ମଦଭାଟିରୁ ୩.୫ କୋଟି ଲୁଟ୍‌ ମାମଲା: ଧରାପଡ଼ିଲା ୮ ଜଣିଆ ଝାଡ଼ଖଣ୍ଡୀ ଗ୍ୟାଙ୍ଗ୍‌, ଜଙ୍ଗଲରୁ ଜବତ ହେଲା ସବୁତକ ଟଙ୍କା

Advertisment

ଜାନୁଆରି ୩୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ଏକ ଦେଶୀ ମଦଭାଟିରୁ ଡକାୟତମାନେ ୩.୫ କୋଟି ଟଙ୍କା ଲୁଟି ନେଇଥିଲେ। ଏତେ ବଡ଼ଧରଣର ଡକାୟତି ମାମଲା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା।

ଜାନୁଆରି ୩୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ଏକ ଦେଶୀ ମଦଭାଟିରୁ ଡକାୟତମାନେ ୩.୫ କୋଟି ଟଙ୍କା ଲୁଟି ନେଇଥିଲେ। ଏତେ ବଡ଼ଧରଣର ଡକାୟତି ମାମଲା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା।

dgdgdgc

ଭୁବନେଶ୍ବର/ଧର୍ମଗଡ଼: ଜାନୁଆରି ୩୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ଏକ ଦେଶୀ ମଦଭାଟିରୁ ଡକାୟତମାନେ ୩.୫ କୋଟି ଟଙ୍କା ଲୁଟି ନେଇଥିଲେ। ଏତେ ବଡ଼ଧରଣର ଡକାୟତି ମାମଲା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। କିନ୍ତୁ ୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲା ପୁଲିସ ଏହି ଲୁଟ୍‌ରେ ସମ୍ପୃକ୍ତ ୮ଜଣିଆ ଝାଡ଼ଖଣ୍ଡୀ ଡକାୟତ ଗ୍ୟାଙ୍ଗ୍‌କୁ ବାନ୍ଧିବା ସହ ସବୁତକ ଟଙ୍କା ଜବତ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ରାଞ୍ଚି ଅଞ୍ଚଳର ଅନ୍‌ସାରୀ ଗ୍ୟାଙ୍ଗ୍‌ ଭାବେ ଜଣାଶୁଣା ତାହିର୍‌ ଅନ୍‌ସାରୀ, ସମିମ୍  ଅନସାରୀ,  ସାମିମ୍ ଅନସାରୀ, ହୁସେନ୍‌ ଖାଁ, ଜସିମ୍‌ ଖାଁ, ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍ ଓ ଅନୁଜ କୁମାର୍‌। ସେମାନଙ୍କ ନିକଟରୁ ଏକ ପିସ୍ତଲ, ଡକାୟତିରେ ବ୍ୟବହାର ହୋଇଥିବା ବୋଲେରୋ(ଜେଏଚ୍‌ ୧୦ ଏପି ୪୮୧୭)କୁ ଜବତ କରାଯାଇଛି। ବହୁ ଦିନର ରେକି ପରେ ଝାଡ଼ଖଣ୍ଡ ରାଞ୍ଚିରୁ ପ୍ରାୟ ୬୦୦ କିଲୋମିଟର ଦୂରତା ଅତିକ୍ରମ କରି ଅନ୍‌ସାରୀ ଗ୍ୟାଙ୍ଗ୍‌ କଳାହାଣ୍ଡି ଧର୍ମଗଡ଼ରୁ ଯୋଜନାବଦ୍ଧ ଡକାୟତି କରିବାରେ ସଫଳ ହୋଇଥିଲେ ହେଁ ଲୁଟ୍‌ ପରବର୍ତ୍ତୀ କାର୍ଯ୍ୟପନ୍ଥା ସେମାନଙ୍କୁ ପୁଲିସ ପଞ୍ଝାରେ ଧରା ପକାଇଦେଇଛି। 

ଆଜି ଡିଜିପି ୱାଇ ବି ଖୁରାନିଆ ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଡକାୟତି ସମ୍ପର୍କରେ ସୂଚନା ଦେବା ସହ ଏହି ଗ୍ୟାଙ୍ଗ୍‌କୁ ଧରିବାରେ ସହଯୋଗ କରିଥିବା ୧୧ ଜିଲ୍ଲାର ପୁଲିସଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍‌ସାରୀ ଗ୍ୟାଙ୍ଗ୍‌ର ସମସ୍ତ ସଦସ୍ୟ ପୁଲିସ ଜାଲରେ ପଡ଼ିଛନ୍ତି ଏବଂ ଲୁଟ୍‌ ହୋଇଥିବା ସବୁ ଟଙ୍କା ମିଳିଛି। ତଥାପି ଏହି ଗ୍ୟାଙ୍ଗ୍‌କୁ ସ୍ଥାନୀୟ କୌଣସି ବ୍ୟକ୍ତି ରେକି କରିବାରେ ସହଯୋଗ କରିଥିବା ନେଇ ପୁଲିସ ଖୋଳତାଡ଼ କରୁଛି ବୋଲି ସେ କହିଛନ୍ତି। ରୋଚକ କଥା ହେଉଛି ମଦଭାଟିର ମାଲିକ ହେଉଛନ୍ତି ଜଣେ ଝାଡ଼ଖଣ୍ଡୀ। ଉକ୍ତ ଝାଡ଼ଖଣ୍ଡୀ ମଦ ବ୍ୟବସାୟୀଙ୍କର ଭବାନୀପାଟଣାରେ ୧୦ଟି ଓ ଧର୍ମଗଡ଼ରେ ୮ଟି ଏମିତି ମୋଟ ୧୮ଟି ମଦଭାଟି ରହିଛି। ଡକାୟତି ହୋଇଥିବା ମଦଭାଟି ଧର୍ମଗଡ଼ ଥାନାଠାରୁ ୭କିମି ଦୂରରେ ଅବସ୍ଥିତ ଏବଂ ଏଠାରୁ ସମସ୍ତ ୧୮ ଭାଟିର ପରିଚାଳନା କରାଯାଇଥାଏ। ମାସ ଶେଷ ହୋଇଆସିଥିବାରୁ ମାଲିକ ଏଠାରେ କର୍ମଚାରୀଙ୍କ ଦରମା, ଗାଡ଼ି ଭଡ଼ା ଓ ଅନ୍ୟାନ୍ୟ ମାସିକ ଦେଣନେଣ ପାଇଁ ଟଙ୍କା ସାଇତି ରଖିଥିଲେ। ତେଣୁ ଡକାୟତି ଗ୍ୟାଙ୍ଗ୍‌ ଠିକଣା ସମୟରେ ହିଁ ହାତ ମାରିଥିଲା।

କେମିତି ଧରାପଡ଼ିଲେ
ଘଟଣା ଦିନ ରାତିରେ ଦୁର୍ବୃତ୍ତମାନେ ଏକ ବୋଲେରୋରେ ଆସି ଭାଟିରେ ପହଞ୍ଚିଥିଲେ। ଅତର୍କିତ ଭାବେ ସେମାନେ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଭାଟି ଭିତରକୁ ଧସେଇ ପଶିଥିଲେ। ବଡ଼ କଥା ହେଉଛି ସେମାନେ ସିଧାସଳଖ ଟଙ୍କା ଥିବା ରୁମ୍‌କୁ ପଶିଯାଇଥିଲେ ଏବଂ ମାତ୍ର ୧୦/୧୨ ମିନିଟ୍‌ ଭିତରେ ସବୁତକ ଟଙ୍କା ବ୍ୟାଗ୍‌ରେ ଭର୍ତ୍ତି କରି ଭାଟିରୁ ବାହାରି ଯାଇଥିଲେ। ସେମାନେ ଭାଟିରୁ ବାହାରିବା ମାତ୍ରେ କର୍ମଚାରୀମାନେ ବଡ଼ ପାଟି କରିବା ସହ ଧର୍ମଗଡ଼ ଥାନାକୁ ଫୋନ୍‌ କରି ଜଣାଇଥିଲେ। ଏମିତିକି ସେମାନେ ଗାଡ଼ି ନମ୍ବର ପୁଲିସକୁ ଜଣାଇଦେଇଥିଲେ। ଖବର ପାଇ କଳାହାଣ୍ଡି ଏସ୍‌ପି ତୁରନ୍ତ ଜିଲ୍ଲାର ସମସ୍ତ ଥାନାକୁ ସତର୍କ କରାଇଥିଲେ ଏବଂ ସମସ୍ତ ରାସ୍ତାରେ ପଇଁତରା ମାରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏଥିସହିତ ଝାଡ଼ଖଣ୍ଡ ଗାଡ଼ି ହୋଇଥିବାରୁ ସେ ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ରାଉରକେଲା ସମେତ ଝାଡ଼ଖଣ୍ଡର ଗୁମଲା ଓ ରାଞ୍ଚି ରୁରାଲ୍‌ ପୁଲିସକୁ ଜଣାଇଥିଲେ। ସମସ୍ତ ଟୋଲ୍‌ଗେଟ୍‌ରେ କର୍ମଚାରୀମାନଙ୍କୁ ଗାଡ଼ି ନମ୍ବର ଜଣାଇ ଦିଆଯାଇଥିଲା। କିନ୍ତୁ ସେମାନେ ରାତିକ ଭିତରେ ଓଡ଼ିଶା ପାର୍‌ ହୋଇ ରାଞ୍ଚିରେ ପହଞ୍ଚି ସାରିଥିଲେ।

ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଧର୍ମଗଡ଼ରେ ହିଁ ଛାଡ଼ି ପଳାଇଥିଲେ। ଡିଜିପିଙ୍କ ସୂଚନାନୁସାରେ ଧର୍ମଗଡ଼ ଥାନା ପୁଲିସ ଡକାୟତ ଗ୍ୟାଙ୍ଗ୍‌କୁ ପିଛା କରୁଥିବା ବେଳେ ଭାଟିଠାରୁ ଅନତି ଦୂରରେ ଏକ ଜଙ୍ଗଲିଆ ଜାଗାରେ ୨ଜଣଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିଥିଲା। ସେମାନେ ଗାଡ଼ିକୁ ଲିଫ୍‌ଟ ମାଗୁଥିଲେ, ମାତ୍ର ପୁଲିସ ଗାଡ଼ି ବୋଲି ଜାଣିବା ପରେ ଜଙ୍ଗଲ ଭିତରକୁ ଦୌଡ଼ିଥିଲେ। ପୁଲିସ କର୍ମଚାରୀମାନେ ସେ ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଡକାୟତି ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ପୂର୍ବରୁ ଏହି ଭାଟିରେ କାମ କରୁଥିଲା ଏବଂ ସେ ରେକି କରିବାରେ ସହଯୋଗ କରିଥିଲା। ତା’ଠାରୁ ସୂଚନା ମିଳିବା ମାତ୍ରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ରାଞ୍ଚିରେ ପହଞ୍ଚି ସେଠିକା ପୁଲିସ ସହଯୋଗରେ ସମସ୍ତଙ୍କୁ ଉଠାଇଥିଲା। ରାଞ୍ଚି ପୁଲିସ ସୂଚନାନୁସାରେ ଏହି ଦୁର୍ଦ୍ଦର୍ଷ ଗ୍ୟାଙ୍ଗ୍‌ ନାଁରେ ବହୁ ଡକାୟତି ମାମଲା ରହିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଡକାୟତ ଦଳ ସେ ଦୁଇଜଣଙ୍କୁ କ’ଣ ପାଇଁ ଛାଡ଼ି ପଳାଇଥିଲେ, ସେନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ସେନେଇ ଖୋଳତାଡ଼ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe