ସୁନ୍ଦରଗଡ଼: ଜମି ଅଧିଗ୍ରହଣ ନକରି ରାସ୍ତା ନିର୍ମାଣ। ତା’ ବି ଜଣେ କି ଦି’ ଜଣ ନୁହେଁ, ୩୪ ଜଣ ଚାଷୀଙ୍କୁ ପ୍ରାୟ ୪ ଏକର ଜମି ଉପରେ ହୋଇଛି ନିର୍ମାଣ। ସବୁଠାରୁ ବଡ଼ କଥା ହେଲା, ତ୍ରୁଟିପୂର୍ଣ୍ଣ ଜମି ମାପ ଯୋଗୁଁ ରାସ୍ତାରେ ସେମାନଙ୍କ ଜମି ଯାଇଛି ବୋଲି ଅଜ୍ଞ ଥିବା କ୍ଷତିଗ୍ରସ୍ତ ଚାଷୀ ଜାଣିଲା ବେଳକୁ ରାସ୍ତା କାମ ଅଧାଅଧି ଶେଷ ହୋଇଯାଇଥିଲା। ଚାଷୀ ଆପତ୍ତି ଉଠାଇବା ସହ ବିରୋଧ କରିଥିଲେ। କିନ୍ତୁ କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ଦେଇ ନିର୍ମାଣ କାମକୁ ଆଗେଇ ନିଆଯାଇଥିଲା।
ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ଚାଷୀ ଅଦାଲତରେ ପହଞ୍ଚିଯିବା ପରେ ରାସ୍ତାର କିଛି ଅଂଶରେ ନିର୍ମାଣ ବନ୍ଦ ପଡ଼ିଛି। ଚାଞ୍ଚଲ୍ୟକର ଅଭିଯୋଗଟି ଆସିଛି ସୁନ୍ଦରଗଡ଼ ସଦର ତହସିଲ ଭଷ୍ମା ଏବଂ ଟାଙ୍ଗରପାଲି ତହସିଲ ଅନ୍ତର୍ଗତ ଅବନକେଲା ଓ ରେମଣ୍ଡା ଗାଁରୁ। ଭଷ୍ମା-ଅବନକେଲା ରାସ୍ତାରେ ନିର୍ମିତ ଇବନଦୀ ସେତୁର ଦୁଇ ପାର୍ଶ୍ବ ସଂଯୋଗୀକରଣ ରାସ୍ତା ପାଇଁ ୩୪ ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଇ ନାହିଁ କି କ୍ଷତିପୂରଣ ଦିଆଯାଇ ନାହିଁ। ଏହି କାରଣରୁ ୯ ବର୍ଷ ହେଲା ସେଠାରେ ରାସ୍ତା କାମ ଅଟକି ରହିଛି। ଇବ ସେତୁ ନିର୍ମାଣ ପରେ ୨୦୧୩-୧୪ରେ ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ ଦ୍ବାରା ପ୍ରାୟ ୮ କୋଟି ବ୍ୟୟ ଅଟକଳରେ ଉଭୟ ପାର୍ଶ୍ବ ସଂଯୋଗୀକରଣ ରାସ୍ତା କାମ ଆରମ୍ଭ ହୋଇଥିଲା। ଟେଣ୍ଡର ପାଇଥିବା ଠିକା ସଂସ୍ଥା ଇସାର ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍ ୫.୯.୨୦୧୪ରେ ଏହାର ନିର୍ମାଣ ଆରମ୍ଭ କରିଥିଲେ। ତେବେ ଏହି ସମୟରେ ତ୍ରୁଟିପୂର୍ଣ୍ଣ ଭାବେ ଜମି ମାପ କରି ଅଧିଗ୍ରହଣ କରାଯାଇଥିବାରୁ ଭଷ୍ମା, ଅବନକେଲା ଓ ରେମଣ୍ଡା ଗାଁର ୩୪ ଜଣ ଚାଷୀଙ୍କ ୪ ଏକର ଜମି ରାସ୍ତାରେ ବ୍ୟବହୃତ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ତାଲିକାରେ ସେମାନଙ୍କ ନାମ ଆସି ନଥିଲା। ସେମାନେ ପ୍ରଥମେ ଏ ସମ୍ପର୍କରେ ଜାଣି ପାରି ନଥିଲେ। ରାସ୍ତା ନିର୍ମାଣ ବେଳକୁ ସବୁ କଥା ସାମ୍ନାକୁ ଆସିଥିଲା ଓ ସେମାନେ ଏହାର ବିରୋଧ କରିଥିଲେ। ବହୁ ଦାବି ପରେ ପୁଣି ଥରେ ଜମି ମାପ କରାଯାଇଥିଲା।
ସେତେବେଳେ ରାସ୍ତାରେ ବ୍ୟବହୃତ ୪ ଏକର ଜମିରେ ଅଧିଗ୍ରହଣ ହୋଇ ନଥିବା ଜଣାପଡ଼ିଥିଲା। କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇଁ ଦାବି କରି ରାସ୍ତା କାମ ବନ୍ଦ କରି ଦେଇଥିଲେ। ୩୪ ଚାଷୀଙ୍କ ମଧ୍ୟରୁ ୮ ଜଣ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ଠାରୁ ସିଧାସଳଖ ଜମି କିଣିବା ଉପରେ କଟକଣା ରହିଛି। ତେଣୁ ଜମି ଅଧିଗ୍ରହଣ ପାଇଁ ଆବେଦନ କରାଯାଇଛି। କିନ୍ତୁ ଆବେଦନ ପ୍ରଶାସନର ଫାଇଲ ଭିତରେ ସେମିତି ବନ୍ଦ ପଡ଼ିଛି। ଅନ୍ୟପଟେ ଅନ୍ୟ ୨୬ ଜଣ ଚାଷୀଙ୍କ ଜମି ସିଧାସଳଖ କିଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ବିକ୍ରି ସୂତ୍ରରେ କମ୍ ଅର୍ଥ ମିଳୁଥିବାରୁ ଚାଷୀ ଏହି ପ୍ରକ୍ରିୟାରେ ଜମି ଦେବାକୁ ମନା କରି ଦେଇଛନ୍ତି।
ତେବେ କ୍ଷତିଗ୍ରସ୍ତ ଚାଷୀଙ୍କ ଦାବିକୁ ଅଣଦେଖା କରି ଠିକା ସଂସ୍ଥା ଅନେକ ସମୟରେ ପୁଲିସ ବଳ ଲଗାଇ ରାସ୍ତା ନିର୍ମାଣ କରି ନେଉଥିବା ଅଭିଯୋଗ ହୋଇଛି। ଏସ୍ଥିତିରେ ଭଷ୍ମା ଓ ରେମଣ୍ଡା ଗାଁର ୩ ଜଣ ଚାଷୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ସେମାନଙ୍କ ଜମିରେ ରାସ୍ତା ନିର୍ମାଣ ଆଗେଇ ପାରି ନାହିଁ। ଏଯାଏ ତାହା କଚ୍ଚା ସଡ଼କ ହୋଇ ରହିଛି। ଠିକା ସଂସ୍ଥା ସେଠାରେ ମାଟି ମୁରୁମ ପକାଇ ସେମିତି ଛାଡ଼ି ଦେଇଛି। ଯେଉଁଥିପାଇଁ ସେଠାରେ ରାସ୍ତା ଦଦରା ହୋଇପଡ଼ିଛି। ସାଧାରଣଲୋକଙ୍କ ପାଇଁ ଯାତାୟତ ଏଠାରେ କଷ୍ଟଦାୟକ ରହିଛି। ହେଲେ ଏଯାଏ ନା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇଛି ନା ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି। ୧୦ ନମ୍ବର ରାଜ୍ୟ ରାଜପଥରୁ ଦର୍ଲିପାଲି ଏନଟିପିସି ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସଂଯୋଗ କରୁଥିବା ଏହି ରାସ୍ତାର ଏଭଳି ଅଭାବନୀୟସ୍ଥିତି ପ୍ରତି ପ୍ରଶାସନର ଉଦାସୀନତା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Follow Us