଦ ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଇସିଏଲ୍‌ ସିଏମ୍‌ଡି ରଞ୍ଜିତ ରଥ, ଖଣି ମନ୍ତ୍ରଣାଳୟ ନିର୍ଦ୍ଦେଶକ ଅମିତ ସରଣ, ଜିଏସ୍‌ଆଇ ପୂର୍ବାଞ୍ଚଳ ଜୋନ୍‌ର ଉପ ନିର୍ଦେଶକ ଜୟା ଲାଲ, ଟିସିସି ଚେୟାରମ୍ୟାନ୍‌ ଜନାର୍ଦ୍ଦନ ପ୍ରସାଦଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ୩ଟି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏହା ଚତୁର୍ଥ। ପୂର୍ବରୁ ଜୟପୁରରେ ଗୁଜୁରାଟ ଓ ରାଜସ୍ଥାନ, ଲକ୍ଷ୍ନୌରେ ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଲାଦାଖ, ଉତ୍ତରା‌ଖଣ୍ତ ଓ ଉତ୍ତରପ୍ରଦେଶ, ଭୋପାଳରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମହାରାଷ୍ଟ୍ରର ଅଧିକାରୀମାନେ ସାମିଲ ହୋଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe