ଯାତ୍ରା ଦେଖି ଫେରୁଥିବା ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତ ଥାନାରେ ଅଟକ

Advertisment
ଯାତ୍ରା ଦେଖି ଫେରୁଥିବା ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତ ଥାନାରେ ଅଟକ

ommcomnews.com

ଭବାନୀପାଟଣା: ଯାତ୍ରା ଦେଖି ଫେରୁଥିବା ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ୪ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନାରେ ଅଟକ ହୋଇଥିବାର ସୂଚନା ମିଳିଛି। ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି। ତାକୁ ଖୋଜିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି। ତେବେ ପୁଲିସ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଥାନା ଅଞ୍ଚଳର ୩ ଜଣ ନାବାଳିକା ବେନଗାଁକୁ ଗତ ୧୬ ତାରିଖ ସନ୍ଧ୍ୟାରେ ତାରିଣୀ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ସେଠାରୁ ଭୋର୍ ପ୍ରାୟ ୩ଟାରେ ଘରକୁ ଫେରୁଥିବା ବେଳେ ବାଜିବାହାଲି ରାସ୍ତା ପୋଲ ନିକଟରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ଜଣେ ନାବାଳିକା ସେମାନଙ୍କୁ ବିରୋଧ କରିବାରୁ ତାଙ୍କୁ ସେମାନେ ରାସ୍ତା ଉପରୁ ପୋଲ ତଳକୁ ଠେଲି ଦେଇଥିଲେ। ସେ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳିକାଙ୍କୁ ଅଭିଯୁକ୍ତମାନେ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ସଂପୃକ୍ତ ନାବାଳିକାଙ୍କୁ ସେମାନେ ଛାଡ଼ି ଦେଇଥିବା ବେଳେ ସେମାନେ ଘରକୁ ଯାଇ ସବୁକଥା କହିଥିଲେ। ସମସ୍ତ ବିଷୟ ଜାଣିବା ପରେ ବିଜେପୁର ଥାନାରେ ବୁଧବାର ପରିବାର ଲୋକେ ଅଭିଯୋଗ କରିଥିଲେ।
ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ସଂପୃକ୍ତ ନାବାଳିକା ଦ୍ବୟଙ୍କ ଡାକ୍ତରୀମାଇନା କରିବା ପାଇଁ ପୁଲିସ୍ ବେଶ୍ ହଟହଟା ହୋଇଥିଲା। ପ୍ରଥମେ ବିଶ୍ୱନାଥପୁର ଓ ପରେ ଲାଞ୍ଜିଗଡ଼ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ନଥିବାରୁ ପରେ ସେମାନଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ଆଣି ଡାକ୍ତରୀମାଇନା କରିଥିଲା। ତେବେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଘଟଣା ନେଇ ପୁଲିସ ଏସ୍ପି କୌଣସି ସୂଚନା ଦେଇନାହାନ୍ତି। ତାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ୍ ଗୁରୁତ୍ବ ଦେଉନଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe