ବଲାଙ୍ଗୀରରେ ଚଢ଼ଉ: ୩୭ କଫ୍‌ସିରପ୍‌ ବେପାରୀ ଗିରଫ

ବଲାଙ୍ଗୀରରେ ଚଢ଼ଉ: ୩୭ କଫ୍‌ସିରପ୍‌ ବେପାରୀ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ପୁଲିସର ମିସନ କ୍ଲିନ୍‌ କ୍ରିମିନାଲ ପରେ କ୍ଲିନ୍‌ କଫ୍‌ସିରପ୍‌ ଅଭିଯାନରେ ୩୭ ଜଣ କଫ୍‌ସିରପ୍‌ ବ୍ୟବସାୟୀ ଜେଲ୍‌ ଯାଇଛନ୍ତି। କଫ୍‌ସିରପ୍‌ ମୁଖ୍ୟ ଯୋଗାଣକାରୀ କଟକର ମାଷ୍ଟରମାଇଣ୍ଡ ତୋଫାନ ବଢ଼େଇ, ବଲାଙ୍ଗୀର ନେଟୱର୍କକୁ ପରିଚାଳନା କରୁଥିବା ରାକେଶ ପ୍ରଧାନ, ବରଗଡ଼ ନେଟୱର୍କକୁ ପରିଚାଳନା କରୁଥିବା ଗାଈସିଲେଟର ହରିଶ୍ଚନ୍ଦ୍ର ସାହୁ ସମେତ ୩୫ରୁ ଅଧିକ ନିଶା ବେପାରୀଙ୍କୁ ରବିବାର ସଂଧ୍ୟାରେ ପୁଲିସ ଗିରଫ କରିଥିଲା।

ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ସୋମବାର ଏସ୍‌ପି ନିତିନ କୁଶଲକର ପୂରା କଫ୍‌ସିରପ୍‌ କାରବାର ନେଟୱର୍କ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି। ଏସ୍‌ପି ଶ୍ରୀ କୁଶଲକର କହିଛନ୍ତି, ସୋମବାର ୪ ମହିଳାଙ୍କ ସମେତ ୩୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏମାନଙ୍କ ଭିତରେ ୨ ଜଣ ଉତ୍ତରପ୍ରଦେଶର ଥିବା ବେଳେ କଟକର ୬ ଜଣ ଓ ବରଗଡ଼ର ୩ ଜଣ ଓ ଅନ୍ୟ ୨୬ ଜଣ ବଲାଙ୍ଗୀରର ରହିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏମାନଙ୍କ ପାଖରୁ ପୁଲିସ ୮୧ଟି ପେଟିରେ ଥିବା ୧୨ ହଜାର ୯୬୦ ବୋତଲ କଫ୍‌ସିରପ୍‌ ଜବତ କରିଛି। ଏପରିକି କଫ୍‌ସିରପ୍‌ ଚାଲାଣରେ ବ୍ୟବହୃତ ମହିନ୍ଦ୍ରା ଏକ୍ସୟୁଭି କାର୍‌, ୨ଟି ପିକ୍‌ଅପ୍‌ ଭ୍ୟାନ୍‌, ଗୋଟିଏ ଟାଟା ଏସିଇ ଭ୍ୟାନ୍‌, ୨ଟି ବାଇକ୍‌, ୧୭ଟି ମୋବାଇଲ୍‌ ଫୋନ୍‌, ସୁନାଗହଣା, ୭ ହଜାର ୫୦୦ ଟଙ୍କା ଜବତ କରିଛି। ସେହିପରି କଫ୍‌ସିରପ୍‌ ବ୍ୟବସାୟୀ ପ୍ରଶାନ୍ତ କ୍ଷେତୀ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ପୁଲିସ ଜବତ କରିଛି। କୋଲକାତାରୁ କଟକ ଓ ସେଠାରୁ ବଲାଙ୍ଗୀରକୁ କଫ୍‌ସରିପ୍‌ ଆସୁଥିବା ବେଳେ କୋଲକାତାର କଫ୍‌ସିରପ୍‌ ଯୋଗାଣ କରୁଥିବା କମ୍ପାନିର ୨ କୋଟି ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ଫ୍ରିଜ୍‌ କରିଦେଇଛି।

publive-image

ବଲାଙ୍ଗୀରରେ କଫ୍‌ସିରପ୍‌ କାରବାର ରୋକିବାକୁ ଯୋଜନା ହୋଇଥିଲା। ଗତ ଏକମାସ ହେଲା ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ଟିମ୍‌ କଫ୍‌ସିରପ୍‌ କାରବାର ଉପରେ ରଖିଥିଲା ତୀକ୍ଷ୍ଣ ନଜର। ଜିଲ୍ଲାର ବିଭିନ୍ନ ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ ହୋଇଥିଲା। ଟିମ୍‌ରେ ସାଇବର୍‌ ସେଲ୍‌ ଅଧିକାରୀ ଓ ଡିଭିଏଫ୍‌ କନେଷ୍ଟବଳ ବି ସାମିଲ ଥିଲେ। ଗୁଇନ୍ଦା ସୂଚନା ଆଧାରରେ ରବିବାର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରି ସଫଳତା ପାଇଥିବା ଏସ୍‌ପି କହିଛନ୍ତି। କଟକରୁ ବଲାଙ୍ଗୀରକୁ କଫ୍‌ସିରପ୍‌ ବୋଝେଇ ହୋଇ ଆସୁଥିବା ସମୟରେ ସୁଦପଡ଼ାଠାରେ ପୁଲିସ ବଲାଙ୍ଗୀର ତଥା ପଶ୍ଚିମ ଓଡ଼ିଶାକୁ ଯୋଗାଣ କରୁଥିବା ତୋଫାନ ବଢ଼େଇ ସହ ୮ ଜଣଙ୍କୁ ଘଟଣାସ୍ଥଳରୁ ଧରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ବଲାଙ୍ଗୀର ଓ ବରଗଡ଼ ନେଟୱର୍କ ପରିଚାଳନା କରୁଥିବା ନିଶା ବେପାରୀଙ୍କୁ ଧରିଥିଲା। ପରେ ସେମାନଙ୍କ ସୂଚନା ଆଧାରରେ ଏଠିକାର କୁଚିଆ ଓ ବଡ଼ବଡ଼ କଫ୍‌ସିରପ୍‌ ବ୍ୟବସାୟୀଙ୍କୁ ଧରାଯାଇଥିଲା।

ତୋଫାନର ସୂଚନା ଦେଇ କହିଥିଲା ଯେ ସେ କୋଲକାତାର ଏମ୍‌/ଏସ୍‌ ଡାଫୋଡିଲ୍‌ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡ କମ୍ପାନିରୁ ମାଲ ଉଠାଇଥିଲା। ଏଣୁ ସେହି କମ୍ପାନିର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିଲା। ସେହି ଆକାଉଣ୍ଟରେ ୨ କୋଟି ଟଙ୍କା ଥିବାରୁ ଫ୍ରିଜ୍‌ କରି ରଖାଯାଇଛି ଓ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ହିମାଚଳପ୍ରଦେଶର ଏକ କମ୍ପାନି କଫ୍‌ସିରପ୍‌ ପ୍ରସ୍ତୁତ କରୁଛି। ସେ କୋଲକାତାକୁ କଫ୍‌ସିରପ୍‌ ପଠାଉଛି। କୋଲକାତାର ଡାଫୋଡିଲ୍‌ ଡ୍ରଗ୍ସ ଲିମିଟେଡ଼ରୁ କଟକର ତୋଫାନ ବଢ଼େଇ କଫ୍‌ସିରପ୍‌ ଆଣୁଥିବା ଜଣାପଡୁଛି। କଟକ ଜଗତପୁରରେ ତୋଫାନ ଭିନ୍ନ ଭିନ୍ନ ସ୍ଥାନରେ ଗୋଦାମ ବି କରିଛି। ବରାଦ ଅନୁସାରେ କଫ୍‌ସିରପ୍‌ ଆସୁ ଆସୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଛି। ଜିଲ୍ଲା ସ୍ତରରେ ଥିବା ନିଶା ମାଫିଆମାନେ ସବୁ କୁଚିଆଙ୍କୁ କଫ୍‌ସିରପ୍‌ ଯୋଗାଉଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe