ରାଜ୍ୟ ସରକାରଙ୍କ ୪ ବିଭାଗରେ ଯୋଗଦେଲେ ୩୬୭

ରାଜ୍ୟ ସରକାରଙ୍କ ୪ ବିଭାଗରେ ଯୋଗଦେଲେ ୩୬୭

ଭୁବନେଶ୍ବର: ୩୬୭ ଅଧିକାରୀ ଓ କର୍ମଚାରୀ ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଯୋଗ ଦେଇଛନ୍ତି। ଏଥିରେ ଇଏସ୍‌ଆଇ ନିର୍ଦ୍ଦେଶାଳୟ ଅଧୀନରେ ୮୦ଜଣ ଷ୍ଟାଫ ନର୍ସ, ୪୦ ଫାର୍ମାସିଷ୍ଟ, ୪୦ ଏଲ୍‌ଟି, ୮ ଏଏନ୍‌ଏମ୍‌, ୮ ଏକ୍ସ-ରେ ଟେକ୍ନିସିଆନ, ୯ ଓଟି ଆସିଷ୍ଟାଣ୍ଟ୍‌, ୪୮ ହସ୍ତତନ୍ତ ପ୍ରୋତ୍ସାହନ ଅଧିକାରୀ, ୭ ଇନ୍‌ସପେକ୍ଟର ଅଫ କୋପରେଟିଭ୍ ସୋସାଇଟି, ହସ୍ତତନ୍ତ ନିର୍ଦ୍ଦେଶାଳୟରେ ୩ ଅଡିଟର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ କନିଷ୍ଠ ସହାୟକ, କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟରେ ୯ ସହାୟକ ନିର୍ଦ୍ଦେଶକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୧୦୪ ଯୋଗାଣ ନିରୀକ୍ଷକ ରହିଛନ୍ତି।

ଏହି ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ରାଜ୍ୟର ଲୋକଙ୍କ ସେବା କରିବା ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ୍। ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ହେଁ ସମସ୍ତେ ହେଉଛନ୍ତି ସରକାରୀ କର୍ମଚାରୀ। ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ନିଜର ପରିବାର ସଦସ୍ୟଙ୍କ ଭଳି ବ୍ୟବହାର କରିବା ଦରକାର। ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ଗତ ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଏକ ଆତ୍ମବିଶ୍ବାସ ଓ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ୫-ଟି ଉପକ୍ରମରେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛତା, ଟିମ୍‌ ୱାର୍କ, ଟେକ୍ନୋଲୋଜି ଓ ସମୟାନୁବର୍ତ୍ତିତାକୁ ସୁନିଶ୍ଚିତ କରାଯାଇଛି। ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବା ଆବଶ୍ୟକ। ଦଳଗତ ଭାବେ କାର୍ଯ୍ୟ କଲେ ତାହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଶ୍ରମ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ କହିଥିଲେ, ବର୍ତ୍ତମାନ ଓଡ଼ିଶା ଅନେକ କ୍ଷେତ୍ରରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି। ରାଜ୍ୟବାସୀ ରୂପାନ୍ତରର ଲାଭ ପାଉଛନ୍ତି। ନବନିଯୁକ୍ତ କର୍ମଚାରୀମାନେ ୫-ଟି ନୀତି ଅବଲମ୍ବନ କରିବାକୁ ଦୁହେଁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ହସ୍ତତନ୍ତ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରମ ବିଭାଗ ସଚିବ ଆରଏସ୍‌ ଗୋପାଳନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe