India.com
ଭୁବନେଶ୍ୱର : ଗତ ୩ଦିନ ଭିତରେ ରାଜ୍ୟକୁ ୩୮୦ ବିଦେଶ ଫେରନ୍ତା ଆସିଛନ୍ତି। ମାତ୍ର ସେମାନଙ୍କ ଭିତରୁ କେତେଜଣ କରୋନାର ନୂତନ ପ୍ରଜାତି ‘ଓମିକ୍ରନ୍’ ଚିହ୍ନଟ ହୋଇଥିବା ଦେଶ ଓ ଅନ୍ୟ ଦେଶରୁ ଆସିଛନ୍ତି ତାହାର ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଏହାସହ ଏତେ ସଂଖ୍ୟକ ବିଦେଶ ଫେରନ୍ତା କେଉଁ କେଉଁ ଜିଲ୍ଲାକୁ ଯାଇଛନ୍ତି ତାହା ମଧ୍ୟ ଜଣାପଡ଼ୁନି। ତେଣୁ ସେମାନଙ୍କ ନମୁନା ପରୀକ୍ଷା ସମ୍ଭବ ହୋଇପାରୁ ନାହିଁ। କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ପକ୍ଷରୁ ‘ଏୟାର ସୁବିଧା’ ପୋର୍ଟାଲ ବ୍ୟବହାର ଅନୁମତି ମିଳିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।
‘ଓମିକ୍ରନ୍’କୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହେବା ପରେ ରାଜ୍ୟ ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି। ରାଜ୍ୟର ଦୁଇ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ମୁମ୍ବାଇ ଓ ଅନ୍ୟ ରାଜ୍ୟରେ ପଜିଟିଭ୍ ଚିହ୍ନଟ ବିଦେଶ ଫେରନ୍ତାଙ୍କ ଜିନ୍ ଅନୁଶୀଳନ ଆରମ୍ଭ ହୋଇଛି। ମାତ୍ର ଗତ କିଛିଦିନ ଭିତରେ ବିଦେଶ ଫେରାନ୍ତଙ୍କୁ ନେଇ ରାଜ୍ୟ ସରକାର ଅନ୍ଧାରରେ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗତକାଲି କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ବୈଠକରେ ‘ଏୟାର ସୁବିଧା’ ପୋର୍ଟାଲର ବ୍ୟବହାର ପାଇଁ ଅନୁମତି ମଗାଯାଇଛି। ଏହାଭିତରେ ୩୮୦ଜଣ ଯାତ୍ରୀଙ୍କ ସଂପର୍କରେ ସୂଚନା ମିଳିଛି। ହେଲେ ସେମାନଙ୍କ ସବିଶେଷ ତଥ୍ୟ ନାହିଁ। ଯଦି କେନ୍ଦ୍ର ସରକାର ‘ଏୟାର ସୁବିଧା’ ପୋର୍ଟାଲ ବ୍ୟବହାର ପାଇଁ ଅନୁମତି ଦିଅନ୍ତି ତାହାଲେ ଜିଲ୍ଲାୱାରୀ ସେମାନଙ୍କର ତାଲିକା ମିଳିପାରିବ। ଯାହାଫଳରେ ବିଦେଶ ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ପରୀକ୍ଷା ସମ୍ଭବ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୭ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧୩, କଟକ ୧୯, ସୁନ୍ଦରଗଡ଼ ୧୬, ସମ୍ବଲପୁର ୧୩ ଓ ଷ୍ଟେଟ୍ ପୁଲରୁ ୨୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୯,୩୪୫କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୧୩ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦,୩୮,୬୯୫କୁ ବୃଦ୍ଧି ପାଇଛି।
Follow Us