ତୃତୀୟ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଉଦ୍‌ଘାଟିତ

ତୃତୀୟ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଉଦ୍‌ଘାଟିତ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଅଦୃଶ୍ୟ ନାଟ୍ୟ ଆଶ୍ରମ ଆନୁକୂଲ୍ୟରେ ତୃତୀୟ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ୨୦୨୩ ଜ୍ୟୋତିବିହାରର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଛି। ୪ ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସଂଧ୍ୟାରେ ସମ୍ବଲପୁରୀ ନାଟକ ବା’ ପରିବେଷିତ ହୋଇଥିଲା। ଅବର୍ଣିଗୁଡ଼ା ନାଟ୍ୟ ସଂସଦ ପଦମ୍‌ପୁର ଦ୍ବାରା ପରିବେଷିତ ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଅଶୋକ ବହିଦାର। ବାପା କୁଷ୍ଠରୋଗରେ ଆକ୍ରାନ୍ତ ହୋଇ କୁଷ୍ଠାଶ୍ରମକୁ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅ କହ୍ନେଇକୁ ପାଳନ କରିବା ପାଇଁ ମା’ ଫୁଲମତି ପରିସ୍ଥିତିରେ ପଡ଼ି ବାଧ୍ୟ ହୋଇ ଦେହଜୀବୀ ପାଲଟିଥିଲେ। ସମାଜର ସମ୍ପନ୍ନ ବ୍ୟକ୍ତିମାନେ ତାଙ୍କ ପାଖକୁ ଦେହ ଭୋକ ମେଣ୍ଟାଇବା ପାଇଁ ଆସନ୍ତି। ହେଲେ କହ୍ନେଇ ବାପା ଡାକିଦେଲେ ରାଗି ଯାଆନ୍ତି।

ହେଲେ ବସ୍ତିରେ ରହୁଥିବା ଭିକାରୀ, ମେହେନ୍ତର ପ୍ରମୁଖ ପଡ଼ୋଶୀମାନେ କହ୍ନେଇ ଉପରେ ସ୍ନେହ, ମମତା ଅଜାଡ଼ି ଦିଅନ୍ତି। ଦିନେ କହ୍ନେଇ ପଡ଼ୋଶୀ ଫକୀର ଭିକାରୀକୁ ତା’ ବାପା ଭାବେ ଦେଖିବାକୁ ଚାହେଁ ବୋଲି ଜିଦ୍‌ ଧରେ। ଏଥି ପାଇଁ ମା’କୁ ଟଙ୍କା ଦେବାକୁ ପଡ଼ିବ ବୋଲି ଫକୀରକୁ କହେ। ନଚେତ୍‌ ଆତ୍ମହତ୍ୟା କରିବ ବୋଲି ଧମକ ଦିଏ। ଫକୀର ପିଲାଟିର ଜୀବନ ରକ୍ଷା ପାଇଁ ଭିକ୍ଷା ବୃତ୍ତିରୁ ସଂଗୃହୀତ ଅର୍ଥକୁ ନେଇ ଫୁଲମତି ପାଖକୁ ଯାଏ। ଫୁଲମତି ତାକୁ ଭର୍ସନା କରେ। ଏହା ସହି ନପାରି କହ୍ନେଇ ଆତ୍ମହତ୍ୟା କରିଦିଏ। ତା’କୁ କାନ୍ଧରେ ବୋହି ଫକୀର ଶ୍ମଶାନକୁ ନିଏ। ଏଭଳି ଏକ ଦୁଃଖଭରା କାହାଣୀ ଉପସ୍ଥିତ ଦର୍ଶକଙ୍କ ଆଖିରୁ ଲୁହ ବୁହାଇ ଦେଇଥିଲା। ଉଦ୍‌ଘାଟନୀ ଦିବସରେ ବିଶ୍ବବିଦ୍ୟାଳୟ କୁଳପତି ପ୍ର. ବିଧୁଭୂଷଣ ମିଶ୍ର, ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ର. ସଂଯୁକ୍ତ ଦାଶ ଏବଂ କୁଳସଚିବ ଡ. ନୃପରାଜ ସାହୁ ଅତିଥିଭାବେ ଯୋଗ ଦେଇଥିଲେ। ଅଦୃଶ୍ୟ ନାଟ୍ୟ ଆଶ୍ରମର ଅତିସ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ନାଟ୍ୟକାର, ସମୀକ୍ଷକ, ପର୍ଯ୍ୟବେକ୍ଷକଙ୍କ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe