‘ସଂଗରୋଧ’ ମାନୁ ନାହାନ୍ତି ସନ୍ଦିଗ୍ଧ, ତିନି ଦିନରେ ୩୫ ମାମଲା

Advertisment

ଲକ୍‌ଡାଉନ୍ ଉଲ୍ଲଂଘନ ନେଇ ୭୭୨ ମାମଲା

ଲକ୍‌ଡାଉନ୍ ଉଲ୍ଲଂଘନ ନେଇ ୭୭୨ ମାମଲା

‘ସଂଗରୋଧ’ ମାନୁ ନାହାନ୍ତି ସନ୍ଦିଗ୍ଧ, ତିନି ଦିନରେ ୩୫ ମାମଲା

ଭୁବନେଶ୍ବର: କରୋନାକୁ ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତ୍ବ, ସଂଗରୋଧ ଏକମାତ୍ର ବାଟ। ସାରା ବିଶ୍ବର ସ୍ଥିତି ବିଗୁଡ଼ୁଥିବା ବେଳେ ଏହାକୁ ଆଖି ଆଗରେ ରଖି ୨୧ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିହାତି ଜରୁରି ନ ପଡ଼ିଲେ ଘରୁ ନ ବାହାରିବା ପାଇଁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୁଲିସ, ପ୍ରଶାସନ ସମସ୍ତେ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି। କିନ୍ତୁ କେତେକ ଲୋକ ମାନିବାକୁ ନାରାଜ। ଏପରିକି ବିଦେଶ ଫେରନ୍ତା କିମ୍ବା ସନ୍ଦିଗ୍ଧମାନେ ବି ସଂଗରୋଧରେ ନ ରହି ଖୋଲାରେ ବାହାରେ ବୁଲୁଥିବା ଘଟଣା ବଢ଼ି ଚାଲିଛି। ୨୬ରୁ ୨୭ ତାରିଖ ପର୍ଯ୍ୟନ୍ତ ୨୪ ଘଣ୍ଟା ଭିତରେ ସଂଗରୋଧ ଆଇନ ଭାଙ୍ଗିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ୨୫ଟି ମାମଲା ରୁଜୁ ହୋଇଛି। ଗତ ତିନି ଦିନରେ ଏହି ସଂଖ୍ୟା ୩୫ ଛୁଇଁଲାଣି। କେବଳ ରାଜଧାନୀ ଭୁବନେଶ୍ବରରେ ଏହି ସଂଖ୍ୟା ୫ରୁ ଅଧିକ ବୋଲି ଜଣାଯାଇଛି। ଏହା କେବଳ ପୁଲିସ ପାଖରେ ପହଞ୍ଚୁଥିବା କେତେକ ନିର୍ଦ୍ଦିଷ୍ଟ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି।

ଆହୁରି ଅନେକ ଘଟଣାରେ ବିଦେଶ ଫେରନ୍ତା ଓ ସନ୍ଦିଗ୍ଧମାନେ ଖୋଲାଖୋଲି ବୁଲିଥିବାର ବିଭିନ୍ନ ଅଞ୍ଚଳରେ ଅଭିଯୋଗ ଉଠୁଛି। ବିଶେଷକରି ସାଉଦି ଆରବରୁ ଫେରିଥିବା ଶହ ଶହ ଶ୍ରମିକ, ବ୍ୟକ୍ତି ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଂଗରୋଧ ଆଇନକୁ ଖିଲାପ କରି ବୁଲୁଥିବା ଅଭିଯୋଗ ମଧ୍ୟ ଆସୁଛି। ଯାହାକି ଉଦ୍‌ବେଗର ବିଷୟ ପାଲଟିଛି। ଦିଲ୍ଲୀରୁ ଫେରିଥିବା ବ୍ୟକ୍ତିଙ୍କର କରୋନା ପଜିଟିଭ୍ ବାହାରିବା ପରେ ସାଧାରଣରେ ଭୟ ଆହୁରି ବଢ଼ି ଯାଇଛି। ସେ ବିଦେଶରୁ ଫେରି ନ ଥିଲେ ବି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କର ପଜିଟିଭ୍ ବାହାରିଥିବା ଅନୁମାନ କରାଯାଉଛି। ଆହୁରି କେତେ ସଂଗରୋଧ ଆଇନ ଭାଙ୍ଗି ସର୍ବସାଧାରଣରେ ବୁଲୁଛନ୍ତି? ରାଜଧାନୀରେ କେତେ ଏଭଳି ବ୍ୟକ୍ତି ଅଛନ୍ତି? ନିଜେ ସଚେତନ ନ ହୋଇ ବୁଲୁଥିବା ବ୍ୟକ୍ତିଙ୍କୁ କେମିତି ଚିହ୍ନଟ କରାଯିବ? କେମିତି ସେମାନଙ୍କୁ ଧରାଯିବ, ଏହାକୁ ନେଇ ଉଠିଛି ପ୍ରଶ୍ନ। ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ, ୨୫ତାରିଖ ସକାଳୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୫ଜଣ ଉଲ୍ଲଙ୍ଘନକାରୀ ଧରା ପଡ଼ିଛନ୍ତି। ଏଥିରୁ ୨୪୩ଟି ତାଲା ବନ୍ଦ ଉଲ୍ଲଂଘନ ହୋଇଥିବା ବେଳେ ୫ଟି ଗୃହ ସଂଗରୋଧ ଓ ୭ଟି ଅନ୍ୟାନ୍ୟ ଉଲ୍ଲଂଘନ ହୋଇଥିବା ରେକର୍ଡ କରାଯାଇଛି। ୨୪ ତାରିଖ ସକାଳୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୧୪୯ ଜଣ ଉଲ୍ଲଂଘନକାରୀ ଧରାପଡ଼ିଥିଲେ। ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe