ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ଜିଲ୍ଲାର ମନମୁଣ୍ଡା, କଣ୍ଟାମାଳ ଓ ବୌଦ୍ଧ ଥାନା ଅଞ୍ଚଳରେ ଚଢ଼ଉ କରି ୩୩ କିଲୋ ଗଞ୍ଜେଇ ସହ ୨ଟି ବାଇକ୍ ଜବତ କରିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସୂଚନାନୁସାରେ ମନମୁଣ୍ଡା ଥାନା ପଲଶାଗୋରା ରାସ୍ତାରେ ଯାଞ୍ଚ ବେଳେ ବାଇକ (ଓଡି ୧୨ଡି-୦୫୬୯)ରୁ ୮ କିଲୋ ଗଞ୍ଜେଇ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବାଲିଗୋଟା ଗାଁର ଅଭିଯୁକ୍ତ ସୁରେଶ ଚନ୍ଦ୍ର ଦିଗାଲ (୩୫)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେହିପରି କଣ୍ଟାମାଳ ଥାନା କୁମେଲବନ୍ଧ ଛକରେ ଅନ୍ୟ ଏକ ବାଇକ (ଓଡି ୩୧ଇ-୮୫୪୧)ରୁ ୫ କିଲୋ ଗଞ୍ଜେଇ ଜବତ କରାଯାଇ ବଡ଼ଛପାପାଲି ଗାଁର ଶ୍ରୀକାନ୍ତ ଛତ୍ରିଆ (୩୧)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ମନମୁଣ୍ଡା ଅବକାରୀ ଥାନାଧିକାରୀ ରମାକାନ୍ତ ଚାନ୍ଦ ଓ କଣ୍ଟାମାଳ ଅବକାରୀ ଥାନାଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ସୁକେଶିନୀ କୁଜୁର, ସଞ୍ଜୟ ସେଠୀ, ବିଜୟ ବାଘ, ଆନନ୍ଦ ଚନ୍ଦ୍ର ମେହେର, ନିରଞ୍ଜନ ମଲ୍ଲିକ ସାମିଲ ଥିଲେ। ସେହିପରି ବୌଦ୍ଧ ଅବକାରୀ ଥାନାଧିକାରୀ ଅନିତା ସାହୁ ଚୋରାଚାଲାଣ ପାଇଁ ଗଞ୍ଜେଇ ଗଚ୍ଛିତ ଥିବା ସୂଚନା ପାଇ ଗୁରୁଜିମୁଣ୍ଡା ଗାଁ ନିକଟ ନାଳ​ରେ ଚଢ଼ଉ କରିଥିଲେ। ଦୂରରୁ ଅବକାରୀ ଗାଡ଼ି ଦେଖି ଚାଲାଣକାରୀମାନେ ଫେରାର୍ ମାରିଥିବା ବେଳେ ସେଠାରୁ ୨୦ କିଲୋ ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି।
Follow Us