ଧରାପଡ଼ିଲା ଜାଲ୍ ପ୍ରମାଣପତ୍ର ରାକେଟ୍‌ : ବନ୍ଧା ହେଲେ ୨ ଶିକ୍ଷକ, ୨ ମାଷ୍ଟର୍‌ମାଇଣ୍ଡ୍ ଓ ଜଣେ ମଧ୍ୟସ୍ଥି

Advertisment
ଧରାପଡ଼ିଲା ଜାଲ୍ ପ୍ରମାଣପତ୍ର ରାକେଟ୍‌ : ବନ୍ଧା ହେଲେ ୨ ଶିକ୍ଷକ, ୨ ମାଷ୍ଟର୍‌ମାଇଣ୍ଡ୍ ଓ ଜଣେ ମଧ୍ୟସ୍ଥି

ଆସିକା : ଗଞ୍ଜାମ ଜିଲ୍ଲାରେ ଚାଲିଛି ନକଲି ଶିକ୍ଷକ ଧରପଗଡ଼। ଜାଲ୍ ପ୍ରମାଣପତ୍ର, ମାର୍କସିଟ୍ ଓ କାଗଜପତ୍ର ଦାଖଲ କରି ସେମାନେ ଚାକିରି ପାଇବା ଭଳି ସଂଗିନ ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷା ବିଭାଗ ତନାଘନା ଜାରି ରଖିଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ବି ରୁଜୁ ହୋଇଛି। ଆଉ ଏଭଳି ପରିସ୍ଥିତିରେ ଆସିକା ପୁଲିସ ଏକ ବଡ଼ଧରଣର ଜାଲ୍ ପ୍ରମାଣପତ୍ର ରାକେଟ୍‌କୁ ଠାବ କରିଛି। ଦୀର୍ଘ ୧୫ ବର୍ଷ ହେଲା ଏପରି ବେଆଇନ କାରବାର ଚାଲୁଥିବା ଜଣାପଡ଼ିବା ପରେ ଏହା ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଛି।

ଏଥିରେ ସଂପୃକ୍ତ ଦୁଇଜଣ ଶିକ୍ଷକ ଆସିକା ଥାନା ଅଧୀନ ହୁମୁକି ଗ୍ରାମର ଗୌରୀଶଙ୍କର ଜେନା (୪୨) ଓ ପ୍ରକାଶ ଚନ୍ଦ୍ର ପୋଲାଇ (୪୫)ଙ୍କ ସମେତ ଦୁଇ ମାଷ୍ଟର୍‌ମାଇଣ୍ଡ୍ କୋଦଳା ପଣ୍ଡାସାହିର ରଂଜିତ କୁମାର ପାଲଟା, କୋଦଳା ପରିବା ବଜାର ନିକଟ ବାସିନ୍ଦା ତଥା ପୋଲସରାରେ ଥିବା ଶ୍ରୀଦେବୀ ପ୍ରିଣ୍ଟର୍ସର ମାଲିକ କେ.ଧୀରେନ ରାଓ ଦୋରା ଏବଂ ମଧ୍ୟସ୍ଥି ପୋଲସରା କଲେଜ ଛକର ଦୁର୍ଗାପ୍ରସାଦ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଆସିକା ଥାନାରେ କେସ୍ ନମ୍ବର ୨୧ ଅନୁସାରେ ଏକ ମାମଲା ରୁଜୁ ହେବା ସହ ସେମାନଙ୍କଠାରୁ ୫ଶହରୁ ଅଧିକ ରବର୍ ଷ୍ଟାମ୍ପ, ନକଲି ପ୍ରମାଣପତ୍ର, ୨୨ହଜାର ଟଙ୍କା ଓ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି। ଗୋଟିଏ ନକଲି ପ୍ରମାଣପତ୍ର ପିଛା ସେମାନେ ୧୦ହଜାର ଟଙ୍କା ଆଦାୟ କରୁଥିଲେ। ତେବ‌େ ଜବତ ହୋଇଥିବା ହାର୍ଡଡିସ୍କରୁ କେତେ ନକଲି ପ୍ରମାଣପତ୍ର କରାଯାଇଛି, ଏ ନେଇ ଅଧିକ ତଥ୍ୟ ମିଳିବ ବୋଲି ପ୍ରୋବସେନ ଆଇପିଏସ୍ ଅଫିସର୍ ଅଭିଳାଷ ଜି. ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ୨୦୦୬ ମସିହାରୁ ଏହି ରାକେଟ୍ ସକ୍ରିୟ ରହି ଗଞ୍ଜାମ ଜିଲ୍ଲାରେ ଦଶମ, ଯୁକ୍ତଦୁଇ, ଯୁକ୍ତତିନି, ସିଟି, ବିଇଡି ଆଦି ନକଲି ପ୍ରମାଣପତ୍ର ଓ ମାର୍କସିଟ୍ ପ୍ରସ୍ତୁତ କରୁଥିଲା। ଏମାନଙ୍କ ଟାର୍ଗେଟ୍‌ କେବଳ ଶିକ୍ଷା ବିଭାଗ ଥିଲା। ସେମାନେ ଆନ୍ଧ୍ରପ୍ରଦେଶର ଏକାଧିକ ବିଶ୍ବବିଦ୍ୟାଳୟ ସମେତ ଓଡ଼ିଶାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରମାଣପତ୍ର ପ୍ରସ୍ତୁତ କରିଆସୁଥିଲେ। ଫଳରେ ବହୁ ଯୋଗ୍ୟ ଆଶାୟୀ ଚାକିରିରୁ ବଞ୍ଚିତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe