ବିଶ୍ବଶାନ୍ତି ମହାଯଜ୍ଞରେ ଜପ ହେଲା ୫୦ ହଜାର ବୀଜମନ୍ତ୍ର

Advertisment

ନୃସିଂହନାଥ ପୀଠରେ ବୈଶାଖ ମେଳାର ତୃତୀୟ ଦିବସ

ନୃସିଂହନାଥ ପୀଠରେ ବୈଶାଖ ମେଳାର ତୃତୀୟ ଦିବସ

ବିଶ୍ବଶାନ୍ତି ମହାଯଜ୍ଞରେ ଜପ ହେଲା ୫୦ ହଜାର ବୀଜମନ୍ତ୍ର

ପାଇକମାଳ: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ନୃସିଂହନାଥ ପୀଠରେ ମହାଆଡ଼ମ୍ବରରେ ଚାଲିଥିବା ବୈଶାଖ ମେଳା ଶନିବାର ତୃତୀୟ ଦିବସରେ ପହଂଚିଛି। ଏହି ଅବସରରେ ଅନୁଷ୍ଠିତ ବିଶ୍ବଶାନ୍ତି ମହାଯଜ୍ଞ ଦୁଇ ଦିନ ମଧ୍ୟରେ ୫୦ ହଜାର ବୀଜମନ୍ତ୍ର ଜପ କରାଯାଇଛି। ଆଜି ଅପରାହ୍ନ ୩ଟାରୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟାନ୍ତ ଚତୁର୍ଦ୍ଦଶୀ ତିଥି ଥିବାରୁ ଶନିବାର ଭଗବାନ ପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ମହାପ୍ରଭୁ ନୃସିଂହନାଥଙ୍କୁ ରାତିରେ ସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ କରି ସୁସଜ୍ଜିତ ବେଶ କରାଯାଇଥିଲା।

ମହାପ୍ରଭୁଙ୍କୁ ଆଳତି କରାଯାଇ ପୀଠକନ୍ଦା ଭୋଗ ଲାଗି କରାଯାଇଥିଲା। ପରେ ରାତି ୧୦ ଟାରେ ଚୁଡ଼ାମଣି ଭୁଏଙ୍କ ଦ୍ବାରା ଧ୍ବଜାବନ୍ଧନ କରାଯାଇଥିଲା ଓ ମହାଦ୍ବୀପ ମଧ୍ୟ ଉଠିଥିଲା। ଦୁଇଦିନ ଧରି  ମୁଖ୍ୟ ପଣ୍ତିତ ଡିଗ୍ରୀଧର ଦେବତାଙ୍କ ସହ ୧୧ ଜଣ ଦକ୍ଷ ପଣ୍ତିତଙ୍କ ଦ୍ବାରା ଶନିବାର ସୁଦ୍ଧା ୫୦ ହଜାର ନୃସିଂହ ବୀଜମନ୍ତ୍ର ଜପ କରାଯାଇଛି। ସନ୍ଧ୍ୟାରେ ବିନ୍ଧ୍ୟବାସିନ ସଂସ୍କୃତି ମଣ୍ତପକୁ ମନ୍ଦିର ଟ୍ରଷ୍ଟି ତଥା ବିଡିଓ ଉପାଞ୍ଜଳୀ ମାଝୀ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ମନ୍ଦିର ବୈଶାଖ ମେଳା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ସମ୍ବଲପୁର ବିଶ୍ବହିନ୍ଦୁ ପରିଷଦର ସଦସ୍ୟମାନଙ୍କ ଦ୍ବାରା ମନ୍ଦିର ପରିସରରେ ସଫେଇ କରାଯାଉଛି। ପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ଦେଖିବା ପାଇଁ ବରଗଡ଼ ଜିଲ୍ଲା ସମେତ ଆଖପାଖ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିବାରୁ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe